ନିର୍ବାଚନ ଲଢିବ ନାହିଁ ହାଫିଜ ସୟିଦ

0

ଇସ୍‍ଲାମାବାଦ : ପାକିସ୍ତାନରେ ଜୁଲାଇ ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରାରୀ ହାଫିଜ୍‍ ସୟିଦ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ; କିନ୍ତୁ ତା’ ନେତୃତ୍ୱାଧୀନ ଆତଙ୍କବାଦୀ ସଂଗଠନ ଜମାତ୍‍-ଉଦ୍‍-ଦାୱା (ଜେୟୁଡି) ଅନ୍ୟ ଏକ ରାଜନୈତିକ ସଂଗଠନ ମାଧ୍ୟମରେ ଉଭୟ ଜାତୀୟ ଏବଂ ପ୍ରାଦେଶିକ ଆସନ ନିମନ୍ତେ ୨୦୦ରୁ ଊର୍ଦ୍ଧ୍ବ ପ୍ରାର୍ଥୀ ଦେବ ବୋଲି କୁହାଯାଉଛି। ଜେୟୁଡିକୁ ବେଆଇନ ଘୋଷିତ କରାଯାଇଥିବାରୁ ଏହା ପ୍ରତ୍ୟକ୍ଷ ଭାବେ ନିର୍ବାଚନରେ ଅଂଶଗ୍ରହଣ କରିପାରିବ ନାହିଁ। ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଶାଖା ସଂଗଠନ ଜେୟୁଡିର ଆତଙ୍କବାଦୀମାନେ ୨୦୦୮ରେ ମୁମ୍ବଇ ଆକ୍ରମଣ ଘଟାଇଥିଲେ। ବେଆଇନ ଘୋଷିତ ହେବା ପରେ ଏହି ସଂଗଠନ ମିଲି ମୁସଲିମ ଲିଗ୍‍ (ଏମ୍‍ଏମ୍‍ଏଲ୍‍) ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲା। କିନ୍ତୁ ଏହି ଦଳ ଏଯାବତ୍‍ ପାକିସ୍ତାନ ନିର୍ବାଚନ କମିସନ (ଇସିପି)ଙ୍କ ନିକଟରେ ପଞ୍ଜିକୃତ ହୋଇ ନ ଥିବା ଜଣାପଡିଛି। ଅନ୍ୟପଟେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଇସିପି ନିକଟରେ ପଞ୍ଜିକୃତ ରାଜନୈତିକ ଦଳ ଆଲ୍ଲା-ଇ-ଆକବର ତେହରିକ୍‍ (ଏଏଟି) ମାଧ୍ୟମରେ ଜେୟୁଡି ନେତାମାନେ ନିର୍ବାଚନ ଲଢିବାକୁ ଯୋଜନା କରିଛନ୍ତି। ମିଳିତ ଭାବେ ପ୍ରାର୍ଥୀ ଦେବା ନିମନ୍ତେ ଏମ୍‍ଏମ୍‍ଏଲ୍‍ ଅଧ୍ୟକ୍ଷ ସୈଫୁଲ୍ଲା ଖାଲିଦ ଏବଂ ଏଏଟି ମୁଖ୍ୟ ଇଶାନ ବରିଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଆସନ ବୁଝାମଣା ଅନୁସାରେ ଏମ୍‍ଏମ୍‍ଏଲ୍‍ ୨୦୦ରୁ ଊର୍ଦ୍ଧ୍ବ ଶିକ୍ଷିତ ପ୍ରାର୍ଥୀ ଦେବ। ଏଏଟିର ନିର୍ବାଚନୀ ଚିହ୍ନ ‘ଚଉକି’ରେ ଏମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଏମ୍‍ଏମ୍‍ଏଲ୍‍ର ମୁଖପାତ୍ର ଅହମ୍ମଦ ନଦିମ ଶନିବାର ପ୍ରକାଶ କରିଛନ୍ତି।

Leave A Reply