ଡାକ୍ତରଙ୍କୁ ଗଛରେ ବାନ୍ଧି ପତ୍ନୀ ଓ ଝିଅଙ୍କୁ ବଳାତ୍କାର

0

ଗୟା : ବିହାରର ଗୟା ଜିଲା ଅନ୍ତର୍ଗତ ରାଫିଗଞ୍ଜ-ଗୟା ରାସ୍ତାରେ ଜଣେ ଡାକ୍ତରଙ୍କୁ ଗଛରେ ବାନ୍ଧି ତାଙ୍କ ସମ୍ମୁଖରେ ପତ୍ନୀଙ୍କୁ ବଳାତ୍କାର ସହ ନାବାଳିକା ଝିଅକୁ ଅସଦାଚରଣ କରାଯିବା ଭଳି ଭୟାନକ ଘଟଣା ଘଟିଛି। ପ୍ରାୟ ୧୦ ଜଣ ଅସାମାଜିକ ଲୋକ ଏଥିରେ ସମ୍ପୃକ୍ତ ଥିବା ପୁଲିସ କହିଛି। ସମ୍ପୃକ୍ତ ଡାକ୍ତର ଗୁରାରୁଠାରେ ଚଳାଉଥିବାବେଳେ ନିଜ କ୍ଲିନିକ ବନ୍ଦକରି ଘରକୁ ଫେରୁଥିବାବେଳେ ଏଭଳି ଘଟଣା ଘଟିଥିଲା।
ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ସମ୍ପୃକ୍ତ ଡାକ୍ତର ମୋଟର ସାଇକଲରେ ଉପରୋକ୍ତ ବ୍ୟବସ୍ତବହୁଳ ରାସ୍ତାରେ ପତ୍ନୀ ଓ ଝିଅଙ୍କୁ ଧରି ଯାଉଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ସୋନିଡିହ ଗ୍ରାମ ନିକଟରେ ଅଟକାଇଥିଲେ। ସେମାନେ ଡାକ୍ତର ଓ ତାଙ୍କ ପରିବାରକୁ ନିକଟସ୍ଥ ଏକ ପଡ଼ିଆକୁ ଟେକିନେଇଥିଲେ।
ସେଠାରେ ଡାକ୍ତରଙ୍କ ଗୋଡ଼ ହାତ ବାନ୍ଧି ତାଙ୍କ ସମ୍ମୁଖରେ ୩୫ବର୍ଷୀୟା ପତ୍ନୀଙ୍କୁ ବଳାତ୍କାର କରିଥିଲେ। ପରେ ସେମାନେ ଡାକ୍ତର ଓ ପରିବାରକୁ ସେହିଭଳି ବନ୍ଧା ଥିବା ଅବସ୍ଥାରେ ପଡ଼ିଆରେ ଛାଡ଼ି ଚାଲିଯାଇଥିଲେ। ବଳାତ୍କାର ପୂର୍ବରୁ ଡାକ୍ତର ଓ ତାଙ୍କ ପତ୍ନୀ ପାଖରେ ଥିବା ସୁନା ଓ ଟଙ୍କା ନେଇ ସେମାନଙ୍କୁ ଛାଡ଼ିଦେବା ପାଇଁ ଯେତେ ନେହୁରା ହେଲେ ମଧ୍ୟ ଅଭିଯୁକ୍ତମାନେ କର୍ଣ୍ଣପାତ କରି ନଥିଲେ। ସେମାନେ ଫେରିବାବେଳେ ଦୁଇ ଜଣ ଛାତ୍ରଙ୍କୁ ମାରପିଟ୍‍ କରି ସେମାନଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ୍‍ ଛଡ଼ାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଙ୍କ ଝିଅ ଦୁଇଜଣ ଅଭିଯୁକ୍ତଙ୍କୁ ଫଟୋରୁ ଚିହ୍ନଟ କରିଛନ୍ତି। ସୋନିଡିହ ଓ ଆଖପାଖ ଗାଁରେ ଚଢ଼ଉ କରାଯାଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇପାରି ନାହିଁ।

kalyan agarbati
Leave A Reply