ସମୁଦ୍ରକୁ ବହିଯାଉଛି ୫୪ ପ୍ରତିଶତ ପାଣି
କମୁଛି ଭୂତଳ ଜଳ
ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି ଭୂତଳ ଜଳସ୍ତର। ଅଣମୌସୁମୀ ସମୟରେ ଜଳାଭାବ ଦେଖାଦେଉଥିବାବେଳେ ଗ୍ରୀଷ୍ମ ଋତୁରେ ଜଳସଂକଟ ଉତ୍କଟ ହେଉଥିବା ପରିଲକ୍ଷିତ ହେଉଛି। କୃଷି, ଶିଳ୍ପ ପ୍ରଭାବିତ ହେବାକୁ ଥିବାବେଳେ ଲୋକଙ୍କୁ ପାନୀୟ ଜଳ ଚିନ୍ତା ଘାରିଛି। ପାହାଡ଼ିଆ ତଥା ଢିପ ଅଞ୍ଚଳରେ ଭୂତଳ ଜଳସ୍ତର ସାଧାରଣତଃ ନିମ୍ନଗାମୀ ରହିଥାଏ, ଯାହା ଖରାଦିନେ ଶୁଷ୍କ ହୋଇଯାଏ। ଅଣମୌସୁମି ସମୟରେ ନଦୀରେ ଜଳପ୍ରବାହ ହ୍ରାସ ପାଇଥାଏ। ବିଶେଷ କରି ଖରାଦିନେ ନଦୀରେ ଜଳପ୍ରବାହ କମିଯାଉଥିବାରୁ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଭୂତଳ ଜଳସ୍ତର ହ୍ରାସ ଯୋଗୁ ଅନେକ ସ୍ଥାନରେ ନଳକୂପ ଶୁଖିଯାଉଛି, ଯାହା ଚିନ୍ତାର କାରଣ ହୋଇଛି। କେନ୍ଦ୍ରୀୟ ଭୂତଳ ଜଳବୋର୍ଡ଼ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୦ ପ୍ରତିଶତ ଲୋକ କୃଷି ପାଇଁ ଭୂତଳ ଜଳ ଉପରେ ନିର୍ଭର କରୁଛନ୍ତି। ଅନେକ ସ୍ଥାନରେ ପାନୀୟ ଜଳ ପାଇଁ ଲୋକେ ଭୂତଳ ଜଳ ଉପରେ ନିର୍ଭର କରୁଛନ୍ତି। ତା’ଛଡା ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ସହ ଶିଳ୍ପାୟନ ଯୋଗୁ ଭୂତଳ ଜଳର ଆବଶ୍ୟକତା ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ରାଜ୍ୟର ୭୫ ପ୍ରତିଶତ ଅଞ୍ଚଳ ପାହାଡ଼ିଆ ତଥା ଢିପାଞ୍ଚଳ ହୋଇଥିବାରୁ ସେସବୁ ଅଞ୍ଚଳରେ ଭୂତଳ ଜଳସ୍ତର ନିମ୍ନଗାମୀ ରହୁଛି। ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୬ଟି ବ୍ଲକରେ ଭୂତଳ ଜଳସ୍ତର ହ୍ରାସ ଯୋଗୁ ଜଳ ସଂକଟ ଦେଖାଯାଇଛି। ସେସବୁ ଅଞ୍ଚଳରେ ୭୦ ପ୍ରତିଶତରୁ ଅଧିକ ଭୂତଳ ଜଳ ବ୍ୟବହାର ହେଉଛି। ସେହିପରି ୪୬ଟି ବ୍ଲକରେ ୬୦ ରୁ ୭୦ ପ୍ରତିଶତ ଜଳ ଉଠାଣ ହେଉଥିବା ଜଣାପଡ଼ିଛି। ମନଇଛା ଭୂତଳ ଜଳଉଠାଣ ହେଉଥିବାବେଳେ ବର୍ଷକୁ ବର୍ଷ ଏହା ବୃଦ୍ଧି ପାଉଛି। ୨୦୧୭ରେ ୪୨.୧୮ ପ୍ରତିଶତ ଭୂତଳ ଜଳ ଉଠାଣ ହୋଇଥିବାବେଳେ ୨୦୨୦ରେ ୪୩.୨୦ ପ୍ରତିଶତ ହୋଇଥିଲା। ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବିଶେଷ ପଦକ୍ଷେପ ନିଆଯାଉ ନାହିଁ। ଭୂପୃଷ୍ଠ ଜଳ ସଂରକ୍ଷଣ ମଧ୍ୟ କରାଯାଇପାରୁ ନାହିଁ। ରାଜ୍ୟରେ ନଦୀଜଳର ୫୪ ପ୍ରତିଶତ ସମୁଦ୍ରକୁ ଚାଲିଯାଉଛି। ଅଣମୌସୁମି ସମୟରେ ନଦୀଗୁଡିକରେ ଜଳପ୍ରବାହ ହ୍ରାସ ପାଉଛି। ରାଜ୍ୟରେ ଏବେ ନଦୀଗୁଡ଼ିକରେ ୩୭,୫୫୬ ବିଲିଅନ ଘନ ମିଟର ଜଳ ପ୍ରବାହିତ ହେଉଛି।
ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୫୧ ବେଳକୁ ଏହା ୨୩,୨୭୨ ବିଲିଅନ ଘନ ମିଟରକୁ ହ୍ରାସ ପାଇବ। ବର୍ତ୍ତମାନ ଜଳର ଆବଶ୍ୟକତା ୫୫ ବିଲିଅନ ଘନ ମିଟର ଥିବାବେଳେ ୨୦୫୧ ସୁଦ୍ଧା ୮୫ ବିଲିଅନ ଘନମିଟର ହେବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଆଗାମୀ ଦିନରେ ସଂକଟ ଦେଖାଯାଇପାରେ। ବର୍ଷାଜଳ ନଦୀ ଦେଇ ସମୁଦ୍ରକୁ ବହିଯାଉଛି।
ନଦୀଜଳ ସଂରକ୍ଷଣ ହେଉ ନ ଥିବାରୁ ଉପକୂଳ ଅଞ୍ଚଳରେ ମଧ୍ୟ ଖରାଦିନେ ଭୂତଳ ଜଳ ସମସ୍ୟା ଦେଖାଦେଉଛି। ରାଜ୍ୟର ଝାରସୁଗୁଡା, କେନ୍ଦୁଝର, ନୂଆପଡା, ରାୟଗଡା, ବଲାଙ୍ଗୀର, ପୁରୀ, ମୟୂରଭଞ୍ଜ, କଟକ ଆଦି ଜିଲାର ଭୂତଳ ଜଳର ଅଭାବ ପରିଲକ୍ଷିତ ହେଉଛି। ସେସବୁ ଅଞ୍ଚଳରେ ଟାଙ୍କି ଯୋଗେ ଜଳଯୋଗାଣ କରିବାକୁ ପଦକ୍ଷେପ ନିଆଯାଉଛି। ନଦୀଜଳ ସଂରକ୍ଷଣ କରା ନ ଗଲେ ଆଗକୁ ଭୂତଳ ଜଳ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ବିଶେଷ କରି ଗ୍ରାମାଞ୍ଚଳରେ ନଳକୂପ ଶୁଖିଯିବା କିମ୍ବା ଅନ୍ୟାନ୍ୟ କାରଣରୁ ଜଳ ଉପଲବ୍ଧ ହେଉ ନ ଥିବା ଅଞ୍ଚଳରେ ଟାଙ୍କି ଯୋଗେ ଜଳ ଯୋଗାଣ କରାଯାଉଛି ବୋଲି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାର ସର୍ବୋଚ୍ଚ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଭୂତଳ ଜଳ ଉଠାଣ ବୃଦ୍ଧି ପାଇଥିଲେ ବି ସ୍ଥିତି ଭଲ ଥିବା ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି।
ଶ୍ରୀମତୀ ସାହୁଙ୍କ ସୂଚନା ଅନୁଯାୟୀ ୨୦୨୦ରେ ବ୍ୟବହାରଯୋଗ୍ୟ ଭୂତଳ ଜଳ ୧୫.୭୨ ବିଲିଅନ ଘନମିଟର ଉପଲବ୍ଧ ଥିବାବେଳେ ୬.୮୬ ବିଲିଅନ ଘନମିଟର ଉଠାଣ ହୋଇଥିଲା। ୨୦୨୨ରେ ୧୬.୩୪ ବିଲିଅନ ଘନମିଟର ଭୂତଳ ଜଳରୁ ୭.୨୩ ବିଲିଅନ ଘନମିଟର ଭୂତଳ ଜଳ ବ୍ୟବାହାର କରାଯାଇଛି। ଜଳ ସଂରକ୍ଷଣ ପାଇଁ ନଦୀଗର୍ଭ ଜଳାଶୟ କରାଯାଉଥିବା ସେ ସୂଚନା ଦେଇଛନ୍ତି।
Comments are closed.