ସମୃଦ୍ଧିର ସମ୍ଭାବନାରେ ରାଜନୀତିର ଭୂମିକା
ଦେବେନ୍ଦ୍ର କୁମାର ବିଶ୍ବାଳ
୬୯୬/୯୨୩ ବିଜେବିନଗର,
ଭୁବନେଶ୍ବର
ଚେକ୍ ସାଧାରଣତନ୍ତ୍ରର ପ୍ରେଗ୍ ପ୍ରାସାଦରେ ଥିବା ବଲଗେମ୍ ହଲରେ ଚୀନ ରାଷ୍ଟ୍ରଦୂତ ଝାଙ୍ଗ୍ ଜିଆନ୍ମିନ୍, ଚୀନ ରାଷ୍ଟ୍ରପତି ଜି. ଜିନପିଙ୍ଗଙ୍କ ବକ୍ତବ୍ୟ ଉଦ୍ଧାର କରି କହିଥିଲେ- ଇତିହାସ କୌଣସି ନା କୌଣସି ସମୟରେ ଜନସାଧାରଣଙ୍କୁ ଜ୍ଞାନ ଆହାରଣ କରିବା ଓ ପ୍ରଗତି ପଥରେ ଆଗେଇ ଯିବା ଲାଗି ସୁବିଧାସୁଯୋଗ ଦେଇଥାଏ। ପୁଣି କହିଥିଲେ, ବିଶ୍ବବାସୀଙ୍କ ଲାଗି ୨୦୧୮ ସେହିପରି ଏକ ବର୍ଷ। ୧୯୪୯ରେ ଚିଆଙ୍ଗ୍ କାଇସେକ୍ଙ୍କ ଶାସନରୁ ଚୀନକୁ ମୁକ୍ତ କଲାପରେ ମାଓ ସେ ତୁଙ୍ଗ ସମଗ୍ର ଚୀନରେ ଶାସନ ସଂସ୍କାର ଲାଗି କଲଚରାଲ ରିଭଲ୍ୟୁସନ ଓ ଗ୍ରେଟ୍ ଲିପୁ ଫରୱାର୍ଡ ପରି ବ୍ୟବସ୍ଥା ଦ୍ବାରା ରକ୍ତର ନଦୀ ବୁହାଇଥିଲେ। ହେଲେ ଅବସ୍ଥାର ସାମାନ୍ୟ ଉନ୍ନତି ଘଟି ନଥିଲା। ମାଓଙ୍କ ମୃତ୍ୟୁ ଘଟିଲା ୧୯୭୬ରେ। ୧୯୭୯ ବେଳକୁ ବାସ୍ତବବାଦୀ ଡେଙ୍ଗ୍ ସିଆଓ ପିଙ୍ଗ୍ ଶାସନ ବ୍ୟବସ୍ଥାକୁ ରୂପରଙ୍ଗ ଦେବା ଅବସ୍ଥାକୁ ଆସିଗଲେ। ସେ ଏକ ନିଚ୍ଛକ ସତର ଅବତାରଣା କରି କହିଲେ ବିରାଡ଼ିଟି କଳାରଙ୍ଗର ହେଉ ବା ଧଳା ରଙ୍ଗର ହେଉ, ସେ ଆମ ପାଇଁ ଆବଶ୍ୟକ, ଯେ ପର୍ଯ୍ୟନ୍ତ ସେ ମୂଷା ମାରିବା ଯୋଗ୍ୟ। ସେହିଠାରୁ ଆରମ୍ଭ ହେଲା ବାମପନ୍ଥୀ ଚିନ୍ତା ଉପରେ ବାସ୍ତବବାଦୀ କାର୍ଯ୍ୟପ୍ରଣାଳୀର ଅଧିକ ଆକର୍ଷଣ।
