କ୍ୟାପିଟାଲ ହସ୍‌ପିଟାଲରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ !

୫ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଚାପ, କାଗଜକଲମରେ ସୀମିତ ପରାମର୍ଶଦାତା ବୈଠକ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟ ଲାଗି ୨୦୧୩ରୁ ପ୍ରସ୍ତାବ ରହିଥିଲା । ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ଗତବର୍ଷଠାରୁ ଆନ୍ତରିକତା ଦେଖାଉଛନ୍ତି। ଶିଶୁଭବନ ଛକଠାରେ ଏକ ଅସ୍ଥାୟୀ ଭଙ୍ଗା ଘରେ କାର୍ଯ୍ୟାଳୟ ପ୍ରଥମେ ଆରମ୍ଭ ହେଲା। ଏବେ ଏହାକୁ କିଭଳି ରାଜଧାନୀ ଚିକିତ୍ସାଳୟରେ ଖୋଲାଯିବ ସେଥିପାଇଁ କିଛି ବରିଷ୍ଠ ଅଧିକାରୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ଜରିଆରେ କେବଳ ସେମାନେ ଯେ ନିଜ ଚାକିରି ବଞ୍ଚାଇବେ ତାହା ନୁହେଁ, କିଛି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସବୁଦିନ ପାଇଁ ଭୁବନେଶ୍ବରରେ ରହିବାର ସୁଯୋଗ ମିଳିବ। ଓଡ଼ିଶା ସ୍ବାସ୍ଥ୍ୟ ସେବା(ଓଏମସି) କ୍ୟାଡର ଠାରୁ ଏହା ଅଲଗା ହେବା ଯୋଗୁଁ ସଂପୃକ୍ତ ଚାକିରିଆଙ୍କୁ ଆଉ ଅନ୍ୟତ୍ର ବଦଳି ହେବାର ପ୍ରଶ୍ନ ଉଠିବନି; କିନ୍ତୁ ଏହାଦ୍ବାରା ରାଜଧାନୀ ଚିକିତ୍ସାଳୟ ତା’ର ସତ୍ତା ହରାଇବା ଆଶଙ୍କା ବଢ଼ିଛି। ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲ କାନ୍ଥକୁ ଲଗାଇ ତା’ରି ପରିସରରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଗଢ଼ି ତୋଳିବାକୁ ଉଦ୍ୟମ ଜୋରଦାର ହେଉଛି।
ଜଣେ ବରିଷ୍ଠ ସ୍ବାସ୍ଥ୍ୟ ନିର୍ଦେଶକ ନିଜ ନାମ ଗୋପନ ରଖି କହିଛନ୍ତି ଯେ ସରକାର ସାଧାରଣ ମହାବିଦ୍ୟାଳୟ ପାଇଁ ୫ଏକର ଜମିର ସର୍ତ୍ତାବଳୀ ରଖିଛନ୍ତି। ହେଲେ ଏବେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟକୁ ଏକ କ୍ୟାବିନରେ ଖୋଲିଲା ଭଳି କ୍ୟାପିଟାଲ ହସ୍ପିଟାଲ ଭିତରେ ଖୋଲିବା ପାଇଁ ଯାଉଛନ୍ତି। ଏହାଦ୍ବାରା ସବୁଦିନ ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ଏହା ପରିସରରେ ଗଢ଼ି ଉଠୁଥିବା ପିଜି ମେଡିକାଲ କଲେଜ ତା’ର ସତ୍ତା ହରାଇବ। ଅଧିକାରୀଙ୍କ କହିବା ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗ ୫ଏକର ଜମି ଯୋଗାଇ ଦେବାକୁ ଚାପ ପ୍ରୟୋଗ କରାଯାଉଛି। ଏମିତିକି ପରାମର୍ଶଦାତା କମିଟିର ନିଷ୍ପତ୍ତିକୁ ଗ୍ରହଣ କରାଗଲା ନାହିଁ। କମିଟିରେ ସବୁ ନିର୍ଦେଶକ ଓ ବରିଷ୍ଠ ଅଧିକାରୀ ପ୍ରସ୍ତାବ ଦେଇଥିଲେ ଯେ ରାଜଧାନୀ ଉପକଣ୍ଠରେ ଅତି କମ୍‌ରେ ୨୦ରୁ ୨୫ ଏକର ଜମି ବିଶ୍ବବିଦ୍ୟାଳୟ ପାଇଁ ନିହାତି ଆବଶ୍ୟକ। ରାଜଧାନୀର ଆଖପାଖ ଅଞ୍ଚଳରେ ଯେଉଁଠାରେ ବି ବିଶ୍ବବିଦ୍ୟାଳୟ ହେବ ତା’ର ମର୍ଯ୍ୟାଦା କ୍ଷୁଣ୍ଣ ହେବନାହିଁ। ପୂର୍ବରୁ ବାଣୀବିହାର ବିଶ୍ବବିଦ୍ୟାଳୟ ଏବଂ ଏବେ ଏମ୍ସ ହସ୍ପିଟାଲ ଯେଭଳି ସହରଠାରୁ ଦୂରରେ ହୋଇଛି ଠିକ୍ ସେହିପରି ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଅଧିକ ଜମିରେ ହେଲେ ତା’ର ବିଭିନ୍ନ ପ୍ରକାର ଉପକାର୍ଯ୍ୟାଳୟ ଠିକଣା ଭାବେ କାର୍ଯ୍ୟାନ୍ବୟନ ହୋଇପାରିବ।
ତଥ୍ୟ ଅନୁଯାୟୀ, ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟକୁ ଆସନ୍ତା ଜାନୁଆରୀରୁ କାର୍ଯ୍ୟକାରୀ କରିବାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିଲାଗି ଜୁଲାଇ ୩୦ରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୨୦ରୁ ୨୫ ଏକର ଜମିର ଆବଶ୍ୟକତା ରହିଥିବା କୁହାଯାଇଥିଲା। ଏହି ଜମି ସାଧାରଣ ପ୍ରଶାସନ ବିଭାଗକୁ ଯୋଗାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏଥିଲାଗି ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ ସହିତ ଏକ ତଦାରଖ କମିଟି ଗଠନ ହୋଇଛି। ବିଶ୍ବବିଦ୍ୟାଳୟ ଠିକଣା ଭାବେ କାର୍ଯ୍ୟକାରୀ ହେଲେ ସମସ୍ତ ଡାକ୍ତରୀ ଶିକ୍ଷାନୁଷ୍ଠାନକୁ ଅନୁମତି ପ୍ରଦାନ ସୁରୁଖୁରୁରେ ହେବା ସହିତ ଶିକ୍ଷାଦାନ, ତାଲିମ ଓ ଗବେଷଣାକୁ ପ୍ରାଧାନ୍ୟ ଦେଇ ହେବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୁର୍ବେଦ, ସିଦ୍ଧିଯୋଗ, ନେଚରପାଥି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇ ପାରିବ। ସାରା ବିଶ୍ବରେ ଭାରତର ଯେଭଳି ଆୟୁର୍ବିଜ୍ଞାନ ଉପରେ ସ୍ବତନ୍ତ୍ରତା ରହିଛି ଠିକ୍ ସେହିପରି ଓଡ଼ିଶା କିଭଳି ଏକ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇପାରିବ ତାକୁ ନେଇ ଗବେଷଣା କରାଯିବ। ଏହାଦ୍ବାରା ଆଧୁନିକ ଔଷଧ ମାନସିକ ରୋଗ ଚିକିତ୍ସା, ଦନ୍ତ ଚିକିତ୍ସା, ହୋମିଓପାଥି, ଆୟୁର୍ବେଦ, ନର୍ସିଂ, ଫାର୍ମାସି, ପାରା ଭେଷଜ ଓ ଅନ୍ୟାନ୍ୟ ଭେଷଜ ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷାଦାନ, ପ୍ରଶିକ୍ଷଣ ଓ ଗବେଷଣାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଭେଷଜ ଡାକ୍ତରଖାନାରେ ଶୈକ୍ଷିକ କାର୍ଯ୍ୟକ୍ରମରେ ସମାନତା ଆସିବ। ପର୍ଯ୍ୟାପ୍ତ ପାଠାଗାର, ପ୍ରୟୋଗଶାଳା, ଚିକିତ୍ସାଳୟ ଓ ଅନ୍ୟ ଶିକ୍ଷା ସମ୍ବନ୍ଧିତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ। ଯଦି ବିଶ୍ବବିଦ୍ୟାଳୟକୁ ଉପଯୁକ୍ତ ସ୍ଥାନରେ ପ୍ରତିଷ୍ଠା ନ କରି ତରବରିଆ ଭାବେ କ୍ୟାପିଟାଲ ହସ୍ପିଟାଲ ଭିତରେ କରାଯିବ ତା’ହେଲେ ନିର୍ଦିଷ୍ଟ ବ୍ୟକ୍ତିଙ୍କ ସ୍ବାର୍ଥସାଧନ ହେବ, ମାତ୍ର ଲୋକେ ସୁଫଳ ପାଇବେ ନାହିଁ ବୋଲି ଅଭିଯୋଗ ଉଠୁଛି।
ରାଜ୍ୟ ଭେଷଜ, ଶିକ୍ଷା ତାଲିମ ନିର୍ଦେଶକ ଡା. ରମାରମଣ ମହାନ୍ତି କହିଛନ୍ତି ଯେ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଲାଗି ଅନୁଷ୍ଠିତ ପରାମର୍ଶଦାତା ବୈଠକରେ ଆମେ ୨୦ରୁ ୨୫ ଏକର ଜମି ପାଇଁ ପ୍ରସ୍ତାବ ଦେଇଥିଲୁ। ହେଲେ ଏବେ ଏହାକୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଖୋଲିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଜମି ଯୋଗାଇବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଏହାଦ୍ବାରା ହସ୍ପିଟାଲ ଓ ପିଜି ମେଡିକାଲ କଲେଜର ଗୁରୁତ୍ବ କମିବ। ସରକାର ଯାହା ନିଷ୍ପତ୍ତି ନେବେ, ଏସମ୍ପର୍କରେ ଅଧିକ କିଛି ଜାଣିନାହିଁ ବୋଲି ଡା. ମହାନ୍ତି କହିଥିଲେ।
ସେହିପରି ଅତିରିକ୍ତ ନିର୍ଦେଶକ ଡା. ଉମାକାନ୍ତ ଶତପଥୀ କହିଥିଲେ ଯେ ଏହାଦ୍ବାରା ସବୁ ସରକାରୀ କଲେଜକୁ ନିୟନ୍ତ୍ରଣ କରିବା, ପାଠ୍ୟକ୍ରମ ଓ ଖସଡ଼ା କାର୍ଯ୍ୟକାରୀ କରିବା, ପରୀକ୍ଷା କରିବା, ପ୍ରଶ୍ନପତ୍ର ବ୍ୟାଙ୍କ ପରିଚାଳନା କରିବାରେ ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଥିଲେ ଯେ ବିଶ୍ବବିଦ୍ୟାଳୟ ଲାଗି ଅନୁଷ୍ଠିତ ବୈଠକରେ ଜମିର ଆବଶ୍ୟକତା କଥା ଉଠିଥିଲା। ଏଥିନେଇ ସରକାର କେଉଁଠି ଜମି ଯୋଗାଇଲେଣି ତାହା ନିର୍ଦେଶାଳୟ ଜାଣିନାହିଁ। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ରଙ୍କ କହିବା ଅନୁଯାୟୀ ବିଶ୍ବବିଦ୍ୟାଳୟ ପାଇଁ ଯେତେ ଅଧିକ ଜମି ସରକାର ଯୋଗାଇବେ ତାହା ଭବିଷ୍ୟତରେ ସଂପ୍ରସାରଣ ଲାଗି ସେତେ ସୁବିଧା ହେବ।
ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଅଧିକାରୀ ଦତ୍ତେଶ୍ବର ହୋତା କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ଜମି ମଗାଯାଇଛି, ଯେଉଁଠାରେ ଯୋଗାଇବେ ସେଠାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ।

Comments are closed.