ପିଲା ଚୋର ଭାବି ଦୁଇ ଇଞ୍ଜିନିୟରଙ୍କୁ ହତ୍ୟା

0

ଗୁଆହାଟି : ଗୁଜବକୁ ନେଇ ମେଘାଳୟର ସିଲଂରେ ଗତ ସପ୍ତାହରେ ବ୍ୟାପକ ହିଂସାକାଣ୍ଡ ଘଟିଥିବାବେଳେ ପୁଣି ସେହି ଗୁଜବ ପାଇଁ ପିଲା ଚୋର ସନ୍ଦେହରେ ଲୋକେ ଦୁଇ ଜଣ ଯୁବ ଇଞ୍ଜନିୟରଙ୍କୁ ପିଟିପିଟି ମାରି ଦେଇଛନ୍ତି। ଆସାମର କାର୍ବି ଆଙ୍ଗଲଙ୍ଗ ଜିଲାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ଗୁଆହାଟିର ଅଭିଜିତ ନାଥ(୨୮) ଓ ନୀଳୋତ୍ପଳ ଦାସ(୩୦) ନାମକ ଦୁଇ ବନ୍ଧୁ ପିକ୍‍ନିକ୍‍ ପାଇଁ କାନ୍ଥ ଲାଙ୍ଗସଉ ନାମକ ସ୍ଥାନକୁ ନିଜ କାରରେ ଯାଉଥିବାବେଳେ ସନ୍ଦେହରେ ଲୋକେ ସେମାନଙ୍କୁ ଡୋକମୋକା ସହରଠାରୁ ପ୍ରାୟ ୧୬କିମି ଦୂର ପାଞ୍ଜୁରୀ କଚୁରୀ ଗାଁ ନିକଟରେ ଅଟକାଇଥିଲେ। କେହି ସେମାନଙ୍କୁ ଦୁଇ ଜଣ ଯୁବକ କଳା ରଙ୍ଗର କାରରେ ଏକ ପିଲାକୁ ଧରି ଯାଉଥିବା ଖବର ଦେବାରେ ଗ୍ରାମବାସୀ ଏଭଳି କରିଥିଲେ। ଯୁବକ ଦୁଇଜଣ ନିଜକୁ ଆସାମବାସୀ ଓ ନିର୍ଦୋଷ ବୋଲି ଯେତେ ଚିତ୍କାର କରି ପରିଚୟ ଦେଲେ ମଧ୍ୟ ଗ୍ରାମବାସୀ ଶୁଣି ନଥିଲେ। ଏମିତିକି ଗାଁ ମୁଖିଆଙ୍କ କଥା ପ୍ରତି ମଧ୍ୟ ସେମାନେ ଗୁରୁତ୍ୱ ଦେଇ ନଥିଲେ। ପ୍ରାୟ ୨୫୦ ଲୋକ ବାଉଁଶ ଓ କାଠରେ ପ୍ରବଳ ପିଟିବାରେ ଯୁବକ ଦୁହିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପୁଲିସ ଏହି ଘଟଣାର ତଦନ୍ତ କରି ତୁରନ୍ତ ସତ୍ୟ ସାମ୍ନାକୁ ଆଣିବାରେ ସକ୍ଷମ ହୋଇଛି; ତେବେ ଘଟଣା ପଛରେ ଥିବା ଲୋକଙ୍କୁ ଏବେ ଖୋଜୁଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ପୁଲିସ ଡିଜିଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ ମଧ୍ୟ ମାତ୍ର ୪ଜଣଙ୍କୁ ଗିରଫ କରାଯାଇପାରିଛି। ଉଲ୍ଲେଖଯୋଗ୍ୟ ଯେ ନୀଳୋତ୍ପଳ ଜଣେ ଖ୍ୟାତନାମା ସାଉଣ୍ଡ ଇଞ୍ଜିନିୟର। ସେ ଗୋଆସ୍ଥିତ ଜଣେ ସାଥୀ ସୀମା ଲୁନାଙ୍କ ସହିତ ମିଶି ଇମେଣ୍ଟ ମ୍ୟାନେଜମେଣ୍ଟ ବ୍ୟବସାୟ ଚଳାନ୍ତି। ସେହିଭଳି ଅଭିଜିତ ଜଣେ ମେକାନିକାଲ ଇଞ୍ଜିନିୟର ହୋଇଥିଲେ ମଧ୍ୟ ବ୍ୟବସାୟୀ। ଉଭୟଙ୍କ ବାପା -ମାଆ ଉଚ୍ଚ ଶିକ୍ଷିତ। ଦୁଇ ସାଙ୍ଗ ମାଛ ଧରିବା ପାଇଁ ସ୍କର୍ପିଓ ଗାଡ଼ିରେ ଡୋକମୋକା ଯାଉଥିଲାବେଳେ ଏଭଳି ଅଘଟଣ ଘଟିଥିଲା।

Leave A Reply