ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା: ପୁଲିସର ଛାନଭିନ, କାରଣ ଅସ୍ପଷ୍ଟ

ସମ୍ବଲପୁର: ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ(ଜିଏମୟୁରେ)ର ଟ୍ରଷ୍ଟ ଫଣ୍ଡ ଛାତ୍ରାବାସରେ ରହୁଥିବା ଜଣେ ଛାତ୍ର ଗୁରୁବାର ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ପ୍ରାପ୍ତସୂଚନାନୁଯାୟୀ, ଟ୍ରଷ୍ଟ ଫଣ୍ଡ ଛାତ୍ରାବାସରେ ରହୁଥିବା କଳାହାଣ୍ଡି ଜିଲା ନର୍ଲା ନିବାସୀ ଘନଶ୍ୟାମ କରୁଆଁ (୧୯) ଯୁକ୍ତ ୩ର ବାଣିଜ୍ୟ ବିଭାଗର ଶେଷ ବର୍ଷର ଛାତ୍ର ଥିଲେ। ମୃତ ଛାତ୍ର ମେଧାବୀ ଛାତ୍ର ଥିବା ବେଳେ ଜଣେ ଭଲ କ୍ରୀଡାବିତ ମଧ୍ୟ ଥିଲେ। ଆଜି ସେ ମିଡ ସେମିଷ୍ଟାର ପରୀକ୍ଷା ଦେବା ପରେ ଛାତ୍ରାବାସରେ ଥିବା ତାଙ୍କର କୋଠରୀ ସଂଖ୍ୟା ୩୮କୁ ଆସି କବାଟ ବନ୍ଦ କରି ରହିଥିଲେ। କିଛି ସମୟ ପରେ ସାଥିଛାତ୍ରମାନେ ସେଠାକୁ ଆସି କୋଠରୀ ବନ୍ଦ ଥିବାର ଦେଖିବା ପରେ କବାଟ ବାଡେଇ ଥିଲେ। କିନ୍ତୁ ଦୀର୍ଘ ସମୟ ଧରି କୋଠରୀର କବାଟ ଖୋଲି ନ ଥିବାରୁ ସାଥି ଛାତ୍ରମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ।

prayash

ପୁଲିସ ଘଟଣାସ୍ଥଳକୁ ପହୁଞ୍ଚି କବାଟ ଭାଙ୍ଗି କୋଠରୀକୁ ପ୍ରବେଶ କରିଥିଲା। କୋଠରୀ ମଧ୍ୟରେ ଛାତରେ ଥିବା ଏକ ଲୁହା ହୁକରେ ଏକ ଗାମୁଛା ସାହାଯ୍ୟରେ ଛାତ୍ରଙ୍କ ମୃତଦେହ ଝୁଲି ରହିଥିବାର ପୁଲିସ ଦେଖିବାକୁ ପାଇଥିଲା। ତେବେ ରାତ୍ରି ହୋଇଯାଇଥିବାରୁ ଛାତ୍ରଙ୍କ ମୃତଦେହ ଏବେ ପର୍ଯ୍ୟନ୍ତ ଛାତ୍ରାବାସରେ ରହିଛି। ଏ ସମ୍ପର୍କରେ ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ହରେଶ ଚନ୍ଦ୍ର ପାଣ୍ଡେ କହିଛନ୍ତି ଯେ, ଜିଏମୟୁରେ ଛାତ୍ର ଆତ୍ମହତ୍ୟା କରିଥିବାର ଖବର ପାଇ ଘଟଣାସ୍ଥଳକୁ ଆସି ଆମେ ତଦନ୍ତ ଆରମ୍ଭ କରିଛୁ। ଆସନ୍ତା କାଲି ପରିବାରବର୍ଗ ପହୁଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ। ସାଇନ୍ଟିଫିକ ଦଳ ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ ଆରମ୍ଭ କରି ସାରିଛି। ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡିବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଅଚାନକ ଜଣେ ଛାତ୍ରଙ୍କ ଏଭଳି ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରମାନଙ୍କ ସମେତ ସବୁ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଛାତ୍ର ଜଣକ କ’ଣ ପାଇଁ ଆତ୍ମହତ୍ୟା କଲେ, ତାହାର କାରଣ ଅସ୍ପଷ୍ଟ ରହିଛି।

Comments are closed.