କରୋନା ଛାମୁଆ ଯୋଦ୍ଧା : ପରିବାର ଉପରେ କର୍ତ୍ତବ୍ୟ ଭାରି

ସମ୍ବଲପୁର (ବିରାଜ କୁମାର ମିଶ୍ର): କରୋନା ଭୂତାଣୁର ପ୍ରକୋପ ଯୋଗୁଁ ବିଶ୍ୱର ସମସ୍ତ ପ୍ରକାରର ବ୍ୟବସ୍ଥା ଓଲଟ ପାଲଟ ହୋଇଯାଇଛି। କରୋନାର ନାଶ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ଉଦ୍ଭାବନ ହୋଇ ନ ଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ବିଶ୍ୱବ୍ୟାପି ବିଭିନ୍ନ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଦେଶକୁ ଏବେ ୨୧ ଦିନ ପାଇଁ ଲକ ଡାଉନ କରାଯାଇଛି। ଏଭଳି ଆପଦକାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟ ଓ ପୁଲିସ କର୍ମୀ ମାନଙ୍କ ସହିତ ମହାନଗର ନିଗମର ଗୁରୁତ୍ୱଦାୟିତ୍ୱ ବହୁ ଗୁଣରେ ବଢ଼ିଯାଇଛି। ଲକ ଡାଉନର ଢ଼େର ପୂର୍ବରୁ ସରକାରଙ୍କ ଦ୍ୱାରା କରୋନାକୁ ପ୍ରତିହିତ କରିବା ପାଇଁ ଜାରି କରାଯାଇଥିବା ପରାମର୍ଶ ଓ ନିର୍ଦ୍ଦେଶ ଗୁଡିକୁ ମହାନଗର ନିଗମ ତରଫରୁ ପ୍ରାକ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ମଲ ଆଦିକୁ ବନ୍ଦ କରିବା ହେଉ କି ବଜାର ଓ ହାଟ ଗୁଡିକରେ ଦରଦାମ ସର୍ତକ ଦୃଷ୍ଟି, ସାମାଜିକ ଦୂରତା ରକ୍ଷା, ଗହଳି ରୋକିବା, ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ସମସ୍ତ କାର୍ଯ୍ୟରେ ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ମହାନଗର ନିଗମ କର୍ମଚାରୀ ମାନେ ନିଜର ଜୀବନକୁ ପାଣି ଛଡାଇ ସେମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଗୁଡିକୁ କାର୍ଯ୍ୟକରିବା ପାଇଁ ଲାଗିଛନ୍ତି। କିଏ ବିବାହ କରିବାର ୫ମ ଦିବସରେ ଛୁଟିରୁ ଫେରିଆସିଥିବା ବେଳେ କିଏ ନିଜର ଦେହ ଅସୁସ୍ଥ ସମୟରେ ମଧ୍ୟ ଘରୁ ଥାଇ ସେବା ପ୍ରଦାନ କରୁଛି। ଏହି ଘଡିସନ୍ଧି ମୁହୁର୍ତ୍ତରେ ଲୋକେ ନିଜ ପରିବାର ସହିତ ସମୟ ବିତାଉଥିବା ବେଳେ କରୋନା ମୁକାବିଲା ପାଇଁ ଏହି ଛାମୁଆ ଯୋଦ୍ଧା ମାନେ ପରିବାରର ଦାୟିତ୍ୱକୁ ଜଳାଞ୍ଜଳି ଦେଇ ଜନତାଙ୍କ ସେବାରେ ନିସ୍ୱାର୍ଥପର ଭାବରେ ଦିନରାତି ଲାଗି ପଡିଛନ୍ତି। ପରିବାରକୁ ଏକା ଛାଡି ଦେଶ ସେବାରେ ନିଜକୁ ନିୟୋଜିତ କରିଥିବା ଏହି କର୍ମଚାରୀ ମାନେ ଦୈନନ୍ଦିନ ବହୁ ଲୋକଙ୍କ ସହିତ ସଂସ୍ପର୍ଶରେ ଆସୁଥିବାରୁ ଏମାନେ ମଧ୍ୟ ସଂକ୍ରମିତ ହେବାର ଭୟ ରହିଛି। ତଥାପି ସେମାନେ ଭୟକୁ ପଛରେ ରଖି କର୍ତ୍ତବ୍ୟକୁ ପ୍ରାଥମିକତା ଦେଉଛନ୍ତି।

