www.samajalive.in
Monday, December 15, 2025
24.1 C
Bhubaneswar

କରୋନା ମୁକାବିଲାରେ ଗଞ୍ଜାମ ମଡ଼େଲ ବିଶ୍ୱ ପ୍ରଶଂସିତ

ଛତ୍ରପୁର : କରୋନା ମୁକାବିଲାରେ ଗଞ୍ଜାମ ମଡେଲ ସମଗ୍ର ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କୋଭିଡ୍ ପରିଚାଳନା ନୋଡାଲ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ ମଙ୍ଗଳବାର ଗଞ୍ଜାମ ଜିଲାର କୋଭିଡ୍ ପରିଚାଳନାଗତ ଉନ୍ନୟନ କାମର ସମୀକ୍ଷା କରିବା ବେଳେ ଏହା କହିଛନ୍ତି। ତାମ୍ପରାଠାରେ ଜିଲାସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଗତ ମାର୍ଚ୍ଚ ମାସଠାରୁ ଏଭଳି ଜଟିଳ ପରିସ୍ଥିତିରେ ଗଞ୍ଜାମ ପ୍ରଶାସନ ନିଜକୁ ସମର୍ପିତ କରି ସାରା ବିଶ୍ୱରେ ଗଞ୍ଜାମ ମଡେଲକୁ ପରିଚିତ କରାଇ ପାରିଛନ୍ତି । ଏଥିପାଇଁ ସମସ୍ତେ ଧନ୍ୟବାଦର ପାତ୍ର ବୋଲି ପ୍ରମୁଖ ସଚିବ କହିଥିଲେ। ଏହି ଦଳରେ ସେ ନିଜେ ସାମିଲ୍ ହୋଇଥିବାରୁ ନିଜକୁ ଗର୍ବ ମନେ କରୁଛନ୍ତି । ଆଗାମୀ ଦିନରେ ଦ୍ବିତୀୟ କିମ୍ବା ତୃତୀୟ ପ୍ରବାହ ସଂକ୍ରମଣର ସମସ୍ତ ବାଧାବିଘ୍ନକୁ ଚ୍ୟାଲେଞ୍ଜର ସହ ପରିଚାଳନା କରିବା ଦିଗରେ ନିଜକୁ ପ୍ରସ୍ତୁତ କରି ରଖିବା ଓ ଏକ ଦଳ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଜଣାଇଥିଲେ । ଜିଲାପାଳଙ୍କ ନେତୃତ୍ୱରେ ଜିଲା ଆଗକୁ ବଡିଛି । ଆଉ ଗଞ୍ଜାମ ଜିଲା ପଛକୁ ଯିବ ନାହିଁ ।


ଜିଲାକୁ ଆସୁଥିବା ପ୍ରବାସୀଙ୍କୁ ନିଜ ସ୍ଥାନରେ କର୍ମସଂସ୍ଥାନ ଯୋଗାଇବା ଦିଗରେ ଅନେକ ଯୋଜନା କରାଯାଇଛି । ଦ୍ୱିତୀୟ ଲହରକୁ ରୋକିବା ଦିଗରେ କି ପ୍ରକାର ରଣକୌଶଳ ଗ୍ରହଣ କରାଯାଇଛି ତାହା ଉପରେ ପ୍ରମୁଖ ସଚିବ ପଚାରି ବୁଝିଥିଲେ । ପ୍ରାରମ୍ଭରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଜଣାଇ ଜିଲାରେ ଆଜି ମାତ୍ର ୭ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ୭୭ ଗୋଟି ଆକ୍ଟିଭ୍ କେଶ୍ ରହିଥିବା ପ୍ରକାଶ କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ଲହରକୁ ରୋକିବା ଲକ୍ଷ୍ୟ ନେଇ କାର୍ଯ୍ୟ ଚାଲିଛି । ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚର ଅଷ୍ଟମ ପର୍ଯ୍ୟ​‌ାୟ କାମ ଶେଷ ହୋଇଛି । ଉକ୍ତ ସର୍ଭେରେ ମାତ୍ର ୩୩ ଜଣ ସାମାନ୍ୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ବୋଲି ଜିଲାପାଳ କହିଛନ୍ତି। ବର୍ତ୍ତମାନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ସିଟି ଚିକିତ୍ସାଳୟରେ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କଠାରେ ପୂର୍ବଭଳି ବିପଦ ନାହିଁ । ଟାଟା କୋଭିଡ୍ ଚିକିତ୍ସାଳୟର ଆବଶ୍ୟକତା ନଥିବାରୁ ଚଳିତ ମାସ ଶେଷ ସୁଦ୍ଧା ତାହାକୁ ବନ୍ଦ କରିବାର ଯୋଜନା ରହିଛି । କେବଳ ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଏବଂ ଅଶ୍ୱିନୀ କୋଭିଡ୍ ଚିକିତ୍ସାଳୟରେ କୋଭିଡ ଚିକିତ୍ସା ଜାରି ରହିବ ବୋଲି ସେ କହିଛନ୍ତି।

- Advertisement -

ଜିଲାମୁଖ୍ୟ ଚିକିତ୍ସାଧିକାରୀ ଉମା ଶଙ୍କର ମିଶ୍ର ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର କୋଭିଡ୍ର ଦ୍ୱିତୀୟ ଲହର ସକାଶେ ସେମାନଙ୍କର ପର୍ଯ୍ୟବେକ୍ଷଣ ଓ ରଣ କୌଶଳ କିଭଳି ହେବା ଆବଶ୍ୟକ ତାହା ପ୍ରକାଶ କରିଥିଲେ । ଜିଲାକୁ ୪ ଲକ୍ଷ ପ୍ରବାସୀ ଫେରିଛନ୍ତି । ସେମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ବହୁ ଯୋଜନା ହାତକୁ ନିଆଯାଇଛି। ଅଙ୍ଗନବାଡି କେନ୍ଦ୍ର, ପଂଚାୟତ ଭବନ, ଗୋଷ୍ଠୀ ଶୌଚାଳୟ ଗୃହ, ଗ୍ରାମ ପଞ୍ଚାୟତ କୋଠାଗୃହ, ଶ୍ମଶାନ, ଗ୍ରାମାଂଚଳ ପାର୍କ, ଗ୍ରାମ୍ୟ ପାଠାଗାର ପ୍ରଭୃତି ନିର୍ମାଣ କରାଯାଇଛି । ବିଭିନ୍ନ ବ୍ୟକ୍ତିଗତ ସମ୍ପତ୍ତି ସୃଷ୍ଟି କରି ଗାଈଗୁହାଳ,କୁକୁଡା ପାଳନ ଗୃହ, ଛେଳିଗୃହ, ଫାର୍ମ ପୋଖରୀ ଇତ୍ୟାଦି ମାଧ୍ୟମରେ ଦୀର୍ଘକାଳୀନ ଜୀବିକା ସୁଯୋଗ ସୃଷ୍ଟି ପାଇଁ ପର୍ଯ୍ୟାପ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଗଞ୍ଜାମ ଜିଲାପାଳ ପ୍ରକାଶ କରିଥିଲେ।ବାର୍ଷିକ ୨୧୨୬୮୦୩୦ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ତନ୍ମଧ୍ୟରୁ ଏଯାବତ୍ ୧୨୧୫୪୪୫ ଶ୍ରମଦିବସ ସୃଷ୍ଟି ହୋଇପାରିଛି ।

ଏଥିରେ ସମୁଦାୟ ୨୭୮ କୋଟି ୧୯ ଲକ୍ଷ ୭୫ ହଜାର ଖର୍ଚ୍ଚ ହୋଇଛି । କର୍ମନିଯୁକ୍ତି ସକାଶେ ୫୭୭୧୬୬ ଗୃହର ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି । ୨୨୮୨୫୩ ଗୋଟି ପରିବାରକୁ କର୍ମନିଯୁକ୍ତି ଦିଆଯାଇପାରିଛି । ୧୫୫୧୬ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି । ୩୫୯୮ ଗୋଟି ଆଦର୍ଶ ଗାଈଗୁହାଳ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୫୦ ଗୋଟି ଶେଷ ହୋଇ ୩୩୪୮ ଟି ଗୁହାଳ କାର୍ଯ୍ୟ ଚାଲିଛି । ୯୬୬ ଟି ମୋ ଉପକାରୀ ବଗିଚା କାମ ଶେଷ ହୋଇଛି । ୧୧୦୩ ଜଳ ସେଚନ ନିମନ୍ତେ କୂପ ଖନନ ଲକ୍ଷ୍ୟ ରଖାଯାଇ ୧୬୭ଟିର କାର୍ଯ୍ୟ ଶେଷ ହୋଇଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦାର ବ୍ରହ୍ମପୁର ସହରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ଏବଂ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories