ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ ସହ ଅଗ୍ରଗତି ସମ୍ପର୍କରେ ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ସହ ବିଧାୟକଙ୍କ ସମୀକ୍ଷା
ଜୁଲାଇ ସୁଦ୍ଧା ଶେଷ ହେବ ନବନିର୍ମିତ ହାଡ଼ୁଆ ସେଚ ପ୍ରକଳ୍ପର ମୂଳଦୁଆ କାର୍ଯ୍ୟ
ବଡ଼ମ୍ବା : ବହୁ ପ୍ରତିକ୍ଷିତ ନବନିର୍ମିତ ହାଡ଼ୁଆ ମଧ୍ୟମ ସେଚ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଷୟିକ ପ୍ରତିନିଧି ଦଳ ସହିତ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ସମୀକ୍ଷା କରିଛନ୍ତି । ବଡ଼ମ୍ବା ବ୍ଲକ ଖାରୋଡ଼ସ୍ଥିତ ମା ମହାକାଳୀଙ୍କ ପୀଠର ଅନତି ଦୂରରେ ନିର୍ମାଣାଧିନ ଏହି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ମଧ୍ୟ ବିଧାୟକ ଶ୍ରୀ ମିଶ୍ର କ୍ଷେତ୍ର ପରିଦର୍ଶନ ପୂର୍ବକ ଅନୁଧ୍ୟାନ କରିଛନ୍ତି । ୨୦୧୮ ମସିହାରୁ ବଡ଼ମ୍ବା ଏବଂ ନରସିଂହପୁର ଉଭୟ ବ୍ଲକର ସମ୍ପ୍ରସାରିତ ଆୟକଟକୁ ଦୃଷ୍ଟିରେ ରଖି ଜଳସେଚନ ନିମିତ୍ତ ଏହି ବୃହତ ପ୍ରକଳ୍ପର କାର୍ଯ୍ୟାରମ୍ଭ କରାଯାଇଛି । ତେବେ ସଂପୃକ୍ତ ଆୟକଟ ଅଞ୍ଚଳ ପୁନର୍ବାର ସରକାରଙ୍କ ନିଷ୍ପତ୍ତି ଅନୁଯାଇ ମେଗାଲିଫ୍ଟ ଅନ୍ତର୍ଗତ ହେବାରେ ପ୍ରକଳ୍ପ ସମ୍ପନ୍ନ ହେବା ନେଇ ଅନିଶ୍ଚିତତା ଦେଖାଯାଇଥିଲା । ହେଲେ ଜନସାଧାରଣ ବିଶେଷକରି ଅଞ୍ଚଳର କୃଷକଙ୍କ ବୃହତ୍ତ ସ୍ୱାର୍ଥକୁ ପର୍ଯ୍ୟାଲୋଚନା କରି ଜନପ୍ରତିନିଧି ହିସାବରେ ବିଧାୟକଙ୍କ ଉଦ୍ୟମ ଫଳରେ ୨୦୨୧ ମସିହାରେ ସରକାର ଏହାର ପୁନର୍ବିଚାର ପୂର୍ବକ ପରିବର୍ଦ୍ଧିତ ପ୍ରଶାସନିକ ମଞ୍ଜୁରୀ (ରିଭାଇଜ୍ଡ ଆଡମିନଷ୍ଟ୍ରେସନ ଆପ୍ରୁଭାଲ)ପ୍ରଦାନ କରିଥିଲେ। ଯାହାଫଳରେ ଏହି ପ୍ରକଳ୍ପ କାର୍ଯ୍ୟ ଜାରି ରହିବା ନେଇ ଆଶା ସଂଚାର ହୋଇପାରିଥିବା ପ୍ରକାଶ ।
ଇତିମଧ୍ୟରେ ରାଜ୍ୟ ସରକାର ଏହି ପ୍ରକଳ୍ପ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ କରିବା ସହ ଏହାର ବୈଷୟିକ ମଞ୍ଜୁରୀ ଦେଇସାରିଛନ୍ତି । ଫଳସ୍ୱରୁପ ଓଡ଼ିଶା ନିର୍ମାଣ ନିଗମକୁ ଏହି ପ୍ରକଳ୍ପ ନିମିତ ସୁଉଚ୍ଚ ଡ୍ୟାମ(ବନ୍ଧ)ର ମୂଲଦୁଆ ନିର୍ମାଣ କରିବାକୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ପ୍ରକଳ୍ପର ଅନେକ ପାରିପାଶ୍ୱର୍ିକ କାର୍ଯ୍ୟ ସରିଥିବା ବେଳେ ଆସନ୍ତା ଜୁଲାଇମାସ ସୁଦ୍ଧା ଏହାର ମୂଳଦୁଆ କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ମାଣ ନିଗମକୁ ଉଚ୍ଚସ୍ତରୀୟ ବୈଷୟିକ ପ୍ରତିନିଧି ଦଳ ପରାମର୍ଶ ଦେଇଥିବା ବିଧାୟକ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ସମୟରେ ବିଧାୟକଙ୍କ ସହିତ ବ୍ରାହ୍ମଣୀ ବେସିନର ମୁଖ୍ୟଯନ୍ତ୍ରୀ ପ୍ରଭାକର ବେହେରା, ହାଡ଼ୁଆ ସେଚ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ରମେଶ ବେହେରା, ପ୍ରକଳ୍ପର ପରାମର୍ଶ ଦାତା ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବିପିନ କୁମାର ସାହୁଙ୍କ ସହିତ ନିର୍ମାଣ ନିଗମର ବୈଷୟିକ ଦଳ ଉପସ୍ଥିତ ରହି ପ୍ରକଳ୍ପ ସମ୍ପନ୍ନ ହେବା ନେଇ ଆଲୋଚନା ଓ ବିଚାରବିମର୍ଶ କରିଥିଲେ । ବର୍ଷାଋତୁ ପୂର୍ବରୁ ମୂଳଦୁଆ କାର୍ଯ୍ୟ ସମ୍ପନ୍ନ ସହିତ ଡ୍ୟାମର ୬ ଓ ୭ନମ୍ବର ବ୍ଲକ କାର୍ଯ୍ୟ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଧାର୍ଯ୍ୟ ସମସୟସୀମା ମଧ୍ୟରେ ଏହି କାର୍ଯ୍ୟ ସରିଲେ ଆଗାମୀ ଅକ୍ଟୋବର ମାସରୁ ଡ୍ୟାମ(ବନ୍ଧ) କାର୍ଯ୍ୟ ଆରମ୍ଭ ହେବ ବୋଲି ଆଲୋଚନାରେ ନିଷ୍ପତ୍ତି ହୋଇଥିବା ପ୍ରକାଶ। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲା ପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର, ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଦସ୍ୟ ରବିନ୍ଦ୍ରକୁମାର ସାହୁଙ୍କ ସମେତ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
Comments are closed.