କାଶ୍ମୀର ଯୁବକକୁ ଗାଡି ବନେଟରେ ବାନ୍ଧିଥିବା ସେନା ମେଜର ଗୋଗଇ ଅଟକ ପରେ ମୁକ୍ତ

0

ଶ୍ରୀନଗର : କାଶ୍ମୀରର ଜଣେ ଯୁବକକୁ ସେନା ଗାଡିର ବନେଟ୍‌ରେ ବାନ୍ଧିବା ପୂର୍ବକ ମାନବ ଢାଲର ଉପଯୋଗକୁ ନେଇ ଗତବର୍ଷ ଚର୍ଚ୍ଚାକୁ ଆସିଥିବା ମେଜର ଲିତୁଲ ଗୋଗଇଙ୍କୁ ବୁଧବାର ଜାମ୍ମୁ-କାଶ୍ମୀର ପୁଲିସ ଅଟକ ରଖିବା ପରେ ଛାଡି ଦେଇଛି। କାଶ୍ମୀରର ପଥର ଫିଙ୍ଗାଳୀଙ୍କ କବଳରୁ ମୁକ୍ତି ପାଇଁ ଗୋଗଇଙ୍କ ଏପରି ଅଭିନବ କୌଶଳକୁ ସେନା ପକ୍ଷରୁ ପ୍ରଶଂସା କରାଯାଇ ପୁରସ୍କୃତ କରାଯାଇଥିଲା। ତେବେ ବୁଧବାର ସ୍ଥାନୀୟ ହୋଟେଲ ଗ୍ରାଣ୍ଡ ମମତାରେ ମେଜର ଗୋଗଇ ଓ ତାଙ୍କ ସହିତ ଥିବା ଜଣେ ମହିଳାଙ୍କୁ ପୁଲିସ ଅଟକ ରଖିଥିଲା। ମେଜର ଗୋଗଇ ଓ ଉକ୍ତ ମହିଳା ଜଣଙ୍କ ହୋଟେଲରେ ରହିବା ଲାଗି କୋଠରି ବୁକ୍‌ କରିଥିଲେ ମାତ୍ର ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ଦେବାକୁ ମନା କରିଥିଲେ। ଫଳରେ ହୋଟେଲ କର୍ମଚାରୀଙ୍କ ସହିତ ମେଜର ଗୋଗଇ ଓ ତାଙ୍କ ଗାଡି ଚାଳକଙ୍କର ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ହୋଟେଲ କର୍ତ୍ତୃପକ୍ଷ ପୁଲିସକୁ ଡକାଇଥିଲେ। ପରବର୍ତ୍ତୀ ସମୟରେ ମେଜର ଗୋଗଇ ଓ ମହିଳାଙ୍କ ବୟାନ ପୁଲିସ ରେକର୍ଡ କରି ଛାଡି ଦେଇଥିଲେ। ମେଜର ଗୋଗଇଙ୍କୁ ତାଙ୍କ ସେନା ୟୁନିଟ୍‌କୁ ହସ୍ତାନ୍ତର କରାଯାଇଥିଲା। କାଶ୍ମୀର ରେଞ୍ଜ ଆଇସି ଏସପି ପାଣି ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତେବେ ସେନା ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିବା ଜଣାଇଛି। ଏପରିକି ଏହି ଘଟଣାରେ ମେଜର ଗୋଗଇ କୋର୍ଟ ଅଫ ଇନକ୍ୱାରିର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

Leave A Reply