ସାଉଦି ଆରବକୁ ୫-୦ରେ ହରାଇଲା ରୁଷିଆ
ମସ୍କୋ : ୨୧ତମ ଫିଫା ଫୁଟ୍ବଲ ବିଶ୍ୱକପ୍ ଗୁରୁବାର ଆରମ୍ଭ ହୋଇଛି। ଏହାର ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ ରୁଷିଆ ୫-୦ ଗୋଲ୍ରେ ସାଉଦି ଆରବକୁ ପରାସ୍ତକରି ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍ ‘ଏ’ର ଏହି ମ୍ୟାଚ୍ରେ ରୁଷିଆ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା ଏବଂ ପ୍ରଥମାର୍ଦ୍ଧରେ ରୁଷିଆ ୨-୦ ଗୋଲ୍ରେ ଆଗୁଆ ଥିଲା। ଘରୋଇ ଦଳ ପାଇଁ ୟୁରି ଗାଜିନ୍ସ୍କି ପ୍ରଥମ ଗୋଲ୍ ଦେଇଥିବା ବେଳେ ଡେନିସ୍ ଚେରିସେଭ୍ ୨ଟି ଏବଂ ଆର୍ତେମ୍ ଜ୍ୟୁବା ଓ ଆଲେକ୍ଜାଣ୍ଡର ଗୋଲୋଭିନ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ଆଶା ଅନୁସାରେ ଏସୀୟ ଦେଶ ସାଉଦି ଆରବ ବିରୋଧରେ ରୁଷିଆ ଆରମ୍ଭରୁ ଆକ୍ରମଣାତ୍ମକ ଫୁଟ୍ବଲ ଖେଳିଥିଲା। ଲୁଝ୍ନିକି ଷ୍ଟାଡିୟମ୍ରେ ୮୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ରୁଷିଆ ଦଳକୁ ପ୍ରବଳ ସମର୍ଥନ ମିଳିଥିଲା। ଅଦ୍ୟାବଧି କୌଣସି ବିଶ୍ୱକପ୍ରେ ପ୍ରଥମ ମ୍ୟାଚ୍ ଜିତିନଥିବା ସାଉଦି ଆରବ ଦଳ ଆରମ୍ଭରୁ ବାଧ୍ୟହୋଇ ରକ୍ଷଣାତ୍ମକ ଫୁଟ୍ବଲ ଖେଳିଥିଲା। ଆରମ୍ଭରୁ ମାରିଓ ଫର୍ଣ୍ଣାଣ୍ଡେଜ୍ ଓ ଆଲେକ୍ଜାଣ୍ଡର ଗୋଲୋଭିନ୍ ନିଜ ମଧ୍ୟରେ ଚମତ୍କାର ସମନ୍ୱୟ ରଖି ବଲ୍କୁ ଷ୍ଟ୍ରାଇକର ଆଲେକ୍ଜାଣ୍ଡର ସାମୋଓଡେଭ୍ଙ୍କୁ ଦେଇଥିଲେ। ତେବେ ସାମୋଓଡେଭ୍ଙ୍କ ସଟ୍କୁ ସାଉଦି ଡିଫେଣ୍ଡର ରୋକି ଦେଇଥିଲେ। ତେବେ ୧୨ ମିନିଟରେ ରୁଷିଆ ପ୍ରଥମ ଗୋଲ୍ ଦେଇଥିଲା। ଆଲେକ୍ଜାଣ୍ଡର ଗୋଲୋଭିନ୍ଙ୍କ କ୍ରସ୍ରୁ ରୁଷିଆ ମିଡ୍ଫିଲ୍ଡର ୟୁରି ଗାଜିନ୍ସ୍କି ହେଡ୍କରି ଗୋଲ୍ ଦେଇଥିଲେ। ଫଳରେ ୨୦୧୮ ବିଶ୍ୱକପ୍ର ପ୍ରଥମ ଗୋଲ୍ ସ୍କୋର୍ କରିବାର କୃତିତ୍ୱ ଗାଜିନ୍ସ୍କିଙ୍କୁ ମିଳିଥିଲା। ଏହି ଗୋଲ୍ ପରେ ରୁଷିଆ ଆହୁରି ଆକ୍ରମଣାତ୍ମକ ଫୁଟ୍ବଲ ଖେଳିଥିଲା। ୨୪ ମିନିଟରେ ରୁଷିଆର ଆଲାନ୍ ଜାଗୋଏଭ୍ ଆହତ ହେବାରୁ ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ମିଡ୍ଫିଲ୍ଡର ଡେନିସ୍ ଚେରିସେଭ୍ ଆସିଥିଲେ। ରୁଷିଆ ପାଇଁ ଏହା ଆଶୀର୍ବାଦ ପରି ଥିଲା। ୪୩ ମିନିଟରେ ଗୋଲ୍ପୋଷ୍ଟ ପାଖରେ ବଲ୍ ପାଇ ଡେନିସ୍ ଚେରିସୋଭ୍ ରୁଷିଆ ପାଇଁ ୨ୟ ଗୋଲ୍ ସ୍କୋର୍ କରିଥିଲେ। ପ୍ରଥମାର୍ଦ୍ଧରେ ପ୍ରାଧାନ୍ୟ ବିସ୍ତାରକରି ଖେଳି ରୁଷିଆ ୨-୦ ଗୋଲ୍ରେ ଆଗୁଆ ରହିଥିଲା।
ପ୍ରଥମାର୍ଦ୍ଧ ପରି ଦ୍ୱିତୀୟାର୍ଦ୍ଧର ଖେଳ ସେପରି ଆକର୍ଷଣୀୟ ହୋଇନଥିଲା। ତଥାପି ରୁଷିଆ ଖେଳାଳିଙ୍କ ପାଖରେ ଅଧିକ ସମୟ ବଲ୍ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ରୁଷିଆ ଗୋଟିଏ ପରିବର୍ତ୍ତନ କରିଥିଲା। ଷ୍ଟ୍ରାଇକର ଫ୍ୟୋଡୋର ସ୍ମୋଲୋଭ୍ଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଆସିିଥିଲେ ଫରୱାର୍ଡ ଆର୍ତେମ୍ ଜ୍ୟୁବା। ଏହା ମଧ୍ୟ ରୁଷିଆ ପାଇଁ ଫଳପ୍ରସୂ ହୋଇଥିଲା ଏବଂ ୨ୟ ବଦଳ ଖେଳାଳି ଭାବେ ଆର୍ତେମ୍ ଜ୍ୟୁବା ରୁଷିଆ ପାଇଁ ଗୋଲ୍ ଦେଇଥିଲେ। ୭୧ ମିନିଟରେ ସାଉଦି ଆରବ ଡିଫେଣ୍ଡରଙ୍କ ତ୍ରୁଟିରୁ ଫାଇଦା ଉଠାଇ ଜ୍ୟୁବା ଦଳ ପାଇଁ ୩ୟ ଗୋଲ୍ ଦେଇଥିଲେ। ୩-୦ ଗୋଲ୍ରେ ଆଗୁଆ ରହିବା ସତ୍ତ୍ବେ ରୁଷିଆ ଆକ୍ରମଣ ଜାରି ରଖିଥିଲା। ଇଞ୍ଜ୍ୟୁରି ସମୟରେ ରୁଷିଆ ଆଉ ୨ଟି ଗୋଲ୍ ଦେଇଥିଲା। ୯୧ ମିନିଟରେ ଡେନିସ୍ ଚେରିସେଭ୍ ରୁଷିଆ ପାଇଁ ୪ର୍ଥ ଗୋଲ୍ ଦେଇଥିଲେ। ଅନ୍ତିମ ମିନିଟ୍ରେ ଆଲେକ୍ଜାଣ୍ଡର ଗୋଲୋଭିନ୍ ରୁଷିଆ ପାଇଁ ୫ମ ତଥା ଅନ୍ତିମ ଗୋଲ୍ ଦେଇଥିଲେ।