ଗୋପ ମାନସରେ ଶ୍ରୀଜଗନ୍ନାଥ

ଦିବ୍ୟ ଚେତନାର ମଣିଷ ଉତ୍କଳମଣି ଗୋପବନ୍ଧୁ ଦାସ। ଜଣେ ଆଧ୍ୟାତ୍ମିକ ଐଶ୍ବର୍ଯ୍ୟର କବି। ଶିବମୟ ଉପାଦାନରେ ଗଢ଼ା ତାଙ୍କ ବିଶ୍ବଦରଦୀ ପ୍ରାଣ। ପିଲାଟି ଦିନରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କର ସେହି ଭାଗବତ ପଢ଼ି ସେ ବୁଝିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ସର୍ବମୟ ଓ ସର୍ବମାନ୍ୟ, ଯେଉଁ ଭାଗବତରେ ଶ୍ରୀକୃଷ୍ଣ ବା ବିଷ୍ଣୁଙ୍କର ପର୍ଯ୍ୟାୟବାଚୀ ଭାବରେ ବାରମ୍ବାର ଉଲ୍ଲେଖ ରହିଛି ଶ୍ରୀଜଗନ୍ନାଥଙ୍କ ନାମ। (ନମସ୍ତେ ପ୍ରଭୁ ଜଗନ୍ନାଥ। ଯାର ଶରୀରୁ ଏ ଜଗତ।) ମହାପ୍ରଭୁଙ୍କୁ ଆଶ୍ରା କରି ସେ ଲଭିଥିଲେ ଆଧ୍ୟାତ୍ମିକ ଜୀବନ ଦର୍ଶନ ଓ ନିଷ୍କାମ କର୍ମଯୋଗର ଉଦ୍ଦୀପନା। ପୁଣ୍ୟ ନୀଳାଚଳର ଘଣ୍ଟା ଧ୍ବନି ତାଙ୍କୁ ଶୁଣେଇଥିଲା ସେବା ଓ ତ୍ୟାଗର ମନ୍ତ୍ର। ମହାପ୍ରଭୁଙ୍କ ବଡ଼ଦାଣ୍ଡରୁ ହିଁ ଆରମ୍ଭ ହୋଇଥିଲା ଆଦର୍ଶ ପୁରୁଷଙ୍କ ଆଦର୍ଶ କର୍ମସୂଚୀ। ପୁରୀ ଜିଲା ସ୍କୁଲର ଛାତ୍ର ଥିବାବେଳେ ତାଙ୍କ କୋମଳ ପ୍ରାଣକୁ ଉଦ୍‌ବେଳିତ କରିଥିଲା ହଇଜା ଆକ୍ରାନ୍ତ ପୁରୀ ସହରର କରୁଣ ଦୃଶ୍ୟ। ରଥଯାତ୍ରା ସମୟରେ ହଇଜା ବ୍ୟାପିବା କାରଣରୁ ପୁରୀର ରାସ୍ତାଘାଟରେ ମରି ଶୋଇଲେ ଶହଶହ ଯାତ୍ରୀ। ସେତେବେଳେ ପୀଡିତଙ୍କ ଚିକିତ୍ସା ପାଇଁ ନା ଥିଲେ ସ୍ବତନ୍ତ୍ର ଡାକ୍ତରୀ ଦଳ, ନା ଥିଲା ଶବ ସଂସ୍କାର ପାଇଁ ପ୍ରଶାସନିକ ତତ୍ପରତା। ଏଭଳି ଏକ ଉଦ୍‌ବେଗଜନକ ସ୍ଥିତିରେ ସାଙ୍ଗସାଥୀଙ୍କୁ ଏକାଠି କରି ଗୋପବନ୍ଧୁ ଗଢିଲେ ‘ପୁରୀ ସେବା ସମିତି’ ନାମରେ ଏକ ସ୍ବେଚ୍ଛାସେବୀ ସଂଗଠନ। ‘ମାନବ ସେବା ହିଁ ମାଧବ ସେବା’- ଏହି ମନ୍ତ୍ରରେ ସମସ୍ତଙ୍କୁ ଅଭିମନ୍ତ୍ରିତ କରି ସେ ଲାଗିପଡ଼ିଲେ ରୋଗୀସେବା ଓ ଶବ ସଂସ୍କାର କାର୍ଯ୍ୟରେ।