ଶୁଭଙ୍କର ମହାନ୍ତି, ନୋଡାଲ ଅଧିକାରୀ
କରୋନା ପାଇଁ ବିଭିନ୍ନ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ନିର୍ଦ୍ଦେଶାବଳୀକୁ ଲାଗୁ କରାଯାଉଛି। ନିଗମ ଅଞ୍ଚଳରେ ଏହି ଭୂତାଣୁର ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଶେଷ କରି ସାମାଜିକ ଦୂରତ୍ୱ ଉପରେ ଧ୍ୟାନ ଦିଆଯାଇ ବିଭିନ୍ନ ସପ୍ତାହିକ ହାଟ ଗୁଡିକୁ ବନ୍ଦ କରି ଦିଆଯାଇଛି। ବାକି ରହିଥିବା ହାଟ ଗୁଡିକୁ ଖୋଲା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସାମାଜିକ ଦୂରତ୍ୱ ଓ ଗହଳି ଯେଭଳି ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ବଜାର ଗୁଡିକର ସାନିଟାଇଜେସନ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଉପରେ ନଜର ରଖି କଳାବଜାରକୁ ରୋକିବା ଆଦି କାର୍ଯ୍ୟ ଗୁଡିକୁ ସମ୍ପାଦନ କରାଯାଉଛି। ୪ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇ ନିଗମ ଦ୍ୱାରା କରାଯାଉଥିବା କାର୍ଯ୍ୟଗୁଡିକୁ ତଦାରଖ କରାଯାଉଛି। ସରକାରଙ୍କ ତରଫରୁ ନିର୍ମିତ ସଙ୍ଗରୋଧ କେନ୍ଦ୍ର ଗୁଡିକର ତଦାରଖ କାର୍ଯ୍ୟ ସହିତ ନିଗମକୁ ଦିଆଯାଇଥିବା ସମସ୍ତ ଦାୟିତ୍ୱକୁ ନିର୍ବାହ କରାଯାଉଛି।

ମନ୍ମଥ କୁମାର ଦାଶ, ଟ୍ୟାକ୍ସ ବିଭାଗ
କରୋନା ମୁକାବିଲାରେ ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଆମେ ଦିନରାତି ଏକ କରି କାର୍ଯ୍ୟରେ ଲାଗିଛୁ। ପୁରୁଣା ଆର୍ଥକ ବର୍ଷ ଶେଷ ଓ ନୂତନ ବର୍ଷର ଆରମ୍ଭ ସମୟ ଥିବାରୁ ବହୁ ବ୍ୟକ୍ତି ସ୍ୱଇଚ୍ଛାରେ ଟ୍ୟାକ୍ସ ପଇଠ କରିବା ପାଇଁ ଆସୁଛନ୍ତି। ବିଭାଗୀୟ କାର୍ଯ୍ୟ ସହିତ ଲୋକଙ୍କୁ ସଚେତନ କରିବା ଦାୟିତ୍ୱ ଦିଆଯାଇଥିବାରୁ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରାଯାଉଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜନତାଙ୍କୁ ଅନୁରୋଧ କରାଯାଉଛି। କିଛି ଦିନ ପୂର୍ବରୁ ଦେହ ଅଚାନକ ଖରାପ ହେବାରୁ କିଛି ଦିନ ଛୁଟିରେ ରହିଥିଲେ ସୁଦ୍ଧା ଘରୁ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିଲି। କାର୍ଯ୍ୟରେ ପୁର୍ନବାର ଯୋଗ ଦେବା ପରେ ସକାଳୁ ଆସି ସମସ୍ତଙ୍କ ମିଶି କରୋନା ମୁକାବିଲାରେ ଲାଗି ପଡିଛୁ। କିଛି ଦିନ ପୂର୍ବେ ଦେହ ଖରାପ ଥିବାରୁ କାଳେ ପୁଣି ଦେହ ଖରାପ ହୋଇଯିବ ଆଶଙ୍କା ପରିବାରବର୍ଗଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇପଡୁଛି।

ସ୍ୱରୁପ କୁମାର ପଟ୍ଟନାୟକ, ବିଦ୍ୟୁତ ବିଭାଗ
କରୋନା ପାଇଁ ପ୍ରାୟ ୪୦ ଜଣ ସ୍ଥାୟୀ ଓ ଠିକା କର୍ମଚାରୀ ଦିନରାତି କାର୍ଯ୍ୟରେ ଲାଗିଛନ୍ତି। ସକାଳ ୭ଟାରୁ ରାତ୍ରି ପର୍ଯ୍ୟନ୍ତ ସମସ୍ତ ମିଳିମିଶି କରୋନା ମୁକାବିଲାରେ ଲାଗି ପଡିଛୁ। ଏବେ କରୋନା ପାଇଁ ଦୈନନ୍ଦିନ ରୁଟିନ କାର୍ଯ୍ୟ ସହିତ ଅନ୍ୟ କାର୍ଯ୍ୟ ଗୁଡିକୁ ମଧ୍ୟ କରାଯାଉଛି। ନିଗମ ଅଞ୍ଚଳର ଷ୍ଟ୍ରିଟ ଲାଇଟ ଗୁଡିକର ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦିଆଯାଉଛି। ସରକାରଙ୍କ ଦ୍ୱାରା ନିର୍ମିତ ସଙ୍ଗରୋଧ କେନ୍ଦ୍ର ଗୁଡିକର ବିଦ୍ୟୁତ ଉପକରଣ ଗୁଡିକର ରକ୍ଷଣାବେକ୍ଷଣ କାର୍ଯ୍ୟ ଗୁଡିକୁ ମଧ୍ୟ କରାଯାଉଛି। ଏହା ସମସ୍ତ କରୋନା ମୁକାବିଲା ପାଇଁ କତ୍ତୃପକ୍ଷ ଦ୍ୱାରା ଦିଆଯାଉଥିବା ଅନ୍ୟାନ୍ୟ କାର୍ଯ୍ୟ ଗୁଡିକୁ ମଧ୍ୟ କରାଯାଉଛି। ମୋର ପରିବାରରୁ ମୁଁ ଏକା ଘରୁ ବାହାରୁଥିବାରୁ ଘରକୁ ଫେରିବା ପରେ ସେମାନଙ୍କ ସୁରକ୍ଷା ପାଇଁ ସଫାସୁତୁରା ହୋଇ ଘରକୁ ପ୍ରବେଶ କରୁଛି।

