୨୪ରୁ ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା ୨୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଉତ୍ତର-ପୂର୍ବ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ ଅଧିକ ଘନିଭୂତ ହୋଇ ୨୪ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଅବପାତ ଯୋଗୁଁ ୨୪ରେ ଜଗତସିଂହପୁର, କେନ୍ଦ୍ରାପଡା ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ୭ରୁ ୨୦ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ୭ରୁ ୧୧ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ଏବଂ କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି ବେଗରେ ପବନ ବହିପାରେ। ସମୁଦ୍ର ଅଶାନ୍ତ ଯୋଗୁଁ ୨୩ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦କି.ମି ରହବ। ୨୪ତାରିଖ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦କି.ମିକୁ ବଢ଼ିବ। ସ୍ଥଳବିଶେଷରେ ଝଟକା ପବନର ବେଗ ୭୦କି.ମି ରହିବା ସମ୍ଭାବନା ରହିଛି। ୨୩ତାରିଖ ପୂର୍ବରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବାଲେଶ୍ବର, ବାରିପଦା, କେନ୍ଦୁଝର, କୋରାପୁଟ, ଦାରିଙ୍ଗବାଡି, ଭଦ୍ରକ, ରାୟଗଡା ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଅଧିକ ରହିଛି। ଝାରସୁଗୁଡାରେ ଦିନ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୦ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ଉପକୂଳରେ ଅସହ୍ୟ ଗୁଳୁଗଳି ତଥା ଉଷ୍ମ-ଆର୍ଦ୍ର ପାଣିପାଗ ସ୍ଥିତି ଜାରି ରହିଛି। ଆଗାମୀ ୩ଦିନ ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ଯାଏଁ ତାତି ବଢ଼ିବା ସମ୍ଭାବନା ରହିଛି। ଏହି ସମୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଖୋର୍ଦ୍ଧାରେ ୪୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ନୂଆପଡା ୪୦.୪, ବୌଦ୍ଧ ୪୧, ବଲାଙ୍ଗିର ୪୧.୨, ଭବାନୀପାଟଣା ୪୦, ହୀରାକୁଦ ୪୧.୬, ସୁନ୍ଦରଗଡ ୪୧.୭, ସମ୍ବଲପୁର ୪୨, କେନ୍ଦୁଝର ୪୦, ଭୁବନେଶ୍ବର ୩୮.୮ ଏବଂ କଟକରେ ୩୮.୨ ଡିଗ୍ରୀ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ସମ୍ବଲପୁର, ସୁନ୍ଦରଗଡ କେନ୍ଦୁଝର, ବରଗଡ, ବୌଦ୍ଧ ଏବଂ ବଲାଙ୍ଗିରର କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଲାଗି ରହିବ। ନୂଆପଡାରେ ତାପମାତ୍ରା ୪୪ଡିଗ୍ରୀ ଟପିବା ସମ୍ଭାବନା ଥିବାବେଳେ ବୌଦ୍ଧରେ ୪୨ ଡିଗ୍ରୀ ଛୁଇଁପାରେ। ବରଗଡ, ସୁନ୍ଦରଗଡ, ରାଉରକେଲା, ଟିଟିଲାଗଡ ଏବଂ ସୁବର୍ଣ୍ଣପୁରରେ ପାରଦ ୪୦ରୁ ୪୧ ଡିଗ୍ରୀ ରହିବା ସମ୍ଭାବନା ରହିଛି। ଅପରାହ୍ଣରେ ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନ ସହିତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ନେଇ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଏବଂ କୋରାପୁଟ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comments are closed.