ପ୍ରତିବଦ୍ଧତା ହିଁ ଯୁବ ସମାଜର ପ୍ରକୃତ ସମ୍ବଳ
ସମାଜ ମଙ୍ଗଳରେ ଯୁବ ନେତୃତ୍ୱର ଭୂମିକା ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ‘ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’ ତରଫରୁ ପଞ୍ଚମ ସାମାଜିକ ସେବା ସମ୍ମାନ ପ୍ରଦାନ ଓ “ସମାଜ ମଙ୍ଗଳରେ ଯୁବ ନେତୃତ୍ୱର ଭୂମିକା” ସମ୍ପର୍କରେ ଏକ ଆଲୋଚନାଚକ୍ର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ‘ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’ର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଓଡ଼ିଶା ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋୟୀ, କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ଅଭିନେତା ଚନ୍ଦନ କର, ଏନଏସଏସ ଟ୍ରେନର ନୀରଦ ବରଣ ଖୁଣ୍ଟିଆ ଓ ସ୍ତମ୍ଭକାର ଅମୀୟ ପାଣ୍ଡବ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ପ୍ରତିବଦ୍ଧତା ହିଁ ଯୁବ ସମାଜର ପ୍ରକୃତ ସମ୍ବଳ ବୋଲି ଶ୍ରୀଯୁକ୍ତ କାନୁନଗୋ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ଯୁବ ସମାଜ ପ୍ରାୟତଃ ସୁପ୍ତ ଅବସ୍ଥାରେ ରହିଛି। ଯେପର୍ଯ୍ୟନ୍ତ ସେମାନଙ୍କ ଛାତିରେ ପରିବର୍ତ୍ତନର ନିଅାଁ ନ ଜଳିଛି, ସେ ପର୍ଯ୍ୟନ୍ତ ସମାଜର ଉନ୍ନତି ହେବା କଷ୍ଟକର ବୋଲି ଶ୍ରୀଯୁକ୍ତ ବିଶୋୟୀ ମତ ପ୍ରକାଶ କରିଥିଲେ। “ଘୋଡ଼ା ଚଢ଼ କି ଘାସ କାଟ’ କହିବା ଆଳରେ ଶ୍ରୀ ଶତପଥୀ ରାଜନୀତି, ସମାଜସେବା, ସାମ୍ବାଦିକତା ପ୍ରଭୃତି ଯେକୌଣସି କ୍ଷେତ୍ରଟିକୁ ଯୁବସମାଜ ଆପଣାଏ, ସେହି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ଯୁବସମାଜ ଭୟଭୀତ ନ ହୋଇ ପ୍ରଶ୍ନ ପଚାରିବାର କ୍ଷମତା ରଖିବା ଦରକାର ବୋଲି ସ୍ତମ୍ଭକାର ଅମୀୟ ପାଣ୍ଡବ ମତ ପ୍ରକାଶ କରିଥିଲେ।
ଏବେକାର ନିଶାସକ୍ତ ଯୁବ ସମାଜ ନିଜକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ସମାଜ ଗଠନରେ ଯଦି ନିଜକୁ ନିୟୋଜିତ ନ କରାଏ, ତାହାଲେ ଆମ ଦେଶର ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯିବ ବୋଲି ଅଭିନେତା ଚନ୍ଦନ କର ମତବ୍ୟକ୍ତ କରିଥିଲେ। କିଛି ଯୁବକ ଚୋରି, ଡକାୟତି ପ୍ରଭୃତି କୁକର୍ମରେ ଲିପ୍ତ ଥିଲାବେଳେ କିଛି ଯୁବକ ସମାଜ ଗଠନରେ ନିଜକୁ ନିୟୋଜିତ କରିଛନ୍ତି। ଏହି ଯୁବ ସମାଜ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବା ଦରକାର। ଆଜିର ଏହି ଆଲୋଚନା ଚକ୍ରରେ ଭୁବନେଶ୍ୱରର ବିଭିନ୍ନ କଲେଜ ଯଥା କମଳା ନେହେରୁ ମହିଳା ମହାବିଦ୍ୟାଳୟ, ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟ, ମହର୍ଷି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଇନଷ୍ଟିଚ୍ୟୁଟ ଅଫ୍ ମିଡିଆ ଷ୍ଟଡିଜ୍ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅନେକ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ନିଜର ପୂରା ଜୀବନ ସମାଜସେବା କ୍ଷେତ୍ରରେ ପ୍ରଦାନ କରିଥିବା ସଫଦର୍ ହାସିମୀଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ତତ୍ ସହ ଉପରୋକ୍ତ କଲେଜର ଏନଏସଏସ ଭଲ୍ୟୁଣ୍ଟର ଓ ବିଭିନ୍ନ ସାମାଜିକ ସଂଗଠନ, ଯୁବ-ଛାତ୍ର ନେତୃତ୍ୱ, ସାମାଜିକ କର୍ମୀ ପ୍ରଭୃତିଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ମାନସ ରଞ୍ଜନ ସାହୁ, ଭାଗ୍ୟଶ୍ରୀ ମହାନ୍ତି, ଶୁଭଶ୍ରୀ ମହାନ୍ତି, ଅନୁରାଧା ଦାସ, ଗୋବିନ୍ଦ ଚରଣ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.