ରାଜେଶ ମିଶ୍ର, କର୍ମଚାରୀ
କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାର ଆରମ୍ଭ ଦିନ ଠାରୁ ସରକାରୀ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟ ଜାରି ରହିଛି। ଦୋକାନ, ମଲ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ଠାରୁ ଆରମ୍ଭ କରି ବଜାର ଗୁଡିକରେ ସାମଜିକ ଦୂରତ୍ୱ ରକ୍ଷା ପାଳନ କରିବା, ଅସାଧୁ ବ୍ୟବସାୟୀଙ୍କ ଉପରେ କଡା ନଜର ରଖିବା, ନିୟମ ଉଲ୍ଲଂଘନକାରୀଙ୍କ ଫାଇନ କାଟିବା ଆଦି ଯେଉଁ ଦାୟିତ୍ୱ ଅଧିକାରୀ ମାନଙ୍କ ଦ୍ୱାରା ଦିଆଯାଉଛି, ତାକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବା ପାଇଁ ଦିନରାତି ଲାଗି ପଡିଛୁ। ବିଭିନ୍ନ ଅଞ୍ଚଳ ଗୁଡିକୁ ସାନିଟାଇଜ କରାଯାଇ ଭୂତାଣୁ ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାରର ସାମ୍ଭାବ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। କାର୍ଯ୍ୟ କରି ଘରକୁ ଫେରିବା ପରେ ପରିବାର ଲୋକଙ୍କ ମୁହଁରେ ଭୟର ଚିହ୍ନ ସ୍ପଷ୍ଟ ଜଣାପଡୁଛି। କିନ୍ତୁ ଦେଶର ବୃହତ୍ତର ସ୍ୱାର୍ଥ ପାଇଁ ପରିବାରର ସ୍ୱାର୍ଥକୁ ଦ୍ୱିତୀୟ ପ୍ରାଥମିକତା ପ୍ରଦାନ କରୁଛି।

ସୁବାଷ ଚନ୍ଦ୍ର ଜେନା, କର୍ମଚାରୀ
କରୋନା ମୁକାବିଲା କରିବା ପାଇଁ ସକାଳୁ ରାତ୍ରି ପର୍ଯ୍ୟନ୍ତ ଡ୍ୟୁଟି ଜାରି ରହିଛି। ପ୍ରତ୍ୟହ ବିଭିନ୍ନ ବଜାର ଗୁଡିକୁ ବୁଲି ବୁଲି ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ଲୋକଙ୍କୁ ବ୍ୟାପକ ସଚେତନ କରାଯାଉଛି। ଅଗ୍ନିଶମ ବିଭାଗ ସହିତ ମିଳିତ ଭାବରେ ବିଭିନ୍ନ ଅଞ୍ଚଳ ଗୁଡିକୁ ସାନିଟାଇଜ କରୁଛୁ। ନିଜ ତଥା ପରିବାର ସୁରକ୍ଷା ପାଇଁ ମାସ୍କ, ସାନିଟାଇଜର ସହିତ ବାରମ୍ବାର ସାବୁନରେ ହାତ ଧୋଇବା ଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛୁ। ଏଭଳି ପରିସ୍ଥିତିରେ ପରିବାରର ଚିନ୍ତା ଥିବା ବେଳେ ସାମୁହିକ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇଛି।

ବିଜୁ ତାଣ୍ଡିଆ, ଠିକା କର୍ମଚାରୀ
କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ନିୟମିତ ମହାନଗର ନିଗମ ଅଞ୍ଚଳରେ ସଫେଇ କରାଯାଉଛି। ନୂତନ ଭାବରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକୁ ନିୟମିତ ଭାବରେ ସଫେଇ କରୁଛୁ। ସମସ୍ତ ପ୍ରକାରର ସର୍ତକତାମୂଳକ ପଦକ୍ଷେପ ନିଆଯାଇ ସଫେଇ କାର୍ଯ୍ୟ ଗୁଡିକୁ କାର୍ଯ୍ୟକାରି କରାଯାଉଛି। ସଫେଇ କାର୍ଯ୍ୟରେ ଯେଭଳି କୌଣସି ତ୍ରୃଟି ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦେଇ ଆମେ ମାନେ କାର୍ଯ୍ୟ କରିଚାଲିଛୁ। ଏଥି ପାଇଁ ଆମେ କୌଣସି ଦିନ ଛୁଟି ମଧ୍ୟ ନେଉ ନାହୁଁ।

Comments are closed.