ପର୍ବତାରୋହୀଙ୍କ ବର୍ଜ୍ୟରେ ଏଭରେଷ୍ଟ ମଳିନ
କାଠମାଣ୍ଡୁ : ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଆରୋହଣ କରିବାର ନିଶା ଆମକୁ ଯେତିକି ଘାରୁଛି, ଏହା ଏଭରେଷ୍ଟକୁ ବିଶ୍ୱର ସର୍ବୋଚ୍ଚ ତଥା ସର୍ବାଧିକ ଆବର୍ଜନାପୂର୍ଣ୍ଣ ଅଞ୍ଚଳ ଭାବେ ନିନ୍ଦିତ କରାଇବାରେ ସେହି ପରିମାଣରେ ସହାୟକ ହେଉଛି। ପରିବେଶବିତ୍ମାନଙ୍କୁ ଏହା ଏବେ ଘୋର ଚିନ୍ତାରେ ପକାଇଛି।
କଥା ହେଉଛି, ବ୍ୟାବସାୟିକ ଭାବେ ଏଭରେଷ୍ଟ ଆରୋହଣ ଆରମ୍ଭ ହେବା ଦିନୁ ସେଠାରେ ପର୍ବତାରୋହଣକାରୀ ଛାଡ଼ି ଆସୁଥିବା ବ୍ୟବହାର୍ଯ୍ୟ ସାମଗ୍ରୀ ଜମି ରହି ଆବର୍ଜନାରେ ପରିଣତ ହେଉଛି। ଏଗୁଡ଼ିକୁ ସଫା କରିବାର ଯୋଜନା ହେଉ ନଥବବାରୁ ଏଭରେଷ୍ଟ ଶୃଙ୍ଗାଞ୍ଚଳ ଗତ ୬୫ବର୍ଷ ମଧ୍ୟରେ ବିଶ୍ୱର ସର୍ବୋଚ୍ଚ ଆବର୍ଜନାମୟ ସ୍ଥାନର ପରିଚୟ ଲାଭ କଲାଣି। ଏହା ଦ୍ୱାରା ସେଠାରେ ଉତ୍ତାପ ବୃଦ୍ଧି ପାଇବା ସହ ଏହା ବରଫ ଖଣ୍ଡ ତରଳିବାର କାରଣ ହୋଇଛି; ଜଳ ଉତ୍ସ ମଧ୍ୟ ପ୍ରଦୂଷିତ ହେଉଛି। କହିବାବାହୂଲ୍ୟ ଯେ ୬୫ବର୍ଷ ପୂର୍ବେ ଏଡ୍ମଣ୍ଡ ହିଲାରୀ ଓ ତେନ୍ଜିଙ୍ଗ ନର୍ଗେ ପ୍ରଥମେ ଏହି ଗିରିଶୃଙ୍ଗ ଆରୋହଣ କରିବା ସମୟରୁ ହିଁ ସେଠାରେ ପର୍ବତାରୋହୀଙ୍କ ବର୍ଜ୍ୟବସ୍ତୁ ଜମି ରହିଆସୁଛି। ଚଳିତ
ବର୍ଷ ମଧ୍ୟରେ ପ୍ରାୟ ୬୦୦ ପର୍ବତାରୋହୀ ଏଭରେଷ୍ଟ ଆରୋହଣ କରିସାରିଲେଣି; ସେହି ଅନୁସାରେ ହିସାବକୁ ନେଲେ ଆବର୍ଜନାର ପରିମାଣ କେତେ ହୋଇଥିବ ଭାବନ୍ତୁ ତ’! ପରିତାପର ବିଷୟ ହେଉଛି, ପର୍ବତାରୋହୀମାନେ ସେମାନଙ୍କର ଏହି କୁତ୍ସିତ ପଦଚିହ୍ନ ପ୍ରତି କେବେ ବି ସଚେତନ ହୋଇ ନାହାନ୍ତି।
ଏଭରେଷ୍ଟ ଆରୋହଣ ପ୍ରଥମେ ପର୍ବତାରୋହୀଙ୍କର ଏକ ନିଶା ଥିଲା, କିନ୍ତୁ କ୍ରମେ ଏହା ପେସାରେ ପରିଣତ ହେଲା ଓ ଏହାକୁ ଗତ କିଛି ଦଶନ୍ଧି ହେଲା ବ୍ୟାବସାୟିକ ଆଧାରରେ କାର୍ଯ୍ୟକାରୀ କରାଗଲା। ସେବେଠାରୁ ଏଭରେଷ୍ଟ ତଥା ଏହାର ପରିବେଶ ପ୍ରତି ବିପଦ ମାଡ଼ିଆସିଲା। ଶୃଙ୍ଗାଞ୍ଚଳରେ ଓ ଆରୋହଣକାରୀଙ୍କ ପାଇଁ ରହିଥିବା ବିଭିନ୍ନ ଶିବିରାଞ୍ଚଳରେ ସେମାନଙ୍କର ଫ୍ଲୋରୋସେଣ୍ଟ ତମ୍ବୁ, ପର୍ବତାରୋହଣ ପାଇଁ ବ୍ୟବହୃତ ବିଭିନ୍ନ ସହାୟକ ସାମଗ୍ରୀ, ଗ୍ୟାସ ସିଲିଣ୍ଡର, ଦଉଡ଼ି, ଲୁଗାପଟା, ଶୋଇବା ବ୍ୟାଗ୍, ମାନବ ମଳ, ପଲିଥିନ୍, ଖାଦ୍ୟ ସାମଗ୍ରୀ ଇତ୍ୟାଦି ବର୍ଷବର୍ଷ ଧରି ପଡ଼ି ରହିଛି। ଶୀତଳ ଅଞ୍ଚଳ ଯୋଗୁଁ ସେଗୁଡ଼ିକ ପ୍ରାୟତଃ ନଷ୍ଟ ହେଉ ନାହିଁ। ପ୍ରାୟ ୮୮୪୮ମିଟର ଆରୋହଣ ପଥର ବିଭିନ୍ନ ସ୍ଥାନରେ ଏଗୁଡ଼ିକ ଇତସ୍ତତଃ ପଡ଼ିଥିବା ଦେଖିବାକୁ ମିଳୁଛି। ଅଠର ଥର ଏଭରେଷ୍ଟ ଆରୋହଣ କରିଥିବା ପେମ୍ବା ଦୋର୍ଜେ ସେର୍ପାଙ୍କ କହିବାନୁସାରେ ଶୃଙ୍ଗ ଏବେ ଟନ୍ ଟନ୍ ଓଜନର ବର୍ଜ୍ୟବସ୍ତୁ ମୁଣ୍ଡାଇ ବସିଛି; ଯାହା କେବଳ ଦୃଷ୍ଟିକଟୁ ନାହିଁ; ବରଂ ବିରକ୍ତିକର ବୋଧ ହେଉଛି।
ତେବେ ପାଞ୍ଚ ବର୍ଷ ପୂର୍ବେ ନେପାଳ ସରକାର ଏହି ଆବର୍ଜନା ସଫା କରିବା ପାଇଁ କିଛିଟା ପଦକ୍ଷେପ ନେଇଥିଲେ। ପର୍ବତାରୋହୀ ଦଳଙ୍କ ପିଛା ଆବର୍ଜନା ବାବଦରେ ୪ହଜାର ଡଲାର ଜମା ପାଇଁ ବ୍ୟବସ୍ଥା କରିଥିଲେ। ପ୍ରତ୍ୟେକ ପର୍ବତାରୋହୀ ଯଦି ଜଣପିଛା ଅନ୍ୟୂନ ୮କିଲୋ ଆବର୍ଜନା ତଳକୁ ବୋହି ଆଣିବେ ତେବେ ଏହି ଟଙ୍କା ଫେରସ୍ତ ପାଇଁ ସର୍ତ୍ତ ରଖାଯାଇଥିଲା। ସେହିଭଳି ତିବ୍ଦତ ପଟରୁ ଯାଉଥିବା ପର୍ବତାରୋହୀଙ୍କ ପାଇଁ ତିବ୍ଦତ ସରକାରଙ୍କ ଦ୍ୱାରା ଜାରି ସର୍ତ୍ତ ଅନୁସାରେ ପ୍ରତ୍ୟେକ ପର୍ବତାରୋହୀ ଯଦି ଅନ୍ୟୂନ ୮କିଲୋ ଆବର୍ଜନା ତଳକୁ ନ ଆଣନ୍ତି ତେବେ ଜଣଙ୍କୁ ୧୦୦ ଡଲାର ଜୋରିମାନା ଦେବାକୁ ପଡ଼ିବ। ସାଗରମଥା ପ୍ରଦୂଷଣ ନିୟନ୍ତ୍ରଣ କମିଟି ସୂତ୍ର ଅନୁଯାୟୀ, ନେପାଳ ପଟରେ ୨୦୧୭ରେ ପର୍ବତାରୋହୀମାନେ ୨୫ଟନ୍ ବର୍ଜ୍ୟବସ୍ତୁ ସହିତ ୧୫ଟନ୍ ମାନବ ମଳ ତଳକୁ ବୋହି ଆଣିବାରେ ସମର୍ଥ ହୋଇଥିଲେ। ଏଗୁଡ଼ିକର ପରିମାଣ ତିନିଟି ଦୁଇ ମହଲା ବସ୍ରେ ଭର୍ତ୍ତି ହେଲା ଭଳି ଥିଲା। ତେବେ ଏହା ପ୍ରତିବର୍ଷ ଜମା ହେଉଥିବା ଆବର୍ଜନାର କିଛି ଅଂଶ ମାତ୍ର ଥିଲା। ଯେତିକି ଲୋକ ଶୃଙ୍ଗ ଆରୋହଣ କରୁଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ଅର୍ଦ୍ଧେକ ଉପରୋକ୍ତ ନିୟମ ପ୍ରତିପାଳନ କରୁଛନ୍ତି, ଅର୍ଥାତ୍ ଯେତିକି ଯାଉଛି ସେଥିରୁ ଅଧା ଫେରୁଛି। କିଛି ଅଧିକାରୀ ପର୍ବତାରୋହୀଙ୍କ ଜମା ଟଙ୍କା ବାଜ୍ୟାପ୍ତ କରିବା ପରିବର୍ତ୍ତେ ହାତଗୁଞ୍ଜା ନେଇ ସେମାନଙ୍କୁ ଏହା ଫେରାଇ ଦେଉଛନ୍ତିି। ଯେତିକି ଜୋରିମାନା ଆଦାୟ ହେଉଛି ତାହା ଲୋକଦେଖାଣିଆ ଓ ସମୁଦ୍ରକୁ ଶଙ୍ଖେ। ଧାର୍ଯ୍ୟ ନିୟମର ଯଥାଯଥ ପ୍ରତିପାଳନ ହେଉ ନଥିବା କହିଛନ୍ତି ପେମ୍ବା।
ଏଭରେଷ୍ଟ ଆରୋହଣ ଗତ ଦୁଇ ବର୍ଷ ମଧ୍ୟରେ ଏକ ଶିଳ୍ପରେ ପରିଣତ ହୋଇଛି। ବିଭିନ୍ନ ସଂସ୍ଥା ପର୍ବତାରୋହଣକୁ ପ୍ରୋତ୍ସାହିତ କରିବା ଦ୍ୱାରା ପର୍ଯ୍ୟଟକମାନେ ମାର୍ଗଦର୍ଶକଙ୍କ ସହାୟତାରେ ମଧ୍ୟ ସ୍ୱଳ୍ପ ବ୍ୟୟରେ ଏଭରେଷ୍ଟ ଆରୋହଣର ଅଭିଜ୍ଞତା ହାସଲ କରୁଛନ୍ତି। ଉପରୋକ୍ତ ସଂସ୍ଥାଗୁଡ଼ିକ ଆବର୍ଜନା ସଫେଇ ପ୍ରତି ଆଦୌ ଗୁରୁତ୍ୱ ଦେଉ ନାହାନ୍ତି। ଫଳରେ ଆବର୍ଜନା ପରିମାଣ ବୃଦ୍ଧି ପାଇଚାଲିଛି। ଏଭରେଷ୍ଟର ମୂଳରୁ ଚୂଳ ପର୍ଯ୍ୟନ୍ତ ଆବର୍ଜନା ସଫା ପାଇଁ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଓ ଏଥିପ୍ରତି ସମସ୍ତ ପକ୍ଷଙ୍କୁ ଉତ୍ତରଦାୟୀ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲେ ମଧ୍ୟ ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଗତ ମାସରେ ଏକ ୩୦ଜଣିଆ ସ୍ୱତନ୍ତ୍ର ସଫେଇ ଦଳ ସାଢ଼େ ୮ଟନ୍ ଆବର୍ଜନା ସଫା କରିବାରେ ସଫଳ ହୋଇଥିଲେ ମଧ୍ୟ ଏହାକୁ ନିୟମିତ କାର୍ଯ୍ୟକାରିବା ସମ୍ଭବପର ହେଉ ନଥିବା ପର୍ବତାରୋହୀ ସଂଘ ପକ୍ଷରୁ କୁହାଯାଇଛି। ନେପାଳ ସରକାରଙ୍କ ପକ୍ଷରୁ ଏହାର ପ୍ରତିକାର ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
ପର୍ବତାରୋହୀଙ୍କ ବର୍ଜ୍ୟରେ…