କ୍ରୁଜ୍ଙ୍କ ଗୋଲ୍ରେ ଜିତିଲା ଜର୍ମାନୀ
ସୋଚି : ଇଞ୍ଜ୍ୟୁରି ସମୟର ଅନ୍ତିମ ମିନିଟରେ ଟନି କ୍ରୁଜ୍ଙ୍କ ଦର୍ଶନୀୟ ୨ୟ ଗୋଲ୍ ବଳରେ ଚଳିତ ଫିଫା ବିଶ୍ୱକପ୍ରେ ପ୍ରଥମ ବିଜୟ ହାସଲ କରିଛି ୨୦୧୪ର ଚମ୍ପିଆନ୍ ଜର୍ମାନୀ। ଗ୍ରୁପ୍ ‘ଏଫ୍’ର ଏହି ମ୍ୟାଚ୍ରେ ସ୍ୱିଡେନ୍କୁ ୨-୧ ଗୋଲ୍ରେ ହରାଇ ଜର୍ମାନୀ ପୂରା ୩ ପଏଣ୍ଟ ପାଇବା ସହ ବିଶ୍ୱକପ୍ରେ ପ୍ରିକ୍ୱାର୍ଟରଫାଇନାଲ ଖେଳିବା ଆଶା ବଜାୟ ରଖିଛି। ପ୍ରଥମାର୍ଦ୍ଧରେ ଓଲା ଟୋଇଭୋନେନ୍ଙ୍କ ଗୋଲ୍ ବଳରେ ସ୍ୱିଡେନ୍ ୧-୦ ଗୋଲ୍ରେ ଆଗୁଆ ଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଜର୍ମାନୀର ରିଅସ୍ ଗୋଲ୍ ସୁଝାଇ ଦେଇଥିଲେ। ମ୍ୟାଚ୍ ଡ୍ର ହେବାକୁ ଯାଉଥିବା ବେଳେ ୯୫ତମ ମିନିଟରେ ଗୋଲ୍ପୋଷ୍ଟର ଡାହାଣପଟୁ ଏକ ଚମତ୍କାର ସ୍ୱିଙ୍ଗ୍ କରୁଥିବା ସଟ୍ମାରି ଟନି କ୍ରୁଜ୍ ଜର୍ମାନୀକୁ ବିଜୟୀ କରିଥିଲେ। ପ୍ରଥମ ମ୍ୟାଚ୍ରେ ମେକ୍ସିକୋଠାରୁ ହାରିଥିବା ଜର୍ମାନୀକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାର ଥିଲା। ଅନ୍ୟଥା ଏହା ବିଦାୟ ନେଇଥାଆନ୍ତା। ମେକ୍ସିକୋ ଏହି ଗ୍ରୁପ୍ରୁ ପ୍ରିକ୍ୱାର୍ଟରରେ ପହଞ୍ଚିଥିବା ବେଳେ ଶେଷ ରାଉଣ୍ଡ ମୁକାବିଲାରୁ ଜଣାପଡ଼ିବ ଯେ ଜର୍ମାନୀ ଓ ସ୍ୱିଡେନ୍ ମଧ୍ୟରୁ କେଉଁ ଦଳ ପ୍ରିକ୍ୱାର୍ଟରରେ ପହଞ୍ଚିବ।
୩ୟ ମିନିଟରେ ନିଶ୍ଚିତ ଗୋଲ୍ ବରଣ କରିବାରୁ ବର୍ତ୍ତି ଯାଇଥିଲା ସ୍ୱିଡେନ୍। ଜୁଲିଆନ୍ ଡ୍ରାକ୍ସଲର ଓ ସେବାଷ୍ଟିଆନ୍ ଲାର୍ସନ୍ଙ୍କ ସଟ୍କୁ ସ୍ୱିଡେନ୍ ଡିଫେଣ୍ଡର ରୋକି ଦେଇଥିଲେ। ପରେ ଜର୍ମାନୀ ଗୋଲ୍ଦେବା ପୟାସରେ ବେଶ୍ ଆକ୍ରମଣାତ୍ମକ ଫୁଟ୍ବଲ ଖେଳିଥିଲା। ୫ମ ମିନିଟରେ ୟୋନାସ୍ ହେକ୍ଟରଙ୍କ ପ୍ରୟାସକୁ ଜର୍ମାନ ଡିଫେଣ୍ଡର ରୋକି ଦେଇଥିବା ବେଳେ ଜୁଲିଆନ୍ ଡ୍ରାକ୍ସଲର ଓ ମାର୍କୋ ରିଅସ୍ ୨ଟି ସୁଯୋଗ ହାତଛଡ଼ା କରିଥିଲେ। ଏହିପରି ଜର୍ମାନୀର ପ୍ରାଧାନ୍ୟ ଜାରି ରହିଥିଲା। ୩୨ ମିନିଟରେ ସ୍ୱିଡେନ୍ ଗୋଲ୍ ସ୍କୋର୍ କରିଥିଲା। ଭିକ୍ଟର କ୍ଲାଏସନ୍ଙ୍କ କ୍ରସ୍କୁ ଛାତିରେ ରୋକି ଆଗକୁ ଆସୁଥିବା ଜର୍ମାନୀ ଗୋଲ୍ରକ୍ଷକ ମାନୁଏଲ୍ ନ୍ୟୁଅରଙ୍କ ମୁଣ୍ଡ ଉପରେ ଲବ୍ କରି ଓଲା ଟୋଇଭୋନେନ୍ ଦର୍ଶନୀୟ ଗୋଲ୍ଦେଇ ସ୍ୱିଡେନ୍କୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧର ଇଞ୍ଜ୍ୟୁରି ସମୟରେ ମାର୍କସ ବର୍ଗଙ୍କ ହେଡରକୁ ଡାଇଭ୍ମାରି ଜର୍ମାନୀ ଗୋଲ୍ରକ୍ଷକ ମାନୁଏଲ୍ ନ୍ୟୁଅର ବାହାର କରି ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ଭିନ୍ନ ରଣନୀତି ନେଇ ଜର୍ମାନୀ ପଡ଼ିଆକୁ ଓହ୍ଲାଇଥିଲା। କିକ୍ ପରଠାରୁ ଘନଘନ ଆକ୍ରମଣ କରିଥିଲେ ଜର୍ମାନୀ ଖେଳାଳି। ୪୮ ମିନିଟରେ ଜର୍ମାନୀ ଗୋଲ୍ ସୁଝାଇ ପାରିଥିଲା। ଟିମୋ ୱେର୍ନର ସ୍ୱିଡେନ୍ ଗୋଲ୍ ସମ୍ମୁଖକୁ କ୍ରସ୍ ମାରିଥିଲେ। ବଲ୍ ପାଇ ସ୍ୱିଡେନ୍ର ଅଗଷ୍ଟିନ୍ସନଙ୍କୁ ଚକ୍ମାଦେଇ ସ୍ୱିଡେନ୍ ଗୋଲ୍ରକ୍ଷକ ଓଲ୍ସେନ୍ଙ୍କୁ ପରାସ୍ତ କରିଥିଲେ ଜର୍ମାନୀ ମିଡ୍ଫିଲ୍ଡର ମାର୍କୋ ରିଅସ୍। ୬୧ ମିନିଟରେ ଦଳ ପାଇଁ ତଥା ବ୍ୟକ୍ତିଗତ ୨ୟ ଗୋଲ୍ଦେବାରୁ ଅଳ୍ପକେ ବଞ୍ଚିିତ ହୋଇଥିଲେ। ଜୋସୁଆ କିମିଚ୍ଙ୍କ କ୍ରସ୍ରୁ ବଲ୍କୁ ଗୋଲ୍ମଧ୍ୟକୁ ମାର୍କୋ ରିଅସ୍ ପଠାଇ ଦେଇଥିଲେ। ୬୩ ଓ ୬୫ ମିନିଟରେ ଜର୍ମାନୀର ଟନି କ୍ରୁଜ୍ ଗୋଲ୍ ସୁଝାଇବାର ଲାଗଲାଗ ୨ଟି ସୁଯୋଗ ହାତଛଡ଼ା କରିଥିଲେ। ୨ୟ ଗୋଲ୍ ଲକ୍ଷ୍ୟରେ ଜର୍ମାନୀ ନିୟମିତ ଆକ୍ରମଣ କରି ଚାଲିଥିଲା। ୭୨ ମିନିଟରେ ସ୍ୱିଡେନ୍ ଅଧିନାୟକ ଆଣ୍ଡ୍ରିଆସ୍ ଗାନ୍କ୍ୱିଷ୍ଟ ଚମତ୍କାର ଢଙ୍ଗରେ ଜର୍ମାନୀର ଟିମୋ ୱେର୍ନରଙ୍କ ସଟ୍କୁ ବାହାର କରି ଦେଇଥିଲେ। ୮୧ ମିନିଟରେ କିମିଚ୍ଙ୍କ କ୍ରସ୍ରୁ ଟିମୋ ୱେର୍ନରଙ୍କ ସଟ୍ ଗୋଲ୍ପୋଷ୍ଟରେ ଚାଲି ଯାଇଥିଲା। ୮୨ ମିନିଟରେ ଜେରୋମ୍ ବୋଆଟେଙ୍ଗ୍ ୨ୟ ହଳଦିଆ କାର୍ଡ ପାଇ ପଡ଼ିଆ ଛାଡ଼ିବାରୁ ବାକି ସମୟ ଜର୍ମାନୀ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ୮୮ ମିନିଟରେ ସ୍ୱିଡେନ୍ ଗୋଲ୍ରକ୍ଷକ ଓଲ୍ସେନ୍ ଏକ ନିଶ୍ଚିତ ଗୋଲ୍ ବଞ୍ଚାଇ ଦେଇଥିଲେ। ଟନି କ୍ରୁଜ୍ଙ୍କ କ୍ରସ୍ରୁ ଜର୍ମାନୀର ମାରିଓ ଗୋମେଜ୍ ଶକ୍ତିଶାଳୀ ହେଡର ମାରିଥିଲେ ହେ ଓଲ୍ସେନ ଉପରକୁ ଡେଇଁ ବଲ୍କୁ ବାହାର କରି ଦେଇଥିଲେ। ଶେଷ ମିନିଟରେ ଟନି କ୍ରୁଜ୍ ଦର୍ଶନୀୟ ଗୋଲ୍ଦେଇ ଜର୍ମାନୀ ପ୍ରଥମ ବିଜୟ ଦେଇଥିଲେ।