ବନ୍ଦ ସରକାରୀ ବିଦ୍ୟାଳୟରେ ଠିକାସଂସ୍ଥା କ୍ୟାମ୍ପ: ଅନୁମତିକୁ ନେଇ ପ୍ରଶ୍ନ, ବିଡିଓଙ୍କୁ ଅଭିଯୋଗ

ହରଭଙ୍ଗା: ହରଭଙ୍ଗା ବ୍ଲକ କରଞ୍ଜକଟା ପଂଚାୟତର ଉପରକଟାଠାରେ ବନ୍ଦହୋଇ ପଡ଼ିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବର୍ତମାନ ଏକ ଠିକାସଂସ୍ଥାର କ୍ୟାମ୍ପ ଚାଲିଥିବା ଅଭିଯୋଗ ହୋଇଛି। ଗୋଟିଏ ବିଦ୍ୟାଳୟ ଭଳି ଏକ ମନ୍ଦିରରେ ଠିକାସଂସ୍ଥାର କ୍ୟାମ୍ପ ଯୋଗୁଁ ଏହାର ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଛି। କିଏ କେଉଁ ନିୟମ ଆଧାରରେ ଅନୁମତି ଦେଇଛି ତାକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ସହିତ ହରଭଙ୍ଗା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। କରଞ୍ଜକଟା ପଂଚାୟତର ଅଭିଯୋଗକାରୀ ଜଗଦୀଶ ପ୍ରଧାନ, ବସନ୍ତ ପ୍ରଧାନ, ବିଦ୍ୟାଧର ମଲ୍ଲିକ, ଶେଷଦେବ ମଲ୍ଲିକ, ପ୍ରମୋଦ ମଲ୍ଲିକ ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ଉପରକଟାଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘଦିନ ହେଲା ବନ୍ଦ ହୋଇପଡ଼ିଛି। ବନ୍ଦ ବିଦ୍ୟାଳୟରେ କେବଳ ସରକାରୀ କାର୍ଯ୍ୟକ୍ରମ କରିବାର ନିୟମ ରହିଛି। ଏହାସତ୍ତ୍ବେ ଗତ ୧୫ମାସ ହେଲା ଏକ ନିର୍ଦ୍ଦିଷ୍ଟ ବେସରକାରୀ ଠିକାସଂସ୍ଥାର ୬୦ଜଣ ଲୋକ ବ୍ୟକ୍ତିଗତ ସମ୍ପତି ଭଳି ବିଦ୍ୟାଳୟର ପ୍ରତ୍ୟେକ ଗୃହକୁ ବ୍ୟବହାର କରୁଛନ୍ତି। ଏଣୁ ଜନସାଧାରଣଙ୍କ ପ୍ରଶ୍ନ ଯେ ବନ୍ଦ ପଡ଼ିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଟି କେଉଁଭଳି ଭାବରେ ଏକ ବେସରକାରୀ ଠିକାସଂସ୍ଥା ହାତକୁ ଟେକି ଦିଆଯାଇଛି ତାକୁ ନେଇ ବର୍ତମାନ ପ୍ରଶ୍ନଉଠୁଛି। ଏହା କେଉଁ ସରକାରୀ କର୍ମଚାରୀ କେଉଁ ନିୟମ ଅନୁଯାୟୀ ଅନୁମତି ଦେଇଛନ୍ତି ଏବଂ ଯଦି ଭଡା ଦିଆଯାଇଛି ସେହି ଟଙ୍କା କାହା ପାଖକୁ ଯାଉଛି ତାହାର ଉତ୍ତର ବିଡିଓଙ୍କୁ ମାଗିଛନ୍ତି। ଏହାର ନିରପେକ୍ଷ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଦାବୀରେ ହରଭଙ୍ଗା ବିଡିଓଙ୍କଠାରେ ଗ୍ରାମବାସୀ ସୋମବାର ଲିଖିତ ଅଭିଯୋଗ କରିଛନ୍ତି।

ଏ ସର୍ମ୍ପକରେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କୁ ପଚାରିବାରୁ ଅଭିଯୋଗ ପାଇନଥିବା କହିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କୁ ବନ୍ଦ ସରକାରୀ ବିଦ୍ୟାଳୟଗୁଡିକର ରିପୋର୍ଟ ମଗାଯାଇଥିବା କହିଥିଲେ। ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଉଦୟନାଥ ମାଝୀଙ୍କୁ ପଚାରିବାରୁ ବନ୍ଦ ହୋଇଥିବା ସରକାରୀ ବିଦ୍ୟାଳୟଗୁଡିକରେ ପାଠାଗାର, ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ କରିହେବ। ମାତ୍ର କୌଣସି ପରିସ୍ଥିତିରେ ଏହାକୁ ଭଡାସୂତ୍ରରେ ଲଗାଇ ହେବନାହିଁ। ବନ୍ଦ ବିଦ୍ୟାଳୟଗୁଡିକର ଦାୟିତ୍ୱ ବିଡିଓଙ୍କର ହୋଇଥିବାରୁ ସେ ଏହାର ଉତ୍ତର ଦେଇପାରିବେ ବୋଲି କହିଥିଲେ।

 

Comments are closed.