ଓଡ଼ିଶା ପାଇବ ସବୁଜ ପରିବେଶ ପରିଚାଳନା ସହାୟତା

0

ଭୁବନେଶ୍ୱର: ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସବୁଜ ପରିବେଶ ପରିଚାଳନା ପାଇଁ ଆର୍ଥିକ ସହାୟତା ପାଇବ। ଜାତିସଂଘର ଜଳବାୟୁ ପରିବର୍ତ୍ତନ ରାଜିନାମା ଆଧାରରେ ନାବାର୍ଡ ପକ୍ଷରୁ ଏହି ସହାୟତା ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ମୋଟ ୧,୦୯୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ଓଡ଼ିଶାକୁ ମିଳିବ ୨୨୬ କୋଟି ଟଙ୍କା। ଏହାବାଦ୍‍ ବିଶ୍ୱବ୍ୟାଙ୍କ ତରଫରୁ ପାଣ୍ଠି ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ଅଧୀନରେ ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ୍‍, ରାୟଗଡ଼ା, ଗଜପତି, ମାଲକାନଗିରି, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, ନବରଙ୍ଗପୁର, ମୟୂରଭଞ୍ଜ ଓ କେଉଁଝର ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଭୂତଳ ଜଳ ସ୍ଥିତି ପରୀକ୍ଷା ସହିତ ସୌରଶକ୍ତି ସହାୟତାରେ ଜଳସେଚନ, ଅବକ୍ଷୟମୁଖୀ ଜନଜାତିଙ୍କ ବିକାଶ ଆଦିକୁ ପ୍ରାଥମିକତା ଦିଆଯିବ। ଏହାଦ୍ୱାରା ୧୫ ଲକ୍ଷ ପରିବାର ଉପକୃତ ହେବେ ବୋଲି କୁହାଯାଉଛି। ୨୦୨୧ ସୁଦ୍ଧା ସମାପ୍ତ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହିତ ଖୁବ୍‍ ଶୀଘ୍ର ରାଜିନାମା ସ୍ୱାକ୍ଷରିତ ହେବ ବୋଲି ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ କେ ସି ପାଣିଗ୍ରାହୀ କହିଛନ୍ତି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ଜଳସମ୍ପଦ, ଅକ୍ଷୟ ଶକ୍ତି ବିକାଶ ସଂଗଠନ, ଭାରତୀୟ ଜଳ ପରିଚାଳନା ଅନୁଷ୍ଠାନ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

Leave A Reply