ଏବେ ଚୀନ ଏକ ଭିନ୍ନ ବାର୍ତ୍ତାର ବାହକ। ରାଜନୀତି, ବୈଦେଶିକ ନୀତି ଓ ଅର୍ଥନୀତିରେ ବିିଭିନ୍ନ ଝଡ଼- ବିଭିନ୍ନ ଗତିରେ। ପ୍ରେଗର ‘ନିଉ ସିଲକ୍ ରୋଡ଼’ ଆନୁକୂଲ୍ୟରେ ଆୟୋଜିତ ସଭାରେ ଜିଆନମିନ୍ ‘ବେଲଟ୍ ଆଣ୍ଡ ରୋଡ଼୍ ଇନିସିଏଟିଭ’ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସମଗ୍ର ଇଉରୋପରେ ଚୀନ ପ୍ରତି ଅସୂୟା ପ୍ରାୟ ସ୍ପଷ୍ଟ। ଶୀତଳ ଯୁଦ୍ଧ ଶେଷ ହେଲାପରେ ମଧ୍ୟ ସହୃଦୟତାରେ ଆନ୍ତରିକତାର ଅଭାବ ପରିଲକ୍ଷିତ ହୁଏ; କିନ୍ତୁ ଚୀନର ଅର୍ଥଶକ୍ତି ସମଗ୍ର ଇଉରୋପିଆନ ୟୁୂନିଅନକୁ କବଳିତ କରିସାରିଲାଣି। ଏହି ଦେଶମାନଙ୍କରେ ୨୦୧୫ରେ ଚୀନର ପୁଞ୍ଜିନିବେଶ ୧୬ ବିଲିଅନ ଡଲାର ଥିବାବେଳେ ୨୦୧୬ ବେଳକୁ ୩୬ ବିଲିଅନ ଡଲାର। ବ୍ଲମବର୍ଗର ଏକ ବିଶ୍ଳେଷଣରୁ ଜଣାଯାଏ ଯେ ଗତ ୧୦ ବର୍ଷରେ ଶକ୍ତି ଭିତ୍ତିଭୂମି ଓ ରାସାୟନିକ ପଦାର୍ଥ କ୍ଷେତ୍ରରେ ଚୀନର ପୁଞ୍ଜିନିବେଶ ସମଗ୍ର ଇଉରୋପର ପୁଞ୍ଜିନିବେଶର ୬୩%। ସୁଇସ୍ ପେଷ୍ଟସାଇଡ ଫାର୍ମ ସିନଜେଣ୍ଟା, ଗ୍ରୀସର ସର୍ବବୃହତ ବନ୍ଦର ପିରାୟସ୍, ବ୍ରିଟିଶ ଆଣବିକ ଶକ୍ତି କେନ୍ଦ୍ର ହିନକଲି ପଏଣ୍ଟ, ଲଣ୍ଡନର ହିଥ୍ରୋ ବିମାନବନ୍ଦର, ଜର୍ମାନୀର ଫ୍ରାଙ୍କଫୋର୍ଟ ହାନ୍ରେ ଚୀନର ଅଂଶଧନ ଅଧିକରୁ ଅଧିକ ହେବାରେ ଲାଗିଛି। ଅସଂଖ୍ୟ ମଧ୍ୟମ ଏବଂ କ୍ଷୁଦ୍ର କମ୍ପାନୀମାନେ ଚୀନ ଅର୍ଥରେ ପ୍ରତିଷ୍ଠିତ ହେବାକୁ ଲାଗିଛନ୍ତି।
ଅର୍ଥଶକ୍ତିର ଅର୍ଥପୂର୍ଣ୍ଣ ବ୍ୟବହାରରେ ଚୀନର ସମକକ୍ଷ ହେବା ଅବସ୍ଥାରେ କେହି ନାହାନ୍ତି। ଆମେରିକାର ପ୍ରଭାବକୁ ପ୍ରତିହତ କରିବାପାଇଁ ସୁଚିନ୍ତିତ ଉପାୟରେ ଧନଶାଳୀ ହେବା, କ୍ଷମତା ବିସ୍ତାର କରିବା, ଏସୀୟ, ଆଫ୍ରିକୀୟ, ଇଉରୋପୀୟ ରାଷ୍ଟ୍ରମାନଙ୍କରେ ଅର୍ଥଶକ୍ତିର ଅର୍ଥପୂର୍ଣ୍ଣ ବ୍ୟବହାର କରିବାରେ ଚୀନ ନିଜର ଛାପ ଛାଡ଼ିଲାଣି। ଜି.