କୋରିଆକୁ ୧-୦ରେ ହରାଇଲା ସ୍ୱିଡେନ୍
ନିଝ୍ନି ନୋଭ୍ଗୋରୋଡ୍ : ଚଳିତ ଫିଫା ବିଶ୍ୱକପ୍ରେ ସୋମବାର ଗ୍ରୁପ୍ ‘ଏଫ୍’ର ମ୍ୟାଚ୍ରେ ବିଜୟୀ ହୋଇଛି ସ୍ୱିଡେନ୍। ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ସ୍ୱିଡେନ୍ ବିଜୟସୂଚକ ଗୋଲ୍ ଦେଇଥିଲେ। ପେନାଲ୍ଟିରୁ ଅଧିନାୟକ ଆଣ୍ଡ୍ରିଆସ୍ ଗାନ୍କ୍ୱିଷ୍ଟଙ୍କ ଗୋଲ୍ ବଳରେ କୋରିଆକୁ ୧-୦ ଗୋଲ୍ରେ ସ୍ୱିଡେନ୍ ପରାସ୍ତ କରିଛି। ଏହି ବିଜୟରୁ ୩ ପଏଣ୍ଟ ପାଇ ସ୍ୱିଡେନ ତା’ର ଅଭିଯାନ ଆରମ୍ଭ କରିଛି।
ମ୍ୟାଚ୍ ଆରମ୍ଭରୁ ଏସୀୟ ଦେଶ ଦକ୍ଷିଣ କୋରିଆ କିଛି ସଂଘବଦ୍ଧ ଆକ୍ରମଣ କରିବାର ପ୍ରୟାସ କରିଥିଲା। ୬ଷ୍ଠ ମିନିଟରେ କୋରିଆକୁ ଫ୍ରିକିକ୍ ମିଳିଥିଲା। ସୋନ୍ ହ୍ୟୁଙ୍ଗ୍ମିନ୍ଙ୍କ ଫ୍ରିକିକ୍ରୁ କିମ୍ ସିନ୍ ଉକ୍ ହେଡ୍ କରିଥିଲେ ହେଁ ବଲ୍ ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହିପରି ମ୍ୟାଚ୍ର ପ୍ରଥମ ୧୦ ମିନିଟ୍ରେ କୋରିଆର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା ଏବଂ ସ୍ୱିଡେନ୍ ନୈରାଶ୍ୟଜନକ ଫୁଟ୍ବଲ ଖେଳିଥିଲା। ୧୪ ମିନିଟରେ ସ୍ୱିଡେନ୍ ପ୍ରଥମ ସଂଘବଦ୍ଧ ଆକ୍ରମଣ କରିଥିଲା। ଡାହାଣ ପଟୁ ଭିକ୍ଟର କ୍ଲାଏସନ୍ ଏକ ଚମତ୍କାର ପାସ୍ ଦେଇଥିଲେ। ଏଥିରୁ ମାର୍କସ ବର୍ଗଙ୍କ ସଟ୍କୁ ଡିଫେଣ୍ଡର ଲି ୟଙ୍ଗ୍ କ୍ଲିଅର କରି ଦେଇଥିଲେ। ଏହିପରି ଧିରେଧିରେ ସ୍ୱିଡେନ୍ ଲୟକୁ ଫେରିଥିଲା। ୧୮ ମିନିଟରେ ଆଣ୍ଡ୍ରିଆସ୍ ଗାନ୍କ୍ୱିଷ୍ଟଙ୍କ ସଟ୍କୁ କିମ୍ ୟଙ୍ଗ୍-ଗ୍ୱୌନ୍ ରୋକିଥିଲେ। ୨୧ ମିନିଟରେ ସ୍ୱିଡେନ୍କୁ ଗୋଲ୍ଦେବାର ସୁବର୍ଣ୍ଣ ସୁଯୋଗ ମିଳିଥିଲା। କୋରିଆ ଗୋଲ୍ପୋଷ୍ଟ ସମ୍ମୁଖରେ ମାର୍କସ ବର୍ଗ ବଲ୍ ପାଇ କିକ୍ ମାରିଥିଲେ ହେଁ ଏହାକୁ ଦକ୍ଷିଣ କୋରିଆ ଗୋଲ୍ରକ୍ଷକ ଚୋ ହ୍ୟୁନ୍-ୟୁ ଚମତ୍କାର