ଦେବକୁଣ୍ଡରେ ବୁଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ଗୋପାଳପୁର: ମୟୁରଭଞ୍ଜ ଜିଲା ଉଦଳା ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ବୁଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର ଲିପେନ କୁମାର ସାହୁ (୨୩)। ମୃତ ଲିପେନ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର। କରୋନା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଘରେ କେବଳ ମା’ ଥିଲେ। ପୁଅକୁ ନେଇ ମା ଅନେକ ସ୍ବପ୍ନ ଦେଖିଥିଲେ। କିନ୍ତୁ ତାହା ନିମିଶେକ ମଧ୍ୟରେ ମିଳେଇ ଯାଇଛି। ଲିପେନଙ୍କ ପରଲୋକରେ ଗୋଳନ୍ଥରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଅଞ୍ଚଳର ଜଣେ ମେଧାବୀ ଛାତ୍ର ଥିଲେ ଲିପେନ।

ପୁଅର ମୃତ୍ୟୁ ଖବର ପାଇ ମା’ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି ଓ ବାରମ୍ବାର ଚେତାଶୂନ୍ୟ ହୋଇ ପଡିଛନ୍ତି। ଖବର ପାଇ ପରିବାର ଲୋକେ ବାରିପଦାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପରେ ଆଜି ସନ୍ଧ୍ୟାରେ ଫେରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶ୍ମାନରେ ଲିପେନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

prayash

ଲିପେନ୍ ୭ଜଣ ସାଙ୍ଗଙ୍କ ସହିତ ଦେବକୁଳ ବୁଲିବାକୁ ଯାଇଥିଲେ। ଏକ ଦେବୀମନ୍ଦିର ପାଦଦେଶରେ ଥିବା ଝରଣାର ମୁଖ୍ୟକୁଣ୍ଡ ନିକଟରେ ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏ ନେଇ ଉଦଳା ଥନାରେ ୩୬|୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଉକ୍ତ କୁଣ୍ଡରେ ପୂର୍ବରୁ ଏକାଧିକ ଦୁର୍ଘଟଣା ଘଟିଥିବାରୁ ପ୍ରଶାସନ ପକ୍ଷରୁ ସେଠାରେ ଗାଧୋଇବାକୁ ବାରଣ କରାଯାଇଛି।

ଏହି ଅଞ୍ଚଳଟି ଡୁକୁରା ବନବିଭାଗ ଅଧୀନରେ ଆସୁଥିବା ବେଳେ କୁଣ୍ଡ ନିକଟରେ କୌଣସି ଅଘଟଣ ରୋକିବା ଓ ଗାଧୋଇବାକୁ ବାରଣ କରିବା ପାଇଁ ବନ କର୍ମଚାରୀ ନିୟୋଜିତ ଥିବା ବେଳେ କେମିତି ଦୁର୍ଘଟଣା ଘଟିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ତେବେ ଗାଧୋଇବା ଅଭିଯୋଗକୁ ଖଣ୍ଡନ କରିବା ସହ ଛାତ୍ରମାନେ କୁଣ୍ଡ ନିକଟରେ ବସି ଧୁଆଧୋଇ ହେଉଥିଲେ ବୋଲି କହିଛନ୍ତି। ଏମିତି ଅଚାନକ ଅକାଳରେ ଚାଲିଯିବାରେ ପରିବାର ଲୋକେ ସବୁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ ହୋଇ ପଡିଛନ୍ତି।

kalyan agarbati

Comments are closed.