nua o banner

୨୩୫ ଅଯୋଗ୍ୟଙ୍କୁ ଛାତ୍ରବୃତ୍ତି ପ୍ରଦାନ ଦୁର୍ନୀତି, ପ୍ରାକ୍ତନ ପ୍ରଶାସକ ପ୍ରକାଶଚନ୍ଦ୍ର ରଥ ଗିରଫ

BSKY banner  750×100

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ମେଧାବୃତ୍ତି ପ୍ରଦାନରେ ହୋଇଥିବା ବଡ଼ଧରଣର ଦୁର୍ନୀତିରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗୁରୁବାର ବିଭାଗର ଜଣେ ଅବସରପ୍ରାପ୍ତ ପ୍ରଶାସକ ପ୍ରକାଶଚନ୍ଦ୍ର ରଥଙ୍କୁ ଗିରଫ କରିଛି। ଶ୍ରୀ ରଥଙ୍କୁ ତାଙ୍କ ବାଲିଅନ୍ତାସ୍ଥିତ ବାସଭବନରୁ ଗିରଫକରି ସ୍ଥାନୀୟ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀଙ୍କ ନିକଟରେ ହାଜର କରାଯାଇଛି।

ପୂର୍ବରୁ ଏଭଳି ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଅର୍ଥନୈତିକ ଅପରାଧ ଶାଖା ୨୦୧୭ରେ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଇ-ମେଧାବୃତ୍ତି ଯୋଜନାରେ ଉଚ୍ଚଶିକ୍ଷା ବିଭାଗରେ ୨୦୧୪-୧୫ ବର୍ଷରେ ମେଧାବୃତ୍ତି ପାଇଁ ଶହ ଶହ ଅଯୋଗ୍ୟ ଓ ଅନୁପଯୁକ୍ତ ଛାତ୍ରଛାତ୍ରୀଙ୍କୁ ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ପ୍ରଦାନ କରାଯାଇଥିଲା। ତେବେ ଏହି ଦୁର୍ନୀତିରେ ଅନେକ ଅର୍ଥ ବାଟମାରଣା ହୋଇଥିଲା। ଏପରିକି ଅନେକ ଛାତ୍ର ଗାଈ ଜଗୁଆଳି ଏବଂ ମାଟ୍ରିକ ପରୀକ୍ଷାରେ ଉର୍ତ୍ତୀଣ୍ଣ ହୋଇ ନ ଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗଠାରୁ ମେଧାବୃତ୍ତି ପାଇଥିଲେ। ତେବେ ଏହି ଦୁର୍ନୀତିରେ ତତ୍କାଳୀନ ଉଚ୍ଚଶିକ୍ଷା ବିଭାଗର ଅନୁସଚିବ ଥିବା ଶ୍ରୀ ରଥଙ୍କୁ ଗିରଫ କରିଛି।

୨୦୧୪-୧୫ ଶିକ୍ଷା ବର୍ଷରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନରେ ସ୍ବଚ୍ଛତା ଆଣିବା ଲାଗି ଅନ୍‌ଲାଇନ୍‌ ମାଧ୍ୟମରେ ପିଲାମାନଙ୍କୁ ମେଧାବୃତ୍ତି ପାଇଁ ଆବେଦନ କରିବାକୁ ପଡ଼ିଥିଲା। ଛାତ୍ରଛାତ୍ରୀମାନେ କେଉଁ ଅନୁଷ୍ଠାନ ବା ମହାବିଦ୍ୟାଳୟରେ ପାଠ ପଢୁଥିଲେ ସେ ନେଇ ଆବେଦନପତ୍ରରେ ଉଲ୍ଲେଖ କରିଥାନ୍ତି, ଯାହାକି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତର୍ଜମା କରାଯାଇଥାଏ। କିନ୍ତୁ ତତ୍କାଳୀନ ବିଭାଗୀୟ ଅନୁସଚିବ ଶ୍ରୀ ରଥ ଏହାକୁ ସିଧାସଳଖ ଅର୍ଥ ବିଭାଗର ମଞ୍ଜୁରି ପାଇଁ ପଠାଇଥିଲେ। ତଦନ୍ତ ବେଳେ ୨୩୫ ଜଣ ଅଯୋଗ୍ୟ ଶିକ୍ଷାର୍ଥୀଙ୍କୁ ୩୬.୧୦ ଲକ୍ଷ ଟଙ୍କା ମେଧାବୃତ୍ତି ପ୍ରଦାନ କରାଯାଇଥିବା ଜଣାପଡିଥିଲା। ଉଚ୍ଚଶିକ୍ଷା ବିଭାଗ ମନ୍ଦ ଉଦ୍ଦେଶ୍ୟ ନେଇ ଅଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମ ସୁପାରିସ କରିଥିବା ଜଣାପଡିଥିଲା। ଏପରିକି ଉଚ୍ଚଶିକ୍ଷା ବିଭାଗ କେଉଁ ଅନୁଷ୍ଠାନରେ ଏସବୁ ଛାତ୍ରଛାତ୍ରୀ ପାଠ ପଢୁଥିଲେ ତାହାକୁ ଯାଞ୍ଚ କରି ନ ଥିଲା। ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଜମାଖାତାକୁ ଟଙ୍କା ପଠାଇବା ଲାଗି ପରାମର୍ଶ ଦେଇଥିଲା। ଏହି ଘଟଣାର ଏବେ ବି ଖୋଳତାଡ଼ ଚାଲିଛି। ଅନ୍ୟ କାହାର ସମ୍ପୃକ୍ତି ପଦାକୁ ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.