‘ଫଣି’ କ୍ଷୟକ୍ଷତି ରିପୋର୍ଟ ଉନ୍ମୋଚିତ

ଭୁବନେଶ୍ୱର : ବାତ୍ୟା ‘ଫଣି କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ୨୯୩୧୫କୋଟି ଟଙ୍କାର ଆବଶ୍ୟକତା ରହିଛି। ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ପାଇଁ ଅର୍ଥର ଆବଶ୍ୟକତା(ଡ଼ିଏଏଏନଏ) ଉପରେ ପ୍ରସ୍ତୁତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସଚିବାଳୟଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ‘ଫଣି’ କ୍ଷୟକ୍ଷତି ଓ ପୁନରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ସମ୍ବନ୍ଧୀୟ ରିପୋର୍ଟ ଉନ୍ମୋଚନ କରିଛନ୍ତି।
ବି​‌େଶଷଜ୍ଞ ଦଳ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ବାତ୍ୟାରେ ସମୁଦାୟ ୨୪୧୭୬କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଭିତ୍ତିଭୂମିଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଏଗୁଡ଼ିକର ପୁନଃନିର୍ମାଣ ପାଇଁ ସମୁଦାୟ ନିର୍ଦ୍ଧାରିତ ଅର୍ଥର ଶତକଡ଼ା ୪୨ଭାଗ ଆବଶ୍ୟକତା ରହିଛି। ସେହିପରି ସାମାଜିକ କ୍ଷେତ୍ର ବିଶେଷ କରି ଗୃହ ନିର୍ମାଣ ପାଇଁ ଶତକଡ଼ା ୩୬ଭାଗ ଅର୍ଥର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ରିପୋର୍ଟ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫଣି ପରବର୍ତ୍ତୀ କ୍ଷୟକ୍ଷତି ଓ ପୁନରୁଦ୍ଧାର ଦିଗରେ ରାଜ୍ୟ ସରକାର ଠିକଣା ଢ଼ଙ୍ଗରେ ଫଳପ୍ରଦ ଭାବେ ମୁକାବିଲା କରିଛନ୍ତି। ୨୪ଘଣ୍ଟା ଭିତରେ ୧.୫ନିୟୁତ ଲୋକଙ୍କୁ ‌ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହିତ ଇତିହାସରେ ସର୍ବାଧିକ ସ୍ଥାନାନ୍ତର କରି ଏ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି। ବାତ୍ୟା ପରେ ବିଶ୍ବ ବ୍ୟାଙ୍କ, ଏସୀୟ ଉନ୍ନୟନ ବ୍ୟାଙ୍କ ଏବଂ ମିଳିତ ଜାତିସଂଘର ୧୦୦ରୁ ଅଧିକ ବି​‌େ​‌ଶଷଜ୍ଞ ୧୫ଟି କ୍ଷେତ୍ରରେ ଘଟିଥିବା କ୍ଷୟକ୍ଷତି ଓ ପୁନରୁଦ୍ଧାର ସଂକ୍ରାନ୍ତରେ ବିସ୍ତୃତ ଆକଳନ କରିଥିବାରୁ ଏଥିରେ ସେ ଆନନ୍ଦିତ। କ୍ଷୟକ୍ଷତି ଆକଳନ ରିପୋର୍ଟ ବାତ୍ୟାରୁ ରାଜ୍ୟକୁ କ୍ଷତିଭରଣା ତଥା ଭବିଷ୍ୟତ ପାଇଁ ଏକ ପ୍ରସ୍ତୁତି କୌଶଳ ପାଇଁ ବାଟ କଢ଼ାଇବ। ଓଡ଼ିଶା ପୁନର୍ଗଠନ ଦିଗରେ ଆଗେଇ ଆସିବାକୁ ଆମେ ଆନ୍ତର୍ଜାତିକ ସଂସ୍ଥା, ଜାତୀୟ ଏନଜିଓ, ଘରୋଇ କ୍ଷେତ୍ର ଏବଂ ନାଗରିକ ସଙ୍ଗଠନକୁ ଆମନ୍ତ୍ରଣ କରୁଛୁ ବୋଲି କହିଛନ୍ତି।
ରିପୋର୍ଟ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତରେ ଅବସ୍ଥାପିତ ଜାତିସଂଘର ସମନ୍ବୟକାରୀ ରେନାଟା ଲୋକ ଡ଼େସାଲିଏନ୍ ଉପସ୍ଥିତ ଥିଲେ। ବିଶ୍ବ ବ୍ୟାଙ୍କ, ଏସୀୟ ଉନ୍ନୟନ ବ୍ୟାଙ୍କ, ୟୁଏନଡ଼ିପି ଓ ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାଗୁଡ଼ିକର ଉଚ୍ଚପଦସ୍ଥ ଅଧିକାରୀ ଯୋଗଦେଇଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ଶାସନ ସଚିବ ତଥା ଓସଡ଼ମା ଏବଂ ଏସଆରସି ଅଫିସର ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଗତ ମେ ୩ର ପ୍ରଳୟଙ୍କରୀ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ଏହାର ପ୍ରଭାବରେ ୧୪ଟି ଜିଲାର ପ୍ରଭୂତ ଧନଜୀବନ କ୍ଷତିଗ୍ରସ୍ତ ହେବା ସହିତ ପ୍ରାୟ ୧କୋଟି ୬୫ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର, କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ବିଶ୍ବ ବ୍ୟାଙ୍କ, ଏସୀୟ ଉନ୍ନୟନ ବ୍ୟାଙ୍କ ଏବଂ ମିଳିତ ଜାତିସଂଘର ସହଯୋଗିତାରେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏକ ସୁବ୍ୟବସ୍ଥିତ ପୁନରୁଦ୍ଧାର ତଥା ବିପର୍ଯ୍ୟୟ ବିରୋଧୀ ଓଡ଼ିଶା ଗଠନର ଦୂରଦୃଷ୍ଟିକୁ ହାସଲ କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ। ଏହି ରିପୋର୍ଟରେ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ଓ ଭିତ୍ତିଭୂମି ନିର୍ମାଣ ତଥା ବିପର୍ଯ୍ୟୟ ପ୍ରତିରୋଧୀ ଜୀବିକା ଆଧାରିତ ଦୀର୍ଘସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟଶୈଳୀ ଉପରେ ଗୁରୁତ୍ବ ଦିଆଯାଇଛି।

kalyan agarbati

Comments are closed.