ଆଧ୍ୟାତ୍ମିକ ଜୀବନର ମୌଳିକ ପ୍ରତିକ୍ରିୟା ହେଉଛି ମୈତ୍ରୀ ଭାବନା। ବିଶ୍ବର ସମସ୍ତଙ୍କ ସହିତ ଘନିଷ୍ଠ ଆତ୍ମୀୟତା ପ୍ରତିଷ୍ଠା କରିବା ହେଉଛି ମୈତ୍ରୀ ସାଧନା। ଅନ୍ୟର ଦୁଃଖକୁ ନିଜର ଦୁଃଖ ଭଳି ଅନୁଭବ କରିବାର ନାମ କରୁଣା। ଅନ୍ୟ ଦୁଃଖରେ ବିଗଳିତ ହୋଇ ଅନନ୍ତ ସମ୍ବେଦନଶୀଳତା ସହକାରେ ନିଜର ସୁଖ ସମ୍ଭାରକୁ ଜଳାଞ୍ଜଳି ଦେବାର ନାମ ହେଉଛି କରୁଣା ସାଧନା। ଜଗତର ନାଥ ଜଗନ୍ନାଥ ଯେଉଁ ମୈତ୍ରୀ ଓ କରୁଣା ସାଧନାର ପ୍ରତୀକ, ତାର ବାହକ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ। ଜଗନ୍ନାଥ ଦର୍ଶନ କହେ ସେବା କିଛି ସଂକୀର୍ଣ୍ଣତା ବା ହୀନମନ୍ୟତା ନୁହେଁ, ଏହା ଦୁଃଖୀ ମଣିଷ ମୁହଁରେ ଚେନାଏ ହସ ଫୁଟେଇବାର ଏକ ନିଃସ୍ବାର୍ଥ ଉପକ୍ରମ। ଉତ୍କଳମଣି ଗୋପବନ୍ଧୁ ଥିଲେ ସେହି ସମ୍ବେଦନଶୀଳତାର ପ୍ରତୀକ।
ଦୀର୍ଘ ଅଠର ବର୍ଷ ଧରି ତାଙ୍କ ସାଙ୍ଗରେ ରହି ଆସିଥିବା ସେବାକାରୀ ରାମଚନ୍ଦ୍ର ବାରିକଙ୍କ ଭାଷାରେ-‘ସବୁବେଳେ ସେ ବ୍ୟାକୁଳ ହେଉଥିଲେ ଲୋକଙ୍କ ପାଇଁ। ବେଶି କାଳ ଚିନ୍ତାର ମୂର୍ତ୍ତି, ଆଉ ଲୁହ ବହିଯାଉଥିବା କରୁଣାର। ତାଙ୍କ ଭଙ୍ଗୀରେ ଖୁସି ହେଲା ଭଳି ଛବି କ୍ବଚିତ୍ ଦେଖିବାକୁ ମିଳେ। ଲୋକଙ୍କ ଦୁରବସ୍ଥା ଦେଖିବାକୁ କେଉଁ ଆଡ଼କୁ ଗଲେ ସେଠାରୁ ଫେରି ବହୁତ ଦିନ ପର୍ଯ୍ୟନ୍ତ ଚିନ୍ତିତ ଦେଖାଯାଆନ୍ତି।’
ନିଜର ବ୍ୟକ୍ତିଗତ ସୁଖଦୁଃଖ, ହାନିଲାଭ, ଭୋଗପ୍ରାଚୁର୍ଯ୍ୟ ଓ ସ୍ବାର୍ଥର ଗଣ୍ଡି ଭିତରୁ ବାହାରି ପରର ଉପକାର କରିବା ଭାବଟି ହିଁ ଜଗନ୍ନାଥ ଚେତନାର ମୌଳିକ ବିଭବ। ସାମ୍ୟ, ମୈତ୍ରୀ, ସ୍ନେହ, ପ୍ରେମ ଓ କରୁଣାର ସ୍ପନ୍ଦନ। ସେହି ସ୍ପନ୍ଦନ ଗୋପବନ୍ଧୁଙ୍କୁ ନେଇ ପହଞ୍ଚେଇ ଦେଲା