ଗୁଜରାଟ ଝୁଲା ସେତୁ ଛିଣ୍ଡିବା ଘଟଣା; ଘଟଣାସ୍ଥଳ ବୁଲିଲେ, ପୀଡ଼ିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ମୋର୍ବି: ଗୁଜରାଟ ମୋର୍ବି ଜିଲା ମାଚ୍ଛୁ ନଦୀ ଉପରେ ନିର୍ମିତ ଝୁଲା ସେତୁ ଛଣ୍ଡିବା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି। ଏହା ସହିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୀଡିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ମଙ୍ଗଳବାର ଅପରାହ୍ଣ ୪ଟାରେ ପ୍ରଧାନମନ୍ତ୍ରୀ ପ୍ରଥମେ ଅଘଟଣ ଘଟିଥିବା ସ୍ଥାନକୁ ଆକାଶ ମାର୍ଗରୁ ଦେଖିଥିଲେ। ପରେ ସେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏଠାରେ ଚାଲିଥିବା ଉଦ୍ଧାର ଓ ରିଲିଫ କାର୍ଯ୍ୟର ସମୀକ୍ଷା କରିଥିଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସହିତ ମଧ୍ୟ ସେ କଥା ହୋଇଥିଲେ। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାୟ ୧୦୦ରୁ ଅଧିକ ଲୋକ ନିଖୋଜ ଥିବାବେଳେ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋର୍ବି ପୌର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଏଠାରେ ସେ କିଛି ମୃତକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଥିଲେ।
ପରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଥିଲେ। ଅଘଟଣରେ କ୍ଷତିଗ୍ରସ୍ତ ସମସ୍ତ ପରିବାରକୁ ସହାୟତା ନିଶ୍ଚିତ ଯୋଗାଇ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଏହା ସହିତ ଘଟଣାର ସବିଶେଷ ଓ ବ୍ୟାପକ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ତଦନ୍ତରେ ସମସ୍ତ ଦିଗକୁ ସାମିଲ ପୂର୍ବକ ଦୋଷୀଙ୍କୁ ଚିହ୍ନଟ କରାଯିବ। ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି, ମୁଖ୍ୟ ସଚିବ, ପୁଲିସ ମହାନିର୍ଦେଶକ, ଜିଲାପାଳ, ଏସପି, ବିଧାୟକ, ସାଂସଦ ପ୍ରମୁଖ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ।
ମୋର୍ବି ଝୁଲା ସେତୁ ଛିଣ୍ଡିବା ଜନିତ ଅଘଟଣର ବିଚାର ବିଭାଗୀୟ ତଦନ୍ତ ଦାବି କରି ରୁଜୁ ଜନସ୍ବାର୍ଥ ମାମଲା (ପିଆଇଏ) ଉପରେ ସୁପ୍ରିମକୋର୍ଟ ନଭେମ୍ବର ୧୪ରେ ଶୁଣାଣି କରିବେ। ପ୍ରଧାନ ବିଚାରପତି ୟୁୟୁ ଲଲିତ, ବିଚାରପତି ବେଲା ଏମ୍ ତ୍ରିବେଦୀଙ୍କୁ ନେଇ ଗଠିତ ପୀଠ ଆବେଦନର ଶୁଣାଣି କରିବେ। ଓକିଲ ବିଶାଲ ତିୱାରୀ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ପିଆଇଏଲ୍ରେ ଘଟଣାର ତଦନ୍ତ ନିମନ୍ତେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ କମିସନ ଗଠନ କରିବାକୁ ଦାବି ହୋଇଛି। ଅନ୍ୟପଟେ ଏହି ସେତୁ ଛିଣ୍ଡିବା ଘଟଣା ପଛରେ ଦୁର୍ନୀତିର ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଘଟଣା ପାଇଁ ଗୁଜରାଟ ସରକାର ନିଜକୁ ଦାୟୀ ପୂର୍ବକ ଇସ୍ତଫା ଦେବା ଦରକାର। କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଇସ୍ତଫା ଦାବି କରିଛନ୍ତି।
ସେତୁ ଭାଙ୍ଗିବା ପରେ ସୋମବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୁର ଓ ଦିଗବିଜୟ ସିଂହ ପ୍ରମୁଖ ମୋର୍ବି ଜିଲା ଗସ୍ତ କରିଥିଲେ। ଝୁଲା ସେତୁ ଛିଣ୍ଡିବା ଜନିତ ହୋଇଥିବା ଜୀବନ ହାନି ପାଇଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହି ଘଟଣା ପାଇଁ ରାଷ୍ଟ୍ରପତି ଜିନପିଙ୍ଗ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ବାର୍ତ୍ତା ପଠାଇଛନ୍ତି। ଏହା ପୂର୍ବରୁ ଅନ୍ୟ ରାଷ୍ଟ୍ରର ସରକାର ଏହି ଘଟଣାରେ ସମବେଦନା ଜଣାଇଥିଲେ। ସୂଚନାଯୋଗ୍ୟ ରବିବାର ସନ୍ଧ୍ୟାରେ ଝୁଲା ସେତୁଟି ଛିଣ୍ଡି ପଡିବାରୁ ୧୪୧ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁଲିସ ୯ଜଣଙ୍କୁ ଗିରଫ କରିଛି।
Comments are closed.