ମାନବ ସମାଜ ଅଭିବୃଦ୍ଧିରେ ବନ୍ୟପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ମାଧବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱବନ୍ୟପ୍ରାଣୀ ଦିବସ ପାଳିତ
ଗୁରୁଡିଝାଟିଆ: ସୁସ୍ଥ,ସୁନ୍ଦର ଓ ମାନବ ସମାଜର ଅଭିବୃଦ୍ଧି ଦିଗରେ ସନ୍ତୁଳିତ ପରିବେଶ ପ୍ରୟୋଜନ। ମାନବ ସମାଜ ବଞ୍ଚି ରହିବାକୁ ହେଲେ ବନ୍ୟପ୍ରାଣୀଙ୍କ ଜୀବନ ଧାରଣରେ ଅଭିବୃଦ୍ଧି ସଠିକ୍ ଢଙ୍ଗରେ ହେବାର ଆବଶ୍ୟକତା ରହିଛି। ନଚେତ୍ ଜୀବଜଗତ ଧ୍ୱଂସାଭିମୁଖି ଆଡକୁ ଗତି କରିବ ବୋଲି ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ ଉତ୍ସବରେ ଯୋଗଦେଇଥିବା ବକ୍ତାମାନେ କହିଥିଲେ। ସମସ୍ତେ ମିଳିମିଶି ବନ୍ୟପ୍ରାଣୀଙ୍କ ବିକାଶ ଦିଗରେ କାର୍ଯ୍ୟକରିବା ପ୍ରୟୋଜନ ସେମାନେ ପ୍ରକାଶ କରିଥିଲେ।
ମାଧବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ ଉତ୍ସବରେ ଗୋପବନ୍ଧୁ ନର୍ସିଂ କଲେଜର ଅଧ୍ୟକ୍ଷ ନିଧିନ୍ ଏଲିୟାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୈବ ବିବିଧତା, ଖାଦ୍ୟ ଶୃଙ୍ଖଳ ଓ ପରିବେଶର ସନ୍ତୁଳନ ରହିଲେ ବନ୍ୟପ୍ରାଣୀ ସଠିକ୍ ଢଙ୍ଗରେ ରହିବା ସହ ବଂଶବିସ୍ତାର କରିପାରବେ ବୋଲି କହିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ୱେତପଦ୍ମା ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ମାନବ ସମାଜ ତିଷ୍ଠିବା କ୍ଷେତ୍ରରେ ବନ୍ୟପ୍ରାଣୀଙ୍କ ଭୂିମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ମଣିଷ ଭୌତିକ ଭୋଗବିଳାସରେ ମାତି ପରିବେଶର ଦୃତ ଅବକ୍ଷୟ କରିବା ସହ ବନ୍ୟପ୍ରାଣୀଙ୍କୁ ମରଣମୁହଁକୁ ଠେଲି ନିଜ ପାଇଁ ମହା ବିପଦ ଆଣିଦେଉଛି ବୋଲି କହିଥିଲେ। ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ଗୋପବନ୍ଧୁ ନର୍ସିଂ କଲେଜର ଶିକ୍ଷୟିତ୍ରୀ ମଧୁସ୍ମୀତା ରାଉତ, ଇତିଶ୍ରୀ ଜେନା, ଜ୍ୟୋତିର୍ମୟୀ ପାତ୍ର, ଶୁଭଶ୍ରୀ ଶତପଥି, ଜୟଶ୍ରୀ ବେହେରା, ସୁନିତା ପଣ୍ଡା, ବିକ୍ରମ କେଶରୀ ରାଉତ, ସୁବ୍ରତ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ବିଶଦ ଭାବରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂପର୍କିତ ଏକ ଜଣାଅଜଣା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସବିତା ଘଡେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଗିତାଞ୍ଜଳୀ ନନ୍ଦ ଧନ୍ୟବାନ କରିଥିଲେ।
Comments are closed.