ବିଶାଳ ସଂସାରର ବିସ୍ତୃତ ପଥରେ। ସେ ପାଲଟିଗଲେ ସଂସାର ପଥରେ ଜଣେ ଅବିଶ୍ରାନ୍ତ ପଥିକ। କେଉଁଠି ଝଡ଼ବର୍ଷା ହେଲେ ତାଙ୍କ ଦରଦୀ ପ୍ରାଣରେ ଚାପି ହୋଇଯାଏ ଦୁଃଖର ପାହାଡ଼। ଆଖିରୁ ଝରିପଡେ ଟୋପା ଟୋପା ଲୁହ। ରାମଚନ୍ଦ୍ର ବାରିକଙ୍କ ଭାଷାରେ-‘ପର ଗୋଡ଼ରେ କଣ୍ଟାଟିଏ ପଶିଲେ ସତେ ଯେମିତି ତାଙ୍କରି ଗୋଡ଼ରେ ହିଁ ପଶେ। ବାସ୍ତବରେ ଯାହା ହୃଦୟରେ ଦୟା, କରୁଣା, ପ୍ରେମ ଓ ସମ୍ବେଦନାର ସ୍ରୋତ ଅନ୍ତଃସ୍ରୋତା ଫଲ୍‌ଗୁ ପରି ପ୍ରବାହିତ ହୁଏ ସେହି କେବଳ ପୁଅ, ପରୀକ୍ଷା ଓ ପରିବାର ଆଦିକୁ ପରକରି ସହସା ପହଞ୍ଚି ପାରେ ବନ୍ୟା ପ୍ରପୀଡିତଙ୍କ ପାଖରେ? ସେମାନଙ୍କ ଅଶ୍ରୁ ସହିତ ନିଜ ଅଶ୍ରୁ ପ୍ରବାହକୁ ମିଶେଇଦେଇ ଗାଇପାରେ- ‘ପ୍ରେମ ଭାବେ ଯାର ଅନ୍ତରେ ପୂରିତ, ସର୍ବ ପ୍ରାଣୀ ହୃଦ ତା ହୃଦେ ଅଙ୍କିତ।’ ବ୍ରାହ୍ମଣୀ ବଢି ହେଉ କି ପୁରୀ କୁଷ୍ଠାଶ୍ରମ ହେଉ, ଯେଉଁଠି ମାନବୀୟ ଅସହାୟତାର ଚିତ୍ର, ସେଠାରେ ଉଭା ସେବାପ୍ରାଣ ଗୋପବନ୍ଧୁ।
‘ବସୁଧୈବ କୁଟୁମ୍ବକମ୍’ ଭାବନା ହିଁ ଜଗନ୍ନାଥ ଚେତନା। ସେ ଚେତନାର ବିଶ୍ବବ୍ୟାପକତା ମୂଳରେ ରହିଛି ଧର୍ମୀୟ ଉଦାରତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପ୍ରେରଣା, ମୈତ୍ରୀ ଭାବନାର ବିସ୍ତାର, ସଂହତି ପ୍ରତିଷ୍ଠାର ସନ୍ଦେଶ ଓ ଉଦାର ମାନବିକତାର ଗଭୀର ସ୍ପନ୍ଦନ। ଅର୍ଥାତ୍ ସବୁ ଧର୍ମ, ସବୁ ବର୍ଣ୍ଣ, ସବୁ ସଂପ୍ରଦାୟ ଓ ସବୁ ଭାଷାର ଉର୍ଦ୍ଧ୍ବରେ ଶ୍ରୀଜଗନ୍ନାଥ ଦର୍ଶନ ବିଶ୍ବକୁ ପ୍ରଦାନ କରିଛି ଏକତ୍ର ଓ ଅଭିନ୍ନ ରହିବାର ପ୍ରେରଣା। ବଡଦେଉଳର ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ପତାକାର ଏହି ଦିବ୍ୟ ସନ୍ଦେଶକୁ ଗଣ୍ଠିଧନ କରି ଆଗକୁ ବଢିଥିବାରୁ ଅନାବିଳ ବିଶ୍ବପ୍ରୀତିରେ ପରିପୂର୍ଣ୍ଣ ହୋଇଉଠିଥିଲା ଗୋପବନ୍ଧୁଙ୍କ ସ୍ବଚ୍ଛ ଅନ୍ତର। ମାନବାତ୍ମାର ମୁକ୍ତି ନିମନ୍ତେ ତାଙ୍କ ସ୍ବରାଜ୍ୟ ସ୍ବପ୍ନ ବା ଦେଶପ୍ରେମରେ ନଥିଲା ଆବଦ୍ଧ ଜଳାଶୟର କ୍ଷୁଦ୍ରତା। ତାହା ଓଡ଼ିଶା ଓ ପରେ ଭାରତକୁ କେନ୍ଦ୍ରକରି ଲଭିଥିଲା ମହୋଦଧିର ବିସ୍ତୃତି।
ସ୍ବରାଜ୍ୟ ପ୍ରାପ୍ତିର ପଥ ଯେତେ କଣ୍ଟକିତ ହେଲେ ବି କରୁଣାକରଙ୍କ କରୁଣା ବଳରେ ଦିନେ ଫରଫର ହୋଇ ଉଡିବ ସ୍ବରାଜ୍ୟ କେତନ-ଏଇ ବିଶ୍ବାସ ନେଇ ଗାନ୍ଧିଜୀଙ୍କ ପଥ ଅନୁସରଣ କରି ସେ ଲଢୁଥିଲେ ଅହିଂସ୍ର ଲଢେଇ। ଐତିହ୍ୟବାଦୀ ଗୋପବନ୍ଧୁ ଜାଣିଥିଲେ ଜାତୀୟ ଅଭ୍ୟୁତ୍‌ଥାନର ଅସଲ ରହସ୍ୟ ହେଲା ସର୍ବଜୀବେ ବ୍ରହ୍ମଦର୍ଶନ ଓ ଅଖଣ୍ଡ ମାନବ ପ୍ରେମ ଓ ତ୍ୟାଗ।
ବ୍ୟକ୍ତିର ତ୍ୟାଗରେ, ତପସ୍ୟାରେ ଓ ଅଭୀପ୍ସାରେ ସମୃଦ୍ଧ ହୁଏ ଜାତି। ଆତ୍ମତ୍ୟାଗର ଭିତ୍ତି ଉପରେ ଗଢିଉଠେ ଜାତୀୟ ସୌଧ, ଯେମିତି ଧର୍ମପଦର ଆତ୍ମ ବଳିଦାନର ଭିତ୍ତି ଉପରେ ଠିଆ ହୋଇଛି ଜାତିର କୋଣାର୍କ। ଧର୍ମପଦର ଜୀବନାଦର୍ଶ ହିଁ ବିଶ୍ବପ୍ରାଣ ଗୋପବନ୍ଧୁଙ୍କ ସ୍ବରାଜ୍ୟ ସାଧନାର ମନ୍ତ୍ର, ଯାର କାବ୍ୟିକ ଉଚ୍ଚାରଣ ଥିଲା- ‘ମିଶୁମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।’
ଉତ୍କଳର ଜାତୀୟତା ଓ ସଂସ୍କୃତିର ଶିରା ପ୍ରଶିରାରେ ଚିନ୍ମୟ ପୁରୁଷ ଶ୍ରୀଜଗନ୍ନାଥ ବିଦ୍ୟମାନ। ସେ କେବଳ ଓଡ଼ିଆ ଜାତିର ଆରାଧ୍ୟ ଦେବତା ନୁହନ୍ତି, ସେ ଏହି ଜାତିର ସାଂସ୍କୃତିକ, ରାଜନୈତିକ ଓ ଆଧ୍ୟାତ୍ମିକ ଚିନ୍ତନର ସର୍ବମୟ କର୍ତ୍ତା। ଉତ୍କଳର ମାନ ରଖିବାକୁ ସେ କରିପାରନ୍ତି କାଞ୍ଚି ଅଭିଯାନ। ମାଣିକ ପାଟଣା ହିଁ ସାକ୍ଷୀ। ଜନଶ୍ରୁତିରେ ଥିବା ଏ କଥା ଆଉ କାହା ପାଇଁ କିମ୍ବଦନ୍ତୀ ହୋଇପାରେ, ମାତ୍ର ଜଗନ୍ନାଥ ପ୍ରାଣ ଗୋପବନ୍ଧୁଙ୍କ ଦୃଷ୍ଟିରେ ତାହା ଇତିହାସଠାରୁ ବୃହତ୍ତର ସତ୍ୟ। ତା’ର ଐତିହାସିକ ସତ୍ୟତା ପ୍ରମାଣ କରିବାକୁ ଯାଇ ସେ ଲେଖିଛନ୍ତି- ‘ଏବେ ସୁଦ୍ଧା ଦେଖ ନୀଳାଚଳେ ଯାଇ, କଳାଧଳା ଘୋଡ଼ା ପରେ ବେନିଭାଇ, ××××× ଏ ଛବି ତ ନୁହେଁ ଶିଳ୍ପୀର କଳ୍ପନା, ଏ ସତ୍ୟର ସାକ୍ଷୀ ମାଣିକ ପାଟଣା।’ ଯେଉଁ ଜାତି ସ୍ବୟଂ ଜଗତର ନାଥ ଜଗନ୍ନାଥଙ୍କ ବାହୁ ଛାୟା ତଳେ ସୁରକ୍ଷିତ, ସେ ଜାତି ପାଇଁ ପୁଣି ଅନ୍ୟ ନେତାର କି ପ୍ରୟୋଜନ? ତେଣୁ ସେ ସ୍ପଷ୍ଟ ଭାବେ କହିଲେ- ‘ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ।”
କର୍ମ ଓ ଭଗବତ ତନ୍ମୟତା- ପ୍ରଥମଟି ସ୍ଥୂଳ, ଦୃଶ୍ୟ ଓ ବ୍ୟକ୍ତ ହେଲେ ଅପରଟି ସୂକ୍ଷ୍ମ, ଅବ୍ୟକ୍ତ ଓ ଅଦୃଶ୍ୟ ଅଥଚ ଅନୁଭବ୍ୟ। ପ୍ରଥମଟି କ୍ରିୟା ହେଲେ ଅନ୍ୟଟି କ୍ରିୟାର କାରଣ ବା ଉତ୍ସ। ଏ ଉଭୟର ସମନ୍ବୟରେ ପରିପୁଷ୍ଟ ହୋଇଛି ଗୋପବନ୍ଧୁଙ୍କ କର୍ମମୟ ଜୀବନ ଓ ଆଧ୍ୟାତ୍ମିକ ଦର୍ଶନ। ବିଭୁ ପ୍ରେମରେ ନିରନ୍ତର ବିହ୍ବଳ ହୋଇ ସେ କଦାପି ନୈରାଶ୍ୟ, ନୈସ୍ବର୍ଗ ଓ ନୈଶ୍ଚତ୍ୟକୁ ଆଶ୍ରୟ ଦେଇନାହାନ୍ତି, ବରଂ ସଙ୍କଟବେଳେ ବିଶ୍ବବନ୍ଧୁ ଜଗନ୍ନାଥଙ୍କଠାରେ ଆତ୍ମସମର୍ପଣ କରି ପାଇଛନ୍ତି ଅପାର ଶାନ୍ତି ଓ ପ୍ରେରଣା। ତାଙ୍କରି କୃପା ଆଶାରେ କାରାଗାରରେ ଉଦାସ କଣ୍ଠରେ ସେ ଗାଇ ଉଠନ୍ତି-‘ନୀରବ ନିଶ୍ଚଳେ ବସି ବନ୍ଦୀଘରେ, ମାଗେ ଏହି ଭିକ୍ଷା ପ୍ରଭୁ ଶ୍ରୀପୟରେ।’
ଜଗନ୍ନାଥ ଚେତନାର ତଲ୍ଲୀନତା ଯୋଗୁଁ ସେ କେବଳ ନୀଳାଚଳରେ ନୁହେଁ, ଭାରତର ଯେ କୌଣସି ସ୍ଥାନରେ ଅନୁଭବ କରନ୍ତି ଦୁଇ ଚକାଆଖିର ଅଭୟ ମୁଦ୍ରା। ମହାପ୍ରଭୁ ଜଗନ୍ନାଥ ସର୍ବତ୍ର ବିଦ୍ୟମାନ ଥିବାରୁ ତାଙ୍କ ସ୍ପର୍ଶରେ ପବିତ୍ର ହୋଇଛି ଭାରତର ପ୍ରତିଟି ଶିଳା ଓ ଶାଳଗ୍ରାମ। ଏଠି