ଜିନପିଙ୍ଗଙ୍କ ବ୍ୟକ୍ତିତ୍ବ, ଉଚ୍ଚାଭିଳାଷ, ସୁଚିନ୍ତିତ ବୈଦେଶିକ ନୀତି ଚୀନର ପ୍ରତିଷ୍ଠାକୁ ବିଶ୍ବ ସମ୍ମୁଖରେ ପ୍ରତିପାଦିତ କରିସାରିଲେଣି। ଏହା କ’ଣ କୌଣସି ଉଦ୍ଦେଶ୍ୟ ଚରିତାର୍ଥ କରିବାଲାଗି ମାଧ୍ୟମ ମାତ୍ର! ମାତ୍ର ସାତ ଆଠ ବର୍ଷତଳେ ଇଉରୋପୀୟ ଦେଶମାନଙ୍କ ସହ ସହଭାଗିତା ଲାଗି କୌଣସି ପଦକ୍ଷେପକୁ ହତାଦର କରି ନଥିବା ଚୀନ ଏବେ ଇଉରୋପକୁ ପ୍ରବେଶ କରିବା, କୌଣସି ସୁପରମାର୍କେଟରେ ପ୍ରବେଶ କରିବାପରି ମନେ କରୁଛି।
ଏହିଠାରେ ଗୋଟିଏ ବଡ଼ କଥା ନଜର ପଡ଼େ। ଛୋଟଛୋଟ ରାଷ୍ଟ୍ରମାନେ ମଧ୍ୟ ଏଠାରେ ରେଡ଼ କାର୍ପେଟ ସମ୍ବର୍ଦ୍ଧନା ପାଆନ୍ତି ଯାହା ବଡ଼ମାନେ ପାଆନ୍ତି। ଜଣେ କୂଟନୀତିଜ୍ଞଙ୍କ ଭାଷାରେ ୱାଶିଂଟନଠାରୁ ବେଜିଙ୍ଗରେ କୂଟନୈତିକ ସମ୍ମାନ ଅଧିକ। ଏହା ସହିତ ଚୀନର ଦୂରଦୃଷ୍ଟି ପ୍ରଶଂସାର୍ହ। ଚୀନ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନଙ୍କୁ ଏକ ଇନଭେଷ୍ଟମେଣ୍ଟ ଫଣ୍ଡ୍ର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛି। ଫ୍ରାନ୍ସର ପୂର୍ବ ପ୍ରଧାନମନ୍ତ୍ରୀ ଜିଆଁ ପିଆରେ, ରାଫାରିନ୍ଙ୍କୁ ଏକ ବଡ଼ କମ୍ପାନୀର ନିର୍ଦେଶକ ରଖିଛନ୍ତି। ଜର୍ମାନୀର ପୂର୍ବତନ ଭାଇସ ଚାନସେଲର ଫିଲିପ୍ ରସଲର ଏକ ଶିଳ୍ପ ସମୂହର ମୂଖ୍ୟ। ଏହା ଚୀନର ସର୍ବବୃହତ୍ ବଦାନ୍ୟ ସଂସ୍ଥା। ଆରବ ରାଜ୍ୟଗୁଡ଼ିକ ଏପରି ଅସ୍ଥିରତା ଓ ଦୁର୍ବଳତା ମଧ୍ୟରେ କାଳାତିପାତ କରୁଛନ୍ତି ଯେ ଚୀନର ନୈତିକ, ଆର୍ଥିକ ଓ ବୈଦେଶିକ ସମର୍ଥନ ତାଙ୍କ ପାଇଁ ଅମୃତ ପରି। ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ନେପାଳଠାରୁ ଆରମ୍ଭକରି ଇଉରୋପୀୟ ଦେଶଗୁଡ଼ିକ ପର୍ଯ୍ୟନ୍ତ ଚୀନ ଅର୍ଥନୀତିରେ ବନ୍ଦୀ। ପ୍ରଭାବ ବିସ୍ତାର ଅର୍ଥପୂର୍ଣ୍ଣ ଓ ସ୍ପଷ୍ଟ। ସମଗ୍ର ବିଶ୍ବର କୂଟନୀତିଜ୍ଞମାନେ ଯାହା ବିଶ୍ଳେଷଣ କରନ୍ତୁ ନା କାହିଁକି, ଚୀନର ସିଲକ ରୋଡ଼ ଓ ବିଆରଆଇ ଅପରିହାର୍ଯ୍ୟ ହୋଇପଡ଼ିବ ମିଆଁମାରର କ୍ୟାଉକ୍ପୁଅ ବନ୍ଦର ଓ ଶ୍ରୀଲଙ୍କାର ହାମ୍ବାଣ୍ଟୋଟା ବନ୍ଦର ନିର୍ମାଣ ସରିଲେ। ଏହା ସାହାଯ୍ୟରେ ଚୀନର ଯେ କୌଣସି ପ୍ରାନ୍ତରରୁ କ୍ୟାଉକ୍ଫ୍ୟୁ ମଧ୍ୟ ଦେଇ ଆର୍କଟିକ୍, ଭାରତ ମହାସାଗର, ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକରେ ଚୀନ ସହଜରେ ନିଜର ଉପସ୍ଥିତି ଜାହିର କରିପାରିବ।
ପାଞ୍ଚସାତ ବର୍ଷରେ ଚୀନର ଅଗ୍ରଗତି କେଉଁଠି ପହଞ୍ଚିବ ବା ଚୀନ କେତେ ଧନଶାଳୀ ହେବ ବା ଚୀନ ସାମ୍ରାଜ୍ୟ ବିସ୍ତାର ଦିଗରେ କେତେ ସଫଳ ହେବ, ତାହା ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଉଛି, ମାତ୍ର ୪୦ ବର୍ଷ ମଧ୍ୟରେ ଗୋଟିଏ ଦେଶ ଯାହାର ମୁଣ୍ଡ ପିଛା ଆୟ ଭାରତର ମୁଣ୍ଡପିଛା ଆୟଠାରୁ କମ ଥିଲା, ତା’ର ସମୃଦ୍ଧି ଏତେ କିପରି! ଏହା ନିଶ୍ଚିତ ଯେ ଚୀନାମାନେ ସାହସୀ, ବୁଦ୍ଧିମାନ, କୁଶଳୀ ଓ ଉଦ୍ୟୋଗୀ ଥିଲେ ଶହଶହ ବର୍ଷଧରି। ପଞ୍ଚଦଶ ଶତାବ୍ଦୀରେ ଚୀନ ସମୃଦ୍ଧ ଥିଲା। ୧୪୦୫ରେ ସର୍ବବୃହତ୍ ନୌଭେଳା ନେଇ ଆଡ଼ମିରାଲ ଝେଙ୍ଗ୍ ହି ପାରସ୍ୟ ଉପସାଗର, ଭାରତ ମହାସାଗର ଲୋହିତ ସାଗର ପରିକ୍ରମା