ଢଙ୍ଗରେ ରୋକି ଦେଇଥିଲେ। ଏହିପରି ୨୦ ମିନିଟ ପରେ ସ୍ୱିଡେନ୍ର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୨୯ ମିନିଟରେ ସ୍ୱିଡେନ୍ ପୁଣି ଏକ ସୁଯୋଗ ଛାଡ଼ିଥିଲା। କର୍ଣ୍ଣର କିକ୍ରୁ ବଲ୍ ମାର୍କସ ବର୍ଗଙ୍କ ପାଖରେ ପହଞ୍ଚିଥିଲା। ତେବେ ତାଙ୍କ କିକ୍କୁ କିମ୍ ୟଙ୍ଗ୍-ଗ୍ୱୌନ୍ ଅଟକାଇ ଦେଇଥିଲେ। ୩୪ ମିନିଟରେ ସୋନ୍ ହ୍ୟୁଙ୍ଗ୍-ମିନ୍ ବଲ୍ ନେଇ ସ୍ୱିଡେନ୍ ପେନାଲ୍ଟି ଏରିଆ ମଧ୍ୟରେ ପ୍ରବେଶ କରିଥିଲେ। ତେବେ ତାଙ୍କୁ ରୋକିବାରେ ସଫଳ ହୋଇଥିଲେ ଆଣ୍ଡ୍ରିଆସ୍ ଗାନ୍କ୍ୱିଷ୍ଟ। ୪୩ ମିନିଟରେ ମାର୍କସ ବର୍ଗ କୋରିଆ ଗୋଲ୍ରକ୍ଷକଙ୍କୁ ଚକ୍ମା ଦେଇ ସାରିଥିଲେ ହେଁ ସେ ପାସ୍ ଦେଇଥିବା ବଲ୍କୁ ଗୋଲ୍ପୋଷ୍ଟ ମଧ୍ୟକୁ ପଠାଇବାକୁ କେହି ନଥିଲେ। ମଧ୍ୟାନ୍ତରର ଠିକ୍ ପୂର୍ବରୁ ଏକ କ୍ରସ୍ରୁ ସେବାଷ୍ଟିଆନ୍ ଲାର୍ସନ ହେଡ୍ କରିଥିଲେ ହେଁ ବଲ୍ ଗୋଲ୍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ସ୍ୱିଡେନ୍ ଭିନ୍ନ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇଥିଲା। ଗୋଲ୍ଦେବା ପ୍ରୟାସରେ ଏହା ଅଧିକ ଆକ୍ରମଣ କରିଥିଲା। ଏକାଧିକ ପ୍ରୟାସ ବେକାର ହେବା ପରେ ୬୨ ମିନିଟରେ ସ୍ୱିଡେନ୍କୁ ପେନାଲ୍ଟି ମିଳିଥିଲା। କୋରିଆ ଗୋଲ୍ ସମ୍ମୁଖରେ ସ୍ୱିଡେନ୍ର ଭିକ୍ଟର କ୍ଲାଏସେନ୍ଙ୍କୁ କୋରିଆର କିମ୍ ମିନ୍ୟୁ ଫାଉଲ୍ମାରି ପକାଇ ଦେଇଥିଲେ। ଫଳରେ ସ୍ୱିଡେନ୍କୁ ପେନାଲ୍ଟି ମିଳିଥିଲା। ଏଥିରୁ ଅଧିନାୟକ ଆଣ୍ଡ୍ରିଆସ୍ ଗାନ୍କ୍ୱିଷ୍ଟ ଗୋଲ୍ ସ୍କୋର୍ କରିଥିଲେ। ଏହାପରେ କୋରିଆ ଆକ୍ରମଣ କରିଥିଲେ ହେଁ ସ୍ୱିଡେନ୍ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖି ପାରିଥିଲା। ଗୋଲ୍ଦେବାର ବ୍ୟଗ୍ରତାରେ କୋରିଆ କିଛି ତ୍ରୁଟି କରିଥିଲା।