ଝାଟିପଦରରେ ଜୁଆ ଆଡ୍ଡା ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ
ଚଢ଼ାଉବେଳେ ପୁଲିସକୁ ଠେଙ୍ଗାରେ ଆକ୍ରମଣ କଲେ ଅଭିଯୁକ୍ତ
ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଝାଟି ପଦର ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ଜୁଆ ଆଡ୍ଡାରେ ପୁଲିସର ଚଡ଼ାଉ ସହ ଲକ୍ଷାଧିକ ଟଙ୍କା ଜବତ କରିଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଦ୍ରପ୍ରଦେଶ ରାଜ୍ୟର ଶ୍ରୀକାକଲମ ଜିଲା ଇଚ୍ଛାପୁର ଥାନା ଅଧିନସ୍ଥ ପି. ପ୍ରସାଦ ରାଓ (୩୬), କେ.ଭିଗେନେସ ରେଡି (୩୦) ଓ ଝାଟିପଦର ଗ୍ରାମର ପି.ମୋହନ ରେଡି (୩୦) ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ୧ ଲକ୍ଷ ୪୪ ହଜାର ୫୭୦ ଟଙ୍କା ସହ ଚାରୋଟି ମୋଟରସାଇକେଲ ଓ ତାସ ସାମଗ୍ରୀ ଜବତ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି l
ଏହି ଥାନା ଅଧିନସ୍ଥ ଝାଟିପଦର ଗ୍ରାମ ନିକଟରେ ଥିବା ଜଙ୍ଗଲର କିଆଁ ବାଡ଼ରେ ଦୀର୍ଘ ଦିନ ଧରି ଜୁଆ ଆଡ୍ଡା ଚାଲୁରହିଥିଲା। ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଚଢ଼ାଉ ନେଇ ଅନେକ ବାର ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସୂତ୍ରରୁ ଜୁଆଡିମାନେ ଖବର ପାଇ ପୁଲିସ ପହଞ୍ଚିବା ପୂର୍ବରୁ ଖସି ଯିବାକୁ ସକ୍ଷମ ହେଉଥିଲେ। ଥାନା ଆଇଆଇସି ବିବେକାନନ୍ଦ ମହନ୍ତଙ୍କ ପକ୍ଷରୁ ଆଜି ଅପରାହ୍ନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସତର୍କତାର ସହ ଜୁଆ ଖେଳ ଚାଲିଥିବା ସ୍ଥାନରେ ଚାରିଆଡ଼େ ଘେରିଯାଇ ଜୁଆ ଆଡ୍ଡା ଉପରେ ଚଡାଉ କରିଥିଲେ।
ଚଢ଼ାଉ ବେଳେ ହଠାତ କିଛି ଜୁଆଡି ପୁଲିସ ଗାଳି ଗୁଲଜ କରିବା ସହିତ ପୁଲିସକୁ ଆକ୍ରମଣ କରିଥିଲେ। ସେମାନେ ପୁଲିସକୁ ଠେଙ୍ଗାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ସେଠାରୁ ୩ଜଣଙ୍କୁ କାବୁ କରିବାର ସକ୍ଷମ ହୋଇଥିଲେ। ଘଟଣା ନେଇ ଥାନାରେ ୨୬୦/୩୦ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ପୁଲିସକୁ ହତ୍ୟା ଉଦ୍ୟମ କରିଥିବା ନେଇ ମଧ୍ୟ ମାମଲାରେ ଦର୍ଶାଯାଇଛି। ଅଭିଯୁକ୍ତ ପ୍ରସାଦ, ଭିଗେନେସ ଓ ମୋହନଙ୍କୁ ଆଜି ସନ୍ଧ୍ୟାରେ ପୁଲିସ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବେଳେ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ପୁଲିସ ସୂଚନା ଦେଇଛି।
Comments are closed.