କରିଥିଲେ। ଏହି ନୌଭେଳାରେ ବିିଭିନ୍ନ ପେସାରେ ଉତ୍କର୍ଷ ଲାଭ କରିଥିବା ୩୭,୦୦୦ ନାବିକ ଥିଲେ। ଶହଶହ ଜାହାଜ ଥିଲା। ସର୍ବବୃହତ୍ ଜାହାଜର ଲମ୍ବଥିଲା ୪୦୦ ଫୁଟ; କିନ୍ତୁ ଏହି ସମୟର ଅନେକ ଦଶନ୍ଧି ପରେ କଲମ୍ବସଙ୍କ ନୌଭେଳାରେ ସର୍ବବୃହତ ଜାହାଜ ଥିଲା ୮୫ ଫୁଟ (ସାନ୍ତାମାରିଆ)।
ହଠାତ ଇତିହାସ କଡ଼ ବଦଳାଇଲା। ଏହି ମିଙ୍ଗ ଶାସନରେ ନୌଯାତ୍ରା ନିଷିଦ୍ଧ ହେଲା। ବୈଙ୍ଗ ହିଁ’ଙ୍କ ବିସ୍ତୃତ ସମୁଦ୍ର ଯାତ୍ରାର ବିବରଣୀ ନଷ୍ଟ କରିଦିଆଗଲା। ଜାହାଜ ନିର୍ମାଣ ବେଆଇନ ହେଲା। ସମୁଦ୍ର କୂଳର ୧୭ ମାଇଲ ସ୍ଥଳ ଭାଗକୁ ପ୍ରବେଶ କରିବା ବାରଣ କରାଗଲା। ଯେଉଁ ଚୀନାମାନେ ପ୍ରଥମେ ଗୋଲାବାରୁଦ ଉଦ୍ଭାବନ କରିଥିଲେ, ଘଣ୍ଟା, କମ୍ପାସ, କାଗଜ, କାଗଜତିଆରି ନୋଟ, ଚୀନାମାଟି (ପୋରସିଲିନ୍), ଲୌହ ସାମଗ୍ରୀ, ବ୍ଲାଷ୍ଟ ଫେର୍ଣ୍ଣସ, ସୂତାକଟା ଚକ ପ୍ରଭୃତିର ଉଦ୍ଭାବକ ଥିଲେ ସେମାନେ ନିଜ ଇଚ୍ଛା ବା ରାଜାଙ୍କ ଆଦେଶରେ ଏ ସବୁର ଜନକଲ୍ୟାଣକାରୀ ବ୍ୟବହାରରୁ ନିବୃତ୍ତ ରହିଲେ। ମଙ୍ଗୋଲ ଆକ୍ରମଣରୁ ସୁରକ୍ଷିତ ରହିବା ତା’ ଠାରୁ ଅଧିକ। ସମ୍ରାଟ ଓ ରାଜବଂଶକୁ ସୁରକ୍ଷିତ ରଖିବା ଚୀନାମାନଙ୍କ ଜୀବନର ବ୍ରତ ହୋଇଥିଲା।
ଶହଶହ ବର୍ଷ ସୁପ୍ତ, ନିର୍ଯାତିତ, ଦୀପହୀନ ଓ ଅନ୍ଧକାର ମଧ୍ୟରେ ରହିଲା ପରେ ୧୯୭୯ରେ ସୂେର୍ଯ୍ୟାଦୟ ହେଲା। ଡେଙ୍ଗ ସିଆଓ ପିଙ୍ଗ ମଙ୍ଗ ଧରିଲେ। ଦାସ କ୍ୟାପିଟାଲରୁ ଡେଇଁଲେ ମାଇକ୍ରୋ ବାୟୋଲୋଜିକୁ, ଆଇଟିକୁ ସଂସ୍କାରକୁ, ଯାହା ଚୀନ ରାଷ୍ଟ୍ରଦୂତ ଝିଆଙ୍ଗ ଜିଆନମିନ୍ ପ୍ରେଗଠାରେ କହିଥିଲେ ତାହା ମହାନ ନାଟ୍ୟକାର