ଏକମାତ୍ର ଟେଷ୍ଟ : ଇଂଲଣ୍ଡ ୮୫ ରନ୍ରେ ଅଲ୍ଆଉଟ
ଆୟରଲାଣ୍ଡ ପେସର୍ଙ୍କ ଘାତକ ବୋଲିଂ; ମୁର୍ତାଗ୍ଙ୍କୁ ୫ ୱିକେଟ
ଲର୍ଡସ : ମାତ୍ର ୧୦ ଦିନ ତଳେ ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ଇଂଲଣ୍ଡ ଦଳ ତା’ର କ୍ରିକେଟ ଇତିହାସରେ ଅନ୍ୟତମ ଲଜ୍ଜାକର ବ୍ୟାଟିଂ ପ୍ରଦର୍ଶନ କରିଛି। ପଡ଼ୋଶୀ ଆୟରଲାଣ୍ଡ ବିପକ୍ଷରେ ବୁଧବାର ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟମ୍ୟାଚ୍ର ପ୍ରଥମ ଦିନେର ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୮୫ ରନ୍କରି ଅଲ୍ଆଉଟ ହୋଇଯାଇଛି। ଆୟରଲାଣ୍ଡର ପେସ୍ ବୋଲର ଟିମ୍ ମୁର୍ତାଗ୍ ଘାତକ ବୋଲିଂକରି ୫ଟି ୱିକେଟ ନେବାରୁ ଘରୋଇ ଇଂଲଣ୍ଡ ଏପରି ଅବସ୍ଥା ଭୋଗିଛି। ପ୍ରଥମଥର ପାଇଁ ଇଂଲଣ୍ଡ ଏକ ଟେଷ୍ଟମ୍ୟାଚ୍ରେ ଭୋଜନ ବିରତି ପୂର୍ବରୁ ଅଲ୍ଆଉଟ ହୋଇଛି। ପୁଣି ମାତ୍ର ୨୩.୪ ଓଭରରେ ଅଲ୍ଆଉଟ ହୋଇଥିବା ଇଂଲଣ୍ଡ ଦଳର ଘରୋଇ ମାଟିରେ ଏହା ସବୁଠାରୁ କ୍ଷୁଦ୍ରତମ ଇନିଂସ। ପୁଣି ଘରୋଇ ମାଟିରେ ୮୫ ରନ୍ ଇଂଲଣ୍ଡ ଦଳର ୯ମ ସର୍ବନିମ୍ନ ସ୍କୋର୍।
ପରେ ଅୟରଲାଣ୍ଡ ପ୍ରଥମ ଇନିଂସରେ ଆଗୁଆ ହୋଇଛି। ସର୍ବଶେଷ ସମ୍ବାଦ ମିଳିବା ବେଳକୁ ଆୟରଲାଣ୍ଡ ୬ ୱିକେଟ ହରାଇ ୧୪୮ ରନ୍ କରିଛି। ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ପାଗ ଶୁଖିଲା ଥିଲେ ହେଁ ପିଚ୍ରୁ ଫାଇଦା ଉଠାଇ ଫାଷ୍ଟବୋଲର ଟିମ୍ ମୁର୍ତାଗ୍ ଘାତକ ବୋଲିଂ କରିଥିଲେ। ଇଂଲଣ୍ଡର ଦୁଇ ଓପ୍ନର ରୋରି ବର୍ନସ ଓ ଜେସନ୍ ରୟ ଯଥାକ୍ରମେ ୬ ଓ ୫ ରନ୍କରି ମୁର୍ତାଗ୍ଙ୍କ ଶିକାର ହୋଇଥିଲେ। ଜୋ ଡେନ୍ଲି କିଛି ସମୟ କ୍ରିଜ୍ରେ ରହିଥିଲେ ହେଁ ତାଙ୍କୁ ଛାଡ଼ି ଉପର ଅର୍ଡରର କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର୍ କରି ପାରିନଥିଲେ। ଅଧିନାୟକ ଜୋ ରୁଟ୍ ୨ ରନ୍ କରିଥିବା ବେଳେ ଜନି ବେୟାରଷ୍ଟୋ, ମୋଇନ୍ ଅଲୀ ଓ କ୍ରିସ୍ ୱକ୍ସ ଖାତା ଖୋଲି ପାରିନଥିଲେ। ଜୋ ଡେନ୍ଲି ୨୮ ବଲ୍ରୁ ୪ଟି ଚୌକା ସହ ସର୍ବାଧିକ ୨୩ ରନ୍ କରିଥିଲେ। ୪୩ ରନ୍ରେ ୭ଟି ୱିକେଟ ହରାଇ ଇଂଲଣ୍ଡ ଦୟନୀୟ ସ୍ଥିତିରେ ଥିଲା। ସାମ୍ କରନ୍ ୧୬ ବଲ୍ରୁ ୨ଟି ଚୌକା ସହ ୧୮ ଓ ଓଲି ଷ୍ଟୋନ୍ ୧୮ ବଲ୍ରୁ ୪ଟି ଚୌକା ସହ ୧୯ ରନ୍କରି ଦଳକୁ ୮୫ ରନ୍ରେ ପହଞ୍ଚାଇ ପାରିଥିଲେ। ୩୮ ବର୍ଷ ବୟସ୍କ ଟିମ୍ ମୁର୍ତାଗ୍ ଜୀବନର ୩ୟ ଟେଷ୍ଟମ୍ୟାଚ୍ ଖେଳି ଶ୍ରେଷ୍ଠ ବୋଲିଂ ସଫଳତା ହାସଲ କରିଥିଲେ। ମୁର୍ତାଗ୍ ୯ ଓଭରରୁ ୧୩ ରନ୍ଦେଇ ୫ଟି ୱିକେଟ ପାଇଥିଲେ। ମାର୍କ ଆଡାୟର ୩ଟି ଓ ବଏଡ୍ ରାଙ୍କିନ୍ ୨ଟି ୱିକେଟ ପାଇଥିଲେ।
Comments are closed.