ସଂଗ୍ରାମୀ ଓ ଜନପ୍ରିୟ ସଙ୍ଗଠକ ସଂଗ୍ରାମ ସାହାଣୀଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁରର ଜନପ୍ରିୟ ସଙ୍ଗଠକ ଓ ସଂଗ୍ରାମୀ ବ୍ୟକ୍ତିତ୍ୱ ସଂଗ୍ରାମ ସାହାଣୀଙ୍କ ୮୮ ବର୍ଷ ବୟସରେ ପରଲୋକ ଶନିବାର ପୂର୍ବାହ୍ନରେ ହୋଇଯାଇଛି । ସ୍ଥାନୀୟ ପଟ୍ଟନାୟକପଡା ସ୍ଥିତ ବାସଭବନରେ ୧୯୩୫ ମସିହା ନଭେମ୍ବର ୨୯ ତାରିଖରେ ସ୍ୱର୍ଗତ ପିତା ଗୌରୀଶଙ୍କର ସାହାଣୀ ଓ ମାତା ରାଜକୁମାରୀଙ୍କ ଔରସରୁ ଜନ୍ମ ନେଇଥିଲେ । ଛୋଟ ଦିନରୁ ହିଁ ସେ ଖେଳକୁଦ ଓ ସମାଜସେବା ପ୍ରତି ଋଚି ରଖିôଥିବା ବେଳେ କଲେଜ ଛାତ୍ର ସମୟରେ ସମାଜବାଦୀ ଆନ୍ଦୋଳନ ସହ ଯୋଡି ହୋଇଥିଲେ । ବାପା ଗୌରୀଶଙ୍କର ସାହାଣୀଙ୍କ ଅକାଳ ବିୟୋଗ ପରେ ପଡାବାସୀଙ୍କ ଆଗ୍ରହ କ୍ରମେ ସେ ୫୦ ଦଶକରେ ପୌର ପରିଷଦର କାଉନସିଲରର ନିର୍ବାଚନ ପ୍ରଥମ କରି ଲଢ଼ି ନିର୍ବାଚିତ ହୋଇଥିଲେ । ଦୀର୍ଘ ବର୍ଷ ଧରି କାଉନସିଲର ରହିବାର ରେ ୧୯୭୪ ମସିହାରେ ସେ ପୌରାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇ ୧୯୮୦ ମସିହା ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ୩ ବର୍ଷ ଅନ୍ତରାଳରେ ହୋଇଥିବା ପୌର ନିର୍ବାଚନରେ ସେ ଦ୍ୱିତୀୟ ଥର ପାଇଁ ପୌରାଧ୍ୟକ୍ଷ ହୋଇଥିଲେ । ସୋସିଆଲିଷ୍ଟ ପାର୍ଟି ସହିତ ଜଡିତ ଥିବା ସତ୍ୱେ ଦଳୀୟ ରାଜନୀତିରୁ ଉର୍ଦ୍ଧରେ ସମସ୍ତ କାଉନସିଲରଙ୍କୁ ସାଥିରେ ନେଇ ସମ୍ବଲପୁରବାସୀଙ୍କ ପାଇଁ ପୌର ସେବା ପ୍ରଦାନ କରି ତାଙ୍କର ପ୍ରତିଭା ଓ ଦକ୍ଷତା ସର୍ବସମ୍ମୁଖରେ ପ୍ରଦର୍ଶନ କରିଥିଲେ । ୧୯୬୭ ମସିହାରେ ମାତ୍ର ୩୨ ବର୍ଷ ବସୟରେ ତାଙ୍କୁ ସଂଯୁକ୍ତ ସୋସାଲିଷ୍ଟ ପାର୍ଟି ତରଫରୁ ସମ୍ବଲପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ମଧ୍ୟ କରାଯାଇଥିଲା ।

ଆଜୀବନ ଅବିବାହିତ ରହିଥିବା ସ୍ୱର୍ଗତ ସାହାଣୀ ଜଣେ ଉତ୍ତମ ରାଜନେତା ହେବା ସହିତ ଆଗଧାଡିର କ୍ରିଡା ସଙ୍ଗଠକ ରୂପେ ସାରା ରାଜ୍ୟରେ ସୁଖ୍ୟାତି ଅର୍ଜନ କରିଥିଲେ । ସମ୍ବଲପୁର ଜିଲା କ୍ରିଡା ସଂଘର ସମ୍ବିଧାନ ପ୍ରସ୍ତୁତି ଠାରୁ ଆରମ୍ଭ କରି ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଓ ଡା. ଝସକେତନ ସାହୁ ପୌର ସନ୍ତରଣାଗାର ନିର୍ମାଣ ସହିତ ଅନେକ କ୍ରିଡା ସମ୍ବନ୍ଧୀୟ ବିକାଶ ମୂଳକ କାର୍ଯ୍ୟରେ ସେ ମହତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଦକ୍ଷିଣ ଆପ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧି ଆନ୍ଦୋଳନର ନେତା ତଥା ସମଗ୍ର ବିଶ୍ୱରେ ମୁକ୍ତିକାମୀ ଆନ୍ଦୋଳନର ପ୍ରତିକ ନେଲସନ ମଣ୍ଡେଲାଙ୍କ ନାମରେ କଚେରୀ ଛକକୁ ନାମିତ କରିବାରେ ତକ୍ରାଳୀନ ପୌରାଧ୍ୟକ୍ଷ ସ୍ୱର୍ଗତ ସାହାଣୀଙ୍କ ପ୍ରମୁଖ ଭୂମିକା ରହିଥିଲା । ସେ ତାଙ୍କର ଜୀବନର ଶେଷ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହିଥିଲେ । ତାଙ୍କର ପିତା ଗୌରୀଶଙ୍କର ସାହାଣୀଙ୍କ ନାମରେ ଏକ ଟ୍ରଷ୍ଟ ଗଠନ କରି କ୍ରିଡାର ବିକାଶ, ଗରିବ ଓ ଅସହାୟ ପିଲାଙ୍କ ପାଠପଢ଼ା ବ୍ୟବସ୍ଥା ଆଦି ପାଇଁ ବିଭିନ୍ନ ସେବା କାର୍ଯ୍ୟ ଜୀବନବ୍ୟାପି କରି ଆସିଥିଲେ । ସ୍ୱର୍ଗତ ସାହାଣୀଙ୍କ ପୌରାଧ୍ୟକ୍ଷ ସମୟରେ ସମ୍ବଲପୁରବାସୀଙ୍କ ପାଇଁ କରାଯାଇଥିବା କାର୍ଯ୍ୟକୁ ଆଜି ମଧ୍ୟ ସହରବାସୀଙ୍କ ସ୍ମୃତିରେ ଉଦଜୀବିତ ରହିଛି ।

ସ୍ୱର୍ଗତ ସାହାଣୀ ଆଜି ସକାଳ ସମୟରେ ସ୍ଥାନୀୟ ଗୋଲବଜାର ସ୍ଥିତ ବମ୍ବେ ଲଜ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ବିୟୋଗ ଖବର ମିଳିବା ପରେ ସହରରେ ଶୋକର ଛାୟା ଖେଳିଯାଇଥିଲା । ସମ୍ବଲପୁର ମହାନଗର ନିଗମର ଉପାୟୁକ୍ତ ବେଦ ଭୂଷଣଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ମାନ୍ୟଗଣ୍ୟ ବ୍ୟକ୍ତି ମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Comments are closed.