କଳ୍ପବଟରେ ପରିଣତ ହୋଇଯାଇଛି ପ୍ରତିଟି ବୃକ୍ଷ। ତେଣୁ ଓଡ଼ିଶା ଛାଡ଼ି ସୁଦୂର ହଜାରୀବାଗ ଜେଲରେ ରହିଲେ ମଧ୍ୟ ସେଠାରେ ସେ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ଶାନ୍ତି ଅନୁଭବ କରି କହନ୍ତି- ‘ଥିଲେ ଯହିଁ ତହିଁ ଭାରତ ଶୟଳେ, ମଣିବି ମୁଁ ଅଛି ନୀଳଚକ୍ର ତଳେ।’
ବାସ୍ତବରେ ପୁଣ୍ୟଶ୍ଳୋକ ଗୋପବନ୍ଧୁ ଥିଲେ ଜଣେ ଦିବ୍ୟାତ୍ମା। ଓଡ଼ିଆ ଜାତି ପାଇଁ ଏକ ସଂକଳ୍ପସ୍ନାତ ଓ ଉତ୍ସର୍ଗୀକୃତ ପ୍ରାଣସତ୍ତା। ତାଙ୍କୁ ଅନୁସରଣ କରି ଲେଖାଗଲା ଏ ଜାତିର ଇତିହାସ। ସେ ଯେଉଁଠି ପାଦ ଥାପିଲେ ସେଇଠି ତିଆରି ହେଲା ଇତିହାସ ଏବଂ ସେଇଠୁ ଆରମ୍ଭ ହେଲା ଗୋଟେ ନୂଆ ଯୁଗ। ତାଙ୍କୁ ଦେଖିଦେବା ମାତ୍ରେ ଓ ତାଙ୍କ ମୁହଁରୁ ପଦେ କଥା ଶୁଣିବା ମାତ୍ରେ ସହସା ଅପସରି ଯାଉଥିଲା ଓଡ଼ିଆ ପ୍ରାଣର ଦୁଃଖ। ଗୋପୀନାଥ ମହାନ୍ତିଙ୍କ ଭାଷାରେ-‘ତାଙ୍କ ଭାଷା ଭିତରେ ସତେ ଅବା ଥିଲା ମଡାକୁ ଜିଆଁଇବାର ମନ୍ତ୍ର,ପଥର ଫଟାଇବା ମୁଗୁର, ଅନ୍ଧାର କାଟିବା ମଶାଲ। ସେହି ଶକ୍ତି ଆସୁଥିଲା ହୃଦୟ ଭିତରୁ, ତାଙ୍କର ଅସରନ୍ତି ସ୍ନେହ ଭଣ୍ଡାରରୁ ଆଉ ଅଟଳ ଈଶ୍ବର ବିଶ୍ବାସରୁ।’ ପତିତ ଜନର ପରିତ୍ରାତା ପରମ କାରୁଣିକ ଜଗନ୍ନାଥ ପ୍ରେମରେ ବିହ୍ବଳ ନହେଲେ, ନିଜ ଭିତରେ ସର୍ବପ୍ରାଣର ଏକୀଭୂତ ସତ୍ତା ଅନୁଭବ ନ କଲେ କେହି କ’ଣ ଗାଇପାରେ -‘ମୋ ହୃଦୟ ସ୍ବାମୀ ପ୍ରଭୁ ଅନ୍ତର୍ଯ୍ୟାମୀ ଦେଖାଇଛ ଯାହା ଥରେ, ସେ ଅମୃତ ଗତି ଦିଅ ପ୍ରାଣପତି ଜୟ ଜଗଦୀଶ ହରେ।’ ପରମ ଭକ୍ତ ବୋଲି ତ ମହାପ୍ରଭୁ ତାଙ୍କୁ ନିଜ ପାଖକୁ ବାହୁଡ଼ାଇ ନେଲେ ପବିତ୍ର ନେତ୍ରୋତ୍ସବରେ।

prayash

ପ୍ରଫୁଲ୍ଲ କୁମାର ସାହୁ
ବିଜୁପଟ୍ଟନାୟକନଗର, ଭଦ୍ରକ
ଦୂରଭାଷ: ୬୩୭୧୬୪୨୪୬୪

Comments are closed.