ହରଭଙ୍ଗା ପଞ୍ଚାୟତ ସମିତି ବୈଠକ ବସିବାରେ ଅହେତୁକ ବିଳମ୍ବ

୨ମାସରେ ଥରେ ବସିବା କଥା ୫ ମାସ ପରେ ବି ବସୁନାହିଁ

ହରଭଙ୍ଗା: ହରଭଙ୍ଗା ପଞ୍ଚାୟତ ସମିତି ବୈଠକ ବସିବାରେ ବିଳମ୍ବ ଯୋଗୁଁ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତିରାଜ ନିୟମାବଳୀ ଅନୁଯାୟୀ ପ୍ରତ୍ୟେକ ଦୁଇ ମାସ ବ୍ୟବଧାନରେ ପଂଚାୟତ ସମିତି ବୈଠକ ବସିବା ପ୍ରାବଧାନ ରହିଛି। ଗତ ୦୮ ଏପ୍ରିଲରେ ହରଭଙ୍ଗା ପଂଚାୟତ ସମିତି ବୈଠକ ବସିଥିଲା। ଏହାର ୫ ମାସ ପରେ ବି ବୈଠକ ନବସିବା ପଂଚାୟତିରାଜ ନିୟମର ଖୋଲା ଉଲ୍ଲଂଘନ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଥାଉ କି, ସମିତି ଅଧିନରେ ଥିବା ପଂଚାୟତଗୁଡିକରେ ରହିଥିବା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, କୃଷି, ଉଦ୍ୟାନ କୃଷି, ଜଳବିଭାଜିକା, ପରିମଳ, ଶିଶୁ ବିକାଶ, ଜୀବିକା ମିଶନ, ଭତ୍ତା, ପି.ଡି.ଏସ, ଗ୍ରାମୀଣ ଆବାସ, ମନରେଗା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ବୈଠକରେ ଆଲୋଚନା କରାଯାଇ ଏହାର ସମାଧାନ ବାଟ ବାହାର କରାଯାଏ। ମାତ୍ର ବୈଠକ ବସିପାରୁନଥିବାରୁ ଜନପ୍ରତିନିଧି ନିଜ ଅଂଚଳର ସମସ୍ୟା ସମାଧାନ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିପାରୁନାହାନ୍ତି। ତୁରନ୍ତ ଏ ଦିଗରେ ଜିଲ୍ଲା ପଂଚାୟତରାଜ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି। ଏ ସର୍ମ୍ପକରେ ବୌଦ୍ଧ ପଂଚାୟତରାଜ ଅଧିକାରୀ ଲଛମନ ଓରାମଙ୍କୁ ପଚାରିବାରୁ ସେ କହିଲେ ପଂଚାୟତ ସମିତି ବୈଠକ ପ୍ରତ୍ୟେକ ୨ମାସରେ ଥରେ ବସିବାର ପ୍ରାବଧାନ ରହିଛି। ବୈଠକ ବସିବାରେ ବିଳମ୍ବହେଲେ ଏଥିରେ ସରକାର ହସ୍ତକ୍ଷେପ କରିବେ ବୋଲି କହିଥିଲେ।

Comments are closed.