ଗୋପାଳପୁର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଉ ମାତ୍ର ୭ ଦିନ ପରେ ଭୋଟ ଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ମଧ୍ୟରେ ଗାଁ ଗାଁରେ ରାଜନୀତି ଚଳଚଞ୍ଚଳ ହେବା ସହ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି। କିନ୍ତୁ ଭୋଟ ଦାନ ପୂର୍ବରୁ କୈାଣସି ସ୍ଥାନରେ ରାଜନୈତିକ ହିଂସାକୁ ପ୍ରତିହତ କରିବା ପାଇଁ ପୁଲିସ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଆଜି ଅପରାହ୍ନରେ ଗୋପାଳପୁର ଥାନା ଅଧିନସ୍ଥ ଭଞବିହାର ଫାଣ୍ଡିରେ ପହଞ୍ଚି ଫାଣ୍ଡି ଅଧିକାରୀ ଶଙ୍କର ରାଓଙ୍କ ସହ ଅଞ୍ଚଳର ଆଇନ ଶୃଙ୍ଖଳା ନେଇ ଆଲୋଚନା କରିବା ସହ ପେଟ୍ରାଲିଂ ବ୍ୟବସ୍ଥାକୁ କଡାକଡି କରିବା ଏବଂ ରାଜନୈତିକ ଗତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ।
ଏହା ପରେ ଅଧିକ୍ଷକ ନୂଆ ଗୋଳାବନ୍ଧ ଓ ଗୋଳାବନ୍ଧ ଗ୍ରାମ ଗସ୍ତ କରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହ ଗ୍ରାମବାସୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ମୁକ୍ତ, ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ମତଦାନ କରିବାକୁ ନିବେଦନ କରିଥିଲେ। ଏହି ଗସ୍ତ ସମୟରେ ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ ଖମାରୀ, ଏସଆଇ ସୋଫିଆ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।



