ନବବିବାହିତାଙ୍କୁ ଗୁଣିଆ ସହାୟତାରେ ଦେଢ଼ଶୁର ଓ ନଣନ୍ଦେଇଙ୍କ ବଳାତ୍କାର

0

କୁରୁକ୍ଷେତ୍ର : ହରିୟାଣା ପୁଣି ଥରେ ବଳାତ୍କାରକୁ ନେଇ ନିନ୍ଦିତ ହୋଇଛି। ସପ୍ତାହକ ପୂର୍ବେ ଜଣେ ମେଧାବୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବାବେଳେ ଏଥର ଜଣେ ନବବିବାହିତାଙ୍କୁ ତାଙ୍କ ସ୍ୱାମୀଙ୍କ ବନ୍ଧୁ ଓ ତାନ୍ତ୍ରିକ ମିଶି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପରିତାପର ବିଷୟ ହେଉଛି; ବିବାହର ପ୍ରଥମ ଦିନରେ ହିଁ ଏଭଳି ଘଟିଛି। ସ୍ୱାମୀଙ୍କ ପରିବାର ଲୋକେ ଘରକୁ ଜଣେ ତାନ୍ତ୍ରିକକୁ ଡକାଇ ଏଭଳି ଘଟଣା ଘଟାଇଛନ୍ତି। ପୂଜାପାଠ ପରେ ନିଶା ଦେଇ ଦେଢ଼ଶୁର, ନଣନ୍ଦେଇ ପ୍ରମୁଖ ତାଙ୍କୁ ବଳାତ୍କାର କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଥରଥର କରି ମହିଳାଙ୍କ ପୋଷାକ ପୋଡ଼ିଥିବା ଅଭିଯୋଗରୁ ଜଣାପଡ଼ିଛି।
ପୁଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଯମୁନାନଗରଠାରେ ଏଭଳି କୁତ୍ସିତ ଘଟଣା ଘଟିଛି। ନବବିବାହିତାଙ୍କ ବାପା ଏ ସମ୍ପର୍କରେ ଯମୁନାନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଚଳିତ ସେପ୍ଟେମ୍ବର ୧୨ରେ ଝିଅକୁ ସ୍ଥାନୀୟ ଜଣେ ଯୁବକଙ୍କ ସହିତ ବିବାହ ଦେଇଥିଲେ। ଝିଅ ଶାଶୂ ଘରକୁ ଯିବାର କିଛି ଘଣ୍ଟା ପରେ ଜ୍ୱାଇଁ ଘର ଲୋକ ତାଙ୍କୁ ଡକାଇ ଝିଅର ମାନସିକ ସ୍ଥିତି ଠିକ୍‍ ନଥିବା କହିଥିଲେ। ସେ ଦେଖିଲାବେଳକୁ ଝିଅ ଅଚେତ ଅବସ୍ଥାରେ ପଡ଼ି ରହିଥିଲା। କିଛି ସମୟ ପରେ ଚେତା ଫେରିବାରୁ ସେ ତାଙ୍କୁ ଭୟଙ୍କର କଥା ସବୁ କହିଥିଲା। ଝିଅର କହିବାନୁସାରେ ବିବାହର ପ୍ରଥମ ଦିନ ଦେଢ଼ଶୁର, ନଣନ୍ଦେଇ ପ୍ରମୁଖ ଜଣେ ଗୁଣିଆକୁ ଡକାଇ ପୂଜାପାଠ କରିବା ସହିତ ତାଙ୍କୁ ଅଚେତ କରି ବଳାତ୍କାର କରିଥିଲେ। ପରବର୍ତ୍ତୀ ତିନି ଦିନ କାଳ ଏଭଳି ଜାରି ରହିଥିଲା। ଏହି ଘଟଣା ପ୍ରତି ଶାଶୂ ଓ ଦୁଇ ନଣନ୍ଦଙ୍କର ସମର୍ଥନ ରହିଥିଲା। ଅଭିଯୋଗ ପାଇବା ପରେ ପୁଲିସ ‘ଶୂନ୍ୟ’ ଏତଲା ଦାୟର କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତମାନେ କେହି ଧରାପଡ଼ି ନାହାନ୍ତି।

Leave A Reply