ସେକସପିଅର ତାଙ୍କ ନାଟକ ‘ଜୁଲିଅସ ସିଜର’ରେ ତାଙ୍କ ଢ଼ଙ୍ଗରେ ବ୍ୟାଖ୍ୟା କରି କହିଛନ୍ତି- ମଣିଷ ଜୀବନରେ ଉତ୍ଥାନ ପତନର ପ୍ରବାହ ଲାଗି ରହିଥାଏ; କିନ୍ତୁ ତରଙ୍ଗର ଉତ୍ତୁଙ୍ଗ ଅବସ୍ଥାର ଠିକ ପ୍ରୟୋଗରେ ସମୃଦ୍ଧି ଅଜାଡ଼ି ହୋଇପଡ଼େ। ଉଦ୍ୟୋଗଶାଳ ଲୋକକର୍ତ୍ତବ୍ୟ ସଂପାଦନ କରିଚାଲିଥାଏ ଏବଂ ଜୁଆର ସମୟରେ ବିଭବର ଭଣ୍ଡାର ଖୋଲିଯାଏ। ମୁଁ ଜି ଜିନପିଙ୍ଗଙ୍କ ସହ ଏକମତ ନୁହେଁ ଯେ ତରଙ୍ଗର ଉତ୍ତୁଙ୍ଗ ଅବସ୍ଥା ୨୦୧୮ ମସିହାରେ ଆସିଲା। ସେ ଅବସ୍ଥା ଚୀନକୁ ଚାଳିଶବର୍ଷ ତଳୁ ଆସିଲାଣି ଏବଂ ପୂର୍ବବର୍ଷଗୁଡ଼ିକର ବିଭିନ୍ନ ପରୀକ୍ଷାନିରୀକ୍ଷା, କଷ୍ଟସ୍ବୀକାର, ରାସ୍ତା ଖୋଜିବାରେ ବିତିଗଲା। ଏବେ ଚୀନାମାନଙ୍କୁ ଆପଣ ପାଇବେ ଅକ୍ସଫୋର୍ଡ ସାୟାର ନିକଟସ୍ଥ ବିସେଷ୍ଟର ସାୟାର ବଜାରରେ; ଆମେରିକା ଓ ଇଉରୋପିଆନ ବିଶ୍ବବିଦ୍ୟାଳୟଗୁଡ଼ିକରେ; ବିଶ୍ବର ଅତ୍ୟାଧୁନିକ ଆଇ.ଟି. କମ୍ପାନୀଗୁଡ଼ିକରେ।
ଗଣତନ୍ତ୍ରର ଆକାର ଓ ପ୍ରକାରକୁ କେବଳ ଭୋଟସର୍ବସ୍ବ ଭାବେ ଗ୍ରହଣ କରି ଆମେ ଗଣତନ୍ତ୍ରକୁ ବିକୃତ କରିଚାଲିଛୁ। ତେଣୁ ମାଛ ଖଣ୍ଡିଏ ଦେଇ ଆମେ ଗରିବର ଦାରିଦ୍ର୍ୟ ହଟାଇବାର ପ୍ରୟାସ କରିଛୁ। ତାକୁ ଜାଲଟିଏ ଦେଇ ମାଛ ଧରିବା ପରାମର୍ଶ ଦେଇନୁ। ଜନଶକ୍ତିକୁ ଅସୀମ ନଦନଦୀର ଉପକୂଳରେ ଦଣ୍ଡାୟମାନ କରାଇ ଭବିଷ୍ୟ ତିଆରିବାରର ଉପଦେଶ ଚୀନ ଜନସମୂହଙ୍କୁ ଦେଇଛି। ଫଳତଃ ଚୀନାମାନେ ଇଟାଲିର ପେଟ୍ରୋ ସହରରେ ନିଜ ଭାଗ୍ୟ ଖୋଜିବାବେଳେ ଗାଁରେ ବଣ୍ଟାଯାଉଥିବା ବିପିଏଲ କାର୍ଡ ପ୍ରତି ଆକର୍ଷିତ ହୋଇନାହାନ୍ତି। ‘ପିଠା’ର ସ୍ବାଦରେ ସ୍ବଚ୍ଛତା ଖୋଜି ନାହାନ୍ତି। ‘କାଳିଆ’ରେ ଆକର୍ଷିତ ହୋଇ କୃଷିର ବିକାଶ ଆଶା କରିନାହାନ୍ତି। ଅନ୍ଧାର ଦୂର କରିନାହାନ୍ତି ଏଲ୍ଇଡି ବଲ୍ବ ଦ୍ବାରା ବା ଝିଅଟିକୁ ବିବାହ ଦେଇ ନାହାନ୍ତି ସରକାରୀ ସୁନାଗହଣା ଦ୍ବାରା। ମାଗଣା ମୋବାଇଲ ଦ୍ବାରା କୃଷି, ଶିଳ୍ପ ଓ ଚାକିରି ଖୋଜିନାହାନ୍ତି ‘କାଳିଆ’ ମାଧ୍ୟମରେ। ଚୀନରେ ସାଧାରଣ ଲୋକଟିଏ ହେଉ ବା ସରକାର ହୁଅନ୍ତୁ, ଲକ୍ଷ୍ୟ ହେଉଛି ସମୃଦ୍ଧି। ଆମ ଦେଶରେ ଲକ୍ଷ୍ୟ ଏକ ନୁହେଁ। ଲୋକ ଖୋଜନ୍ତି ସରକାରୀ ଅନୁକମ୍ପା ମିଳୁଥାଉ। ଭୋଟରେ ଆମର ଋଣ ଛାଡ଼ ହୁଏ; କିନ୍ତୁ ଏହା ଏକ ଭୟଙ୍କର ବ୍ୟବସ୍ଥା। ଯାହା ଋଣ ଗ୍ରହଣ କରିବାର ପ୍ରଥମ ଦିନରୁ ମନ ଭିତରେ ବସାବାନ୍ଧି ଥାଏ। ଏହା ଆକାରପ୍ରକାରରେ ଅର୍ଥନୀତିକୁ ତ ବିପର୍ଯ୍ୟସ୍ତ କରେ। ଏହା ବ୍ୟତୀତ ନୀତିନିୟମର ମୂଳପିଣ୍ଡକୁ ଦୋହଲାଇ ଦିଏ। ଚୀନ କିନ୍ତୁ ଏହାକୁ ଭିନ୍ନ ଭାବରେ ସମାଧାନ କରେ।
ଆମେ ଆମ ଢଙ୍ଗରେ ଗଣତନ୍ତ୍ରର ଲାଳନପାଳନ କରୁ- ନବୀନଙ୍କ ପିଠାରେ, କାଳିଆରେ; ମୋଦୀଙ୍କ ସ୍ବଚ୍ଛଭାରତ, ବିମୁଦ୍ରାୟନରେ। ଚୀନ ତା’ର ଶାସନ ପ୍ରକ୍ରିୟାର ଡିଣ୍ଡିମ ପିଟେ ସିଲ୍କ ରୋଡ଼ ଇନିସିଏଟିଭ୍ରେ ବା ବି.ଆର୍.ଆଇରେ। ଜନସାଧାରଣ କେଉଁ ବାର୍ତ୍ତାକୁ କେମିତି ଗ୍ରହଣ କରିବା କଥା ତାହା ଜାଣନ୍ତି ଓ ନିଜ ସୁବିଧାସୁଯୋଗ ଦୃଷ୍ଟିରୁ ଗ୍ରହଣ କରନ୍ତି ବା ଉଦାସୀନ ରହନ୍ତି। ସମୟର ଚକ ଗଡ଼ିଚାଲେ। ଗୋଟିଏ ଦେଶ ବିଶ୍ବର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କଲାବେଳେ ଅନ୍ୟ ରାଷ୍ଟ୍ରଟି ଭାଗ୍ୟକୁ ଦୋଷଦେଇ ଚାଲେ।