୨୦୧୮ ବିଶ୍ୱକପ୍ରୁ ଆର୍ଜେଣ୍ଟିନାର ବିଦାୟ
କାଜାନ୍ : ଗତଥର ଚମ୍ପିଆନ୍ ଜର୍ମାନୀ ପରେ ଚଳିତ ଫୁଟ୍ବଲ ବିଶ୍ୱକପ୍ରୁ ଗତଥରର ରନର୍ସଅପ୍ ଆର୍ଜେଣ୍ଟିନା ମଧ୍ୟ ବିଦାୟ ନେଇଛି। ଶନିବାର ପ୍ରଥମ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ୪-୩ ଗୋଲ୍ରେ ପୂର୍ବତନ ଚମ୍ପିଆନ୍ ଫ୍ରାନ୍ସ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ଖେଳ ୧-୧ ସ୍ଥିତିରେ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ୫ଟି ଗୋଲ୍ ହୋଇଥିଲା। ୨ ଥର ଚମ୍ପିଆନ୍ ଆର୍ଜେଣ୍ଟିନାର ଏହି ପରାଜୟ ସହ ଲିଓନେଲ ମେସିଙ୍କ ବିଶ୍ୱକପ୍ ଜିତିବା ସ୍ୱପ୍ନ ଅଧୁରା ରହିଛି। ୩୧ ବର୍ଷ ବୟସ୍କ ମେସି ୨୦୨୨ ବିଶ୍ୱକପ୍ ଖେଳିବା ସନ୍ଦେହଜନକ। ଏହି ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍ରେ ଆର୍ଜେଣ୍ଟିନା ଏକଦା ୨-୧ ଗୋଲ୍ରେ ଆଗୁଆ ଥିଲେ ହେଁ ଫ୍ରାନ୍ସ ଆକ୍ରମଣାତ୍ମକ ଫୁଟ୍ବଲ ଖେଳି ବିଜୟୀ ହୋଇଛି। ଫ୍ରାନ୍ସ ପାଇଁ କେଲିୟାନ୍ ଏମ୍ବାପେ ୨ଟି ଗୋଲ୍ ଦେଇଥିବା ବେଳେ ଆଣ୍ଟୋଏନ୍ ଗ୍ରିଜ୍ମ୍ୟାନ୍ ଓ ବେଞ୍ଜାମିନ୍ ପାଭାର୍ଡ ଅନ୍ୟ ୨ଟି ଗୋଲ୍ ଦେଇଥିଲେ। ଆର୍ଜେଣ୍ଟିନା ପାଇଁ ଆଞ୍ଜେଲ ଡି ମାରିଆ ପ୍ରଥମ ଗୋଲ୍ ଦେଇଥିବା ବେଳେ ଗ୍ରାବିଏଲ୍ ମର୍କାଡୋ ୨ୟ ଏବଂ ସର୍ଜିଓ ଆଗ୍ୱ୍ୟୁରୋ ୩ୟ ଗୋଲ୍ ଦେଇଥିଲେ।