କେଜରିୱାଲଙ୍କ କାର୍ଯ୍ୟକୁ ପ୍ରଧାନ ବିଚାରପତିଙ୍କ ପ୍ରଶଂସା: ଦେଶର ଜୁଡିସିଆଲ ଏକାଡେମୀରେ ଆପଣାଯିବ ହାପିନେସ୍ ପାଠ୍ୟକ୍ରମ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ। ଦିଲ୍ଲୀର ଶିକ୍ଷା କ୍ଷେତ୍ରରେ କେଜରିୱାଲ ଆଣିଥିବା ପରିବର୍ତ୍ତନ ପାଇଁ ଜଷ୍ଟିସ ଗୋଗଇ ତାଙ୍କର ପ୍ରଶଂସା କରିଛନ୍ତି। ଏପରିକି କେଜରିୱାଲଙ୍କ ଦ୍ବାରା ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟରେ କରାଯାଉଥିବା ହାପିନେସ୍ ପାଠ୍ୟକ୍ରମ ଦେଶର ସମସ୍ତ ଜୁଡିସିଆଲ ଏକାଡେମୀରେ ଆପଣାଇବା ଲାଗି ପ୍ରଧାନ ବିଚାରପତି ଆଗ୍ରହ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ତାଙ୍କ ସହଯୋଗୀଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ହାପିନେସ୍ ପାଠ୍ୟକ୍ରମର ଏକବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ‘ହାପିନେସ ଉତ୍ସବ’ର ଉଦ୍ଯାପନୀ ଦିବସରେ ଯୋଗ ଦେଇ ପ୍ରଧାନ ବିଚାରପତି କହିଛନ୍ତି ‘ ପ୍ରଧାନ ବିଚାରପତି ଭାବେ ମୋ ବିଚାରେର ଆମେ ସମସ୍ତେ ଯଦି ଖୁସି ରହିବା ତେବେ ବିବାଦ ସୃଷ୍ଟି ହେବ ନାହିଁ। ଆଉ କେହି ମାମଲା ଦାୟର କରିବାକୁ ଆସିବେ ନାହିଁ।’ ଜଷ୍ଟିସ ଗୋଗଇ କହିଛନ୍ତି ଯେ ଦେଶର ଅନ୍ୟ ରାଜ୍ୟ ସରକାର ଏହି ହାପିନେସ୍ ପାଠ୍ୟକ୍ରମକୁ ଆପଣାଇବା ଦରକାର। ବିଶ୍ବ ହାପିନେସ ତାଲିକାର ୧୪୦ତମ ସ୍ଥାନରେ ଭାରତ ରହିଥିବାବେଳେ ଏହାକୁ ଆପଣାଇବା ଜରୁରୀ। ବିଶ୍ବର ୧୨ଟି ଦେଶରେ ଏପରି ହାପିନେସ ପାଠ୍ୟକ୍ରମ ପ୍ରଚଳିତ ଥିବା ପ୍ରଧାନ ବିଚାରପତି କହିଛନ୍ତି। ଦିଲ୍ଲୀ ସରକାରଙ୍କ ହାପିନେସ ପାଠ୍ୟକ୍ରମରେ ଧ୍ୟାନ, ନୀତିଶିକ୍ଷା, ରୀତିନୀତି ଓ ପରମ୍ପରା ବାବଦରେ ଶିକ୍ଷା ଦିଆଯାଇଥାଏ। ନର୍ସରୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ପାଠ୍ୟକ୍ରମ ଶିକ୍ଷା ଦିଆଯାଉଛି।
Comments are closed.