ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ନୂତନ ବିଡିଓ ଯୋଗଦାନରେ ବିଳମ୍ବ

ସରକାରୀ ସୁବିଧା ପାଇବାରୁ ସାଧାରଣ ଲୋକେ ବଞ୍ଚିତ, ଅଫିସ ଖାଁ ଖାଁ

ହରଭଙ୍ଗା: ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ବ୍ଲକ ଭାବେ ଜଣାଶୁଣା ହରଭଙ୍ଗା ବ୍ଲକରେ ନୂତନ ବିଡିଓ ଯୋଗଦାନରେ ଅହେତୁକ ବିଳମ୍ବ ଘଟିଛି।ଫଳରେ ସାଧାରଣ ଲୋକେ ସରକାରୀ ସୁବିଧାରୁ ଏକ ପ୍ରକାର ବଞ୍ଚିତ ହେଉଥିବାବେଳେ ବ୍ଲକ ମୁଖିଆଙ୍କ ବିନା କାର୍ଯ୍ୟାଳୟଟି ଖାଁ ଖାଁ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଖୋଦ୍‍ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହରଭଙ୍ଗା ବ୍ଲକରେ ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଗତ ୧୨ ଅଗଷ୍ଟରେ ହରଭଙ୍ଗା ବିଡିଓ ସ୍ମିତା ରଥଙ୍କ ବଦଳି ପରେ ନୂତନ ବିଡିଓ ଭାବେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ବିଡିଓ ରବୀନ୍ଦ୍ରନାଥ କହଁରଙ୍କୁ ଦାୟିତ୍ୱ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ବଦଳି ନିର୍ଦ୍ଦେଶର ଦୁଇଦିନ ପରେ ମହାନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ପୁରୁଣା ବିଡିଓ ସ୍ମିତା ରଥଙ୍କୁ ବୌଦ୍ଧ ଜିଲ୍ଲାପାଳ ୩୧ ଅଗଷ୍ଟରେ ରିଲିଫ୍ କଲେ। ଫଳରେ ଗତ ସେପ୍ଟେମ୍ବର ୧ ତାରିଖରୁ ଏହି ପଦବୀ ଖାଲିପଡ଼ିଛି। ଏହାର ଅତିରିକ୍ତ ଦାୟିତ୍ୱ ଏବିଡିଓ ସୁବାଷ ଯାନୀଙ୍କୁ ପ୍ରଦାନ କରାଯାଇଛି। ମାତ୍ର ନୂତନ ବିଡିଓ ଯୋଗଦାନ କରିବାରେ ବିଳମ୍ବ କେଉଁ କାରଣରୁ ଘଟୁଛି ଏବଂ ଖୋଦ୍‍ ପଂଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.