ନବମ ଶ୍ରେଣୀ ଟପିନାହାନ୍ତି ସାଢେ ୪ ହଜାର ଶିକ୍ଷକ
ନୂଆଦିଲ୍ଲୀ : ଭାରତରେ ଶିକ୍ଷା ବ୍ୟବସ୍ଥାର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଶିକ୍ଷା କ୍ଷେତ୍ରରେ ସରକାରୀ ବ୍ୟୟ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୭୮ ପ୍ରତିଶତ ବୃଦ୍ଧି ପାଇଛି; କିନ୍ତୁ ଶିକ୍ଷାର ମାନ ବୃଦ୍ଧି ହୋଇପାରିନାହିଁ। ଭଲ ଶିକ୍ଷକ ଓ ଶ୍ରେଣୀ ଗୃହ କଥା ପଛକୁ ଥାଉ; ଶିକ୍ଷାର ମାନ ଏତେ ଖରାପ ଯେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ୫ଜଣରେ ଜଣେ ଛାତ୍ର ବା ଛାତ୍ରୀ ପାଠ୍ୟପୁସ୍ତକ ପଢ଼ିପାରୁନାହାନ୍ତି। ଆହୁରି ପରିତାପର ବିଷୟ ହେଉଛି, ଦେଶର ପ୍ରାୟ ୪୫୦୦ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଶିକ୍ଷକ ନବମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ସେମାନେ କୌଣସି ମତେ ଚାକିରି କରିଛନ୍ତି; କିନ୍ତୁ ପାଠ ପଢ଼ାଇପାରୁନାହାନ୍ତି। ସରକାର ସେମାନଙ୍କୁ ଚାକିରି ଭିତରେ ତାଲିମ ପ୍ରଦାନ ବ୍ୟବସ୍ଥା କରିବାରେ ମଧ୍ୟ ବିଫଳ ହୋଇଛନ୍ତି। ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନ୍ଫର୍ମେସନ୍ ସିଷ୍ଟମ୍ ଫର ଏଜୁକେଶନ୍ ପ୍ଲସ୍ (ୟୁଡିଆଇଏସ୍ଇ) ତଥ୍ୟ ଅନୁଯାୟୀ, ୨୦୨୨ ବର୍ଷରେ ମାତ୍ର ୧୫ ପ୍ରତିଶତ ଶିକ୍ଷକଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି; କିନ୍ତୁ େସମାନେ ଆଶାନୁରୂପ ଦକ୍ଷତା ହାସଲ କରିପାରିନାହାନ୍ତି। ବିଶ୍ବବିଦ୍ୟାଳୟସ୍ତରରେ ମଧ୍ୟ ପରିସ୍ଥିତି ପ୍ରାୟ ସମାନ ବୋଲି ସୂଚନା ମିଳିଛି। ସେଥିପାଇଁ ଶିକ୍ଷମକମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଇପାରୁନଥିବା କହିଛନ୍ତି ଜାତିସଂଘ ଚିଲ୍ଡ୍ରେନ୍ସ ଫଣ୍ଡର ବିଶେଷଜ୍ଞ ଶେଷଗିରି କେ.ଏମ୍ ରାଓ। ଶିକ୍ଷକଙ୍କୁ ପେସାଦାର କରିବା ଓ ପେସାଗତ ତାଲିମ ଦେବା ଏକ ନିୟମିତ ପ୍ରକ୍ରିୟା ହେବା ଉଚିତ ବୋଲି ସେ କହିଛନ୍ତି।
ତଥ୍ୟ ଅନୁଯାୟୀ, ୨୦୧୩ରୁ ୨୦୨୩ ମଧ୍ୟରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବଜେଟ ପରିମାଣ ୭୮ ପ୍ରତିଶତ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୨୫ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୭.୯ ଲକ୍ଷ କୋଟି ଟଙ୍କା ଶିକ୍ଷା ବାବଦରେ ବ୍ୟୟ କରୁଛନ୍ତି; ଯାହାକି ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୩ ପ୍ରତିଶତ। ବାସ୍ତବ ଚିତ୍ର ହେଉଛି, ମୌଳିକ ଅଧ୍ୟୟନ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇପାରିନାହିଁ। ତିନିରୁ ୧୦ ବର୍ଷ ମଧ୍ୟସ୍ଥ ବହୁ ସ୍କୁଲ ପିଲା ଏବେ ସୁଦ୍ଧା ଲେଖିବା ଓ ପଢ଼ିବା କ୍ଷେତ୍ରରେ ଦୁର୍ବଳ ରହିଛନ୍ତି। ପିଲା ବହୁବିଧ ସରକାରୀ ପ୍ରୟାସ ତଥା ବିଭିନ୍ନ ପ୍ରଲୋଭନ ଯୋଗୁ ସ୍କୁଲ ଯାଉଛନ୍ତି; କିନ୍ତୁ ପାଠ ପଢ଼ୁନାହାନ୍ତି। ଏହାର ପ୍ରମୁଖ କାରଣ ହେଉଛି ଉପଯୁକ୍ତ ଶିକ୍ଷକଙ୍କ ଅଭାବ। ବିଶ୍ବବ୍ୟାଙ୍କ ପକ୍ଷରୁ ଏହାକୁ ‘ଲର୍ଣ୍ଣିଂ ପଭର୍ଟି’ ବା ଶିକ୍ଷା କ୍ଷେତ୍ରରେ ଦାରିଦ୍ର୍ୟ ବୋଲି କୁହାଯାଉଛି।
ଭାରତରେ ଲର୍ଣ୍ଣିଂ ପଭର୍ଟି ହାର ୫୬ ପ୍ରତିଶତ; ଅର୍ଥାତ୍ ଅଧାରୁ ଅଧିକ ଛାତ୍ର ବହି ପଢ଼ିବାରେ ଅକ୍ଷମ ବୋଲି ବିଶ୍ବବ୍ୟାଙ୍କ ଦର୍ଶାଉଛି। ଏହି ପରିମାଣ ଚୀନ୍ ଓ ଶ୍ରୀଲଙ୍କା ତୁଳନାରେ ବି ଖୁବ୍ ଅଧିକ। ଏହି ଦୁଇ ଦେଶରେ ଲର୍ଣ୍ଣିଂ ପଭର୍ଟି ପରିମାଣ ୧୫ରୁ ୧୮ ପ୍ରତିଶତ ମଧ୍ୟରେ ବୋଲି ଦର୍ଶାଯାଇଛି।
ଦେଶର ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତ ଶିକ୍ଷକଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷ। ସେମାନଙ୍କ ମଧ୍ୟରୁ ସରକାରୀ ବିଦ୍ୟାଳୟରେ ୫୧.୩ ପ୍ରତିଶତ ହୋଇଥିବାବେଳେ ଘରୋଇ ବିଦ୍ୟାଳୟରେ ୩୭.୨ ପ୍ରତିଶତ। ସରକାରୀ ସହାୟତାରେ ଚାଲିଥିବା ଘରୋଇ ବିଦ୍ୟାଳୟରେ ନିଯୁକ୍ତ ଅଛନ୍ତି ୮.୪ ପ୍ରତିଶତ ଶିକ୍ଷକ। ଗୁରୁତ୍ବପୂର୍ଣ୍ଣ ହେଉଛି, ସରକାରୀ ଶିକ୍ଷକଙ୍କ ମଧ୍ୟରୁ ୪ ପ୍ରତିଶତ ଓ ଘରୋଇ ଶିକ୍ଷକଙ୍କ ମଧ୍ୟରୁ ୧୬ ପ୍ରତିଶତଙ୍କର ପେସାଦାର ଯୋଗ୍ୟତା ନଥିବା ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ ସୂତ୍ରରୁ ପ୍ରକାଶ। ସେହିଭଳି ଶିକ୍ଷକ-ଛାତ୍ର ଅନୁପାତ ମଧ୍ୟ କମ୍ ରହିଛି। ଦେଶର ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାଥମିକ ସ୍ତରରେ ୨୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ଅଛନ୍ତି। ଅନ୍ୟ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅନୁପାତ ଶିକ୍ଷକଙ୍କ ସଂଖ୍ୟା ୨ କମ୍। ଉଚ୍ଚ ପ୍ରାଥମିକ ଶ୍ରେଣୀରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୦ ଜଣରେ ଜଣେ ଶିକ୍ଷକ କାର୍ଯ୍ୟରତ। ମାଧ୍ୟମିକ ଶ୍ରେଣୀରେ ୩୪ଟି ରାଜ୍ୟରେ ୩୦ରେ ଜଣେ ଶିକ୍ଷକ ଅଛନ୍ତି। ଏଭଳି ହିସାବ ଦେଖିଲେ ଓଡ଼ିଶାର ସ୍ଥିତି ଦୟନୀୟ। ଅନେକ ବିଦ୍ୟାଳୟ ଜଣେ ଶିକ୍