ଆସ ଅବତରି… ଶୁଭାଶିଷ ଢାଳି ଜୀବନ୍ୟାସ ଦିଅନ୍ତୁ
‘ଏ ଦେଶରେ ମୋର ଯେତେ ମୂର୍ତ୍ତି ଅଛି ସେସବୁ ଭାଙ୍ଗିଦିଅ…। ମୋର ସବୁ ଫଟୋ ବାହାର କରି ଫୋଫାଡ଼ି ଦିଅ…। ପାର୍କ, ଛକ, ରାସ୍ତାରୁ ମୋ ନାମ ହଟେଇ ଦିଅ…। ଯଦି ମୋତେ କେଉଁଠି ରଖିବାର ଅଛି, ତେବେ ତୁମ ହୃଦୟରେ ରଖ…।’ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ‘ଲଗେ ରହୋ ମୁନ୍ନା ଭାଇ’ର ଗାନ୍ଧିଜୀଙ୍କ ଚରିତ୍ର ଅଭିନେତାଙ୍କ ଉପରୋକ୍ତ ସଂଳାପର ଶେଷ ଧାଡ଼ି ସାମ୍ପ୍ରତିକ ସ୍ଥିତିରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ଆମେ ଗାନ୍ଧିଜୀଙ୍କ ପୂଜ୍ୟପୂଜା, ସ୍ମରଣ ଓ ମନନରେ ସାମାନ୍ୟତମ ହେଳା କରୁନାହୁଁ ସତ, ମାତ୍ର ତାଙ୍କର ଆଦର୍ଶ, ଉପଦେଶ ଓ ଦୃଷ୍ଟିଭଙ୍ଗୀକୁ ଏ ପର୍ଯ୍ୟନ୍ତ ହୃଦୟରେ ସ୍ଥାନ ଦେଇପାରିନାହୁଁ।
ସମ-ସାମୟିକ କାଳଖଣ୍ଡରେ ମାନବିକତାର ଦୃଷ୍ଟିଭଙ୍ଗୀରେ ଯେଉଁ ମହାମନୀଷୀମାନେ ଗୀତାକୁ ଅନୁଶୀଳନ କରିଛନ୍ତି ସେମାନଙ୍କ ମଧ୍ୟରେ ବାପୁଜୀ ଅଦ୍ୱିତୀୟ ଓ ଅତୁଳନୀୟ। ଗାନ୍ଧିଜୀ କହୁଥିଲେ ଭାରତର ଆତ୍ମା ଗ୍ରାମରେ ରହିଛି। ଆଜି କିନ୍ତୁ ଗ୍ରାମର ଆତ୍ମା କ୍ଷତାକ୍ତ। ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ପରି ମୌଳିକ ସୁବିଧାସୁଯୋଗରୁ ଗ୍ରାମୀଣ ଭାରତୀୟମାନେ ବଞ୍ଚିତ। ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା କୃଷି ଓ କୃଷକ ଆଜି ବିପନ୍ନ। ବୃହତ୍ ଶିଳ୍ପପତି ଓ ଚୀନ୍ ବ୍ୟବସାୟୀଙ୍କ ଆଧିପତ୍ୟରେ ଭାରତର କୁଟୀର ଓ ହସ୍ତ ଶିଳ୍ପ ରୁଗ୍ଣ। ବୟନ ଶିଳ୍ପରେ ଏବେ ପାଶ୍ଚାତ୍ୟ ଓ ବହୁଦେଶୀୟ କମ୍ପାନୀଙ୍କ ରାଜୁତି। ଜୀବିକା ଅନ୍ୱେଷଣରେ ଗ୍ରାମୀଣ ଅଧିବାସୀ ଆଜି ସହର ମୁହାଁ। ସେହିପରି ରାଜନୀତି, ଅର୍ଥନୀତିରେ ନୈତିକତା ଆଜି ମୃତପ୍ରାୟ। ସାମାଜିକ ବୈଷମ୍ୟ ଓ ଜାତିଆଣ ବିଦ୍ୱେଷ ମାରାତ୍ମକ ବ୍ୟାଧି ରୂପେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ଆକ୍ରାନ୍ତ କରିଚାଲିଛି। ସମୟ ସହିତ ତାଳ ଦେଇ ବିକାଶ ଯେତେ ଦ୍ରୁତ ହେଉଛି, ଧରିତ୍ରୀରୁ ସବୁଜିମା ଆଉ ସମାଜରୁ ମଣିଷପଣିଆ ସେତିକି ହଜିହଜି ଯାଉଛି। ଆଜି ନାରୀଟିଏ ଘର କୋଣରେ, ରୋଗୀଟିଏ ଡାକ୍ତରଖାନାରେ ଓ ଗରିବଟିଏ ସାମଗ୍ରିକ ବ୍ୟବସ୍ଥା ମଧ୍ୟରେ ଅସୁରକ୍ଷିତ ଓ ନିଷ୍ପେଷିତ। ସାମାଜିକ ଚିନ୍ତା ଚେତନା ନିଶାସକ୍ତ। ଏହି ପୃଷ୍ଠଭୂମିରେ ଉପରୋକ୍ତ ଚଳଚ୍ଚିତ୍ରର ଆଉ ଏକ ସଂଳାପ ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୁଏ – ‘ଦେଶ ତ ନିଜର ହୋଇଗଲା, କିନ୍ତୁ ଦେଶବାସୀ ପର ହୋଇଗଲେ।’ ଉଜୁଡ଼ି ଯାଉଥିବା ନୈତିକ ମୂଲ୍ୟବୋଧ ଓ ଭୁଶୁଡ଼ି ପଡ଼ୁଥିବା ବ୍ୟବସ୍ଥାକୁ ସଜାଡ଼ିବାକୁ ହେଲେ ସର୍ବୋଦୟ ଅର୍ଥନୀତି ଓ ଗ୍ରାମ୍ୟ ସ୍ୱରାଜ ହିଁ ଏକମାତ୍ର ବିକଳ୍ପ ଓ ଅପରିହାର୍ଯ୍ୟ। ତେବେ ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବ କିଏ? ଏହି ପ୍ରଶ୍ନର ଏକମାତ୍ର ଉତ୍ତର ହେଉଛି ‘ବାପୁ! ତୁମେ ଫେରିଆସ। ସମୟର ଏହି ସନ୍ଧିକ୍ଷଣରେ ଅହିଂସା ଓ ସତ୍ୟର ମନ୍ତ୍ରରେ ମୃତପ୍ରାୟ ମୂଲ୍ୟବୋଧ, ନୈତିକତା ଓ ଭ୍ରାତୃତ୍ୱଭାବକୁ ଜୀବନ୍ୟାସ ଦିଅ। ପରଶମଣି ସ୍ପର୍ଶରେ ସ୍ୱରାଜ ପରିକଳ୍ପନାକୁ ସାକାର କର।’
ବିଶ୍ୱନାୟକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ବେଳେ ଆଉ ଜଣେ ଯୋଗଜନ୍ମା ମହାମନୀଷୀ ତଥା ରାଷ୍ଟ୍ରୀୟ ନେତାଙ୍କୁ ସ୍ମରଣ କରିବାର ଅବକାଶ ସୃଷ୍ଟି ହୋଇଛି। ବିରଳ ସଂଯୋଗବଶତଃ ‘ଜୟ ଯବାନ ଜୟ କିଷାନ୍’ର ଉଦ୍ଘୋଷକ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲା ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ମଧ୍ୟ ଅକ୍ଟୋବର ୨ ତାରିଖରେ। ସାମ୍ପ୍ରତିକ ସ୍ଥିତିରେ ଶାସ୍ତ୍ରୀଜୀଙ୍କ ଆଦର୍ଶ ଓ ଚିନ୍ତାଧାରା ଅନେକ ଗୁରୁତ୍ୱ ବହନ କରେ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୃଷି କ୍ଷେତ୍ର ଯେତେବେଳେ ବିପନ୍ନ ପ୍ରାୟ ଏବଂ ପାକିସ୍ତାନର ଆକ୍ରମଣରେ କାଶ୍ମୀର ସମେତ ଭାରତବାସୀ ଭୀତତ୍ରସ୍ତ ସେତେବେଳେ ଶାସ୍ତ୍ରୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଓ ପ୍ରେରଣାଦାୟୀ ମନ୍ତ୍ର ‘ଜୟ ଯବାନ, ଜୟ କିଷାନ୍’ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା।
ଆଜି କୃଷକ ରାଜନୀତିର ପଶାପାଲିର ଏକ ମୋହରା ହୋଇସାରିଛି। ‘ଜୟ କିଷାନ୍’ କେବଳ ଆତ୍ମପ୍ରବଞ୍ଚନାମୟ ସ୍ଲୋଗାନରେ ପରିଣତ ହୋଇଛି। କୃଷକମାନେ ଆଜି ସେମାନଙ୍କର ଉତ୍ପାଦର ସର୍ବନିମ୍ନ ମୂଲ୍ୟରୁ ବଞ୍ଚିତ ହୋଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଋଣ ଭାରରେ ବୁଡ଼ି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଭାରତର ଜନସଂଖ୍ୟାର ୬୦ ଭାଗ କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ସେମାନଙ୍କ ଆର୍ଥିକ ଦୁରବସ୍ଥା ସମଗ୍ର ଅର୍ଥନୀତିକୁ ପ୍ରଭାବିତ କରୁଛି। କ୍ରମଶଃ କୃଷକ ପରିବାରର ଦାୟାଦମାନେ କୃଷିରୁ ମୁହଁ ଫେରାଇ ନେଉଛନ୍ତି। କେତେବେଳେ ମରୁଡ଼ି ତ କେତେବେଳେ ବନ୍ୟା, ପୁଣି ଆଉ କେତେବେଳେ ରୋଗପୋକ ଭୟରେ କୃଷକମାନେ ଆତଙ୍କିତ ଓ ଅତିଷ୍ଠ। ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ମଧ୍ୟ କୃଷି ପାଇଁ ସଙ୍କଟ ସୃଷ୍ଟି କରିଛି। ଏହି ପୃଷ୍ଠଭୂମିରେ ଶାସ୍ତ୍ରୀଜୀଙ୍କ ବିଗତ ଶତାବ୍ଦୀର ୬୦ ଦଶକରେ ‘ଜୟ କିଷାନ୍’ ମନ୍ତ୍ରର ପ୍ରାସଙ୍ଗିକତା ଓ ଗୁରୁତ୍ୱ ଉପଲବ୍ଧ କରିବା ଏବଂ ତାକୁ ସାକାର କରିବାର ପ୍ରକୃଷ୍ଟ ସମୟ ଉପନୀତ ବୋଲି କହିବାକୁ ହେବ। ସେହିପରି ଯୁଦ୍ଧ ଆଶଙ୍କାର ଘନଘଟା ମଧ୍ୟରେ ବିଶ୍ୱବାସୀ ଆଜି ତ୍ରସ୍ତ, ଆତଙ୍କିତ ଓ ବିବ୍ରତ। ସ୍ୱାର୍ଥ ସାଧନର ପ୍ରତିଯୋଗିତା ଭିତରେ ଶାନ୍ତି, ସୌହାର୍ଦ୍ୟ ଓ ଭ୍ରାତୃତ୍ୱ ଆଜି ବିସ୍ମୃତ ପ୍ରାୟ। ଅଶାନ୍ତି ଓ ଅବିଶ୍ୱାସର ମହାସାଗରରେ ଅସହାୟ ଭାବେ ଭାସି ଚାଲିଥିବା ମାନବତା ପାଇଁ ଶାନ୍ତି ଓ ଅହିଂସାର ମନ୍ତ୍ର ହିଁ ଏକମାତ୍ର ଆଶା ଓ ଭରସା। ପୁଣି ଥରେ ଶାନ୍ତିର ବାର୍ତ୍ତା ନେଇ ‘ଶାନ୍ତିର କପୋତ’ ଶାସ୍ତ୍ରୀଜୀ ଅବତାର ଗ୍ରହଣ କରନ୍ତୁ – ବିଶ୍ୱରେ ଶାନ୍ତି ବିରାଜମାନ କରୁ – ଏହା ହିଁ କାମନା।
Comments are closed.