ଗୁରୁଡିଝାଟିଆ: ଶାସକ ଦଳର ତୋରଣ ପଡିଯିବା ଫଳରେ ବାଇକରେ ଯାଉଥିବା ଦମ୍ପତି ଆହତ ହେବାକୁ ନେଇ ଗୁରୁଡିଝାଟିଆରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ପ୍ରାୟ ଦିନ ୨ଟା ସମୟରେ ସାଉରିଆ ଗ୍ରାମର ଜୈନିକ ବ୍ୟକ୍ତି ସସ୍ତ୍ରୀକ ଗୁରୁଡିଝାଟିଆ ବଜାର ପାର୍ଶ୍ବରୁ ଯାଉଥିବା ବେଳେ ହଠାତ୍ ମେଡିକାଲ ଛକରେ ଶାସକ ଦଳର ତୋରଣଟି ସେମାନଙ୍କ ଗାଡି ଉପରକୁ ଖସିପଡିଥିଲା। ଏଥିରେ ବାଇକଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦମ୍ପତି ଆହତ ହୋଇଥିଲେ । ଏହାକୁ ନେଇ ସ୍ଥାନୀୟ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଉଚ୍ଚବାଚ୍ଚ ପର୍ଯ୍ୟନ୍ତ ଯାଇଥିଲା। ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁଚନା ପାଇ ଗୁରୁଡିଝାଟିଆ ପୁଲିସ ପହଞ୍ଚିଥିଲେ। ଏ ସଂପର୍କରେ ଗୁରୁଡିଝାଟିଆ ଥାନାରେ କୌଣସି ପ୍ରକାର ଲିଖିତ ଅଭିଯୋଗ ହୋଇନାହିଁ। ଆପୋଷ ମାଧ୍ୟମରେ ସମାଧାନ ହୋଇଥିବା ନେଇ ବିଶେଷ ସୁତ୍ରରୁ ଜଣାପଡ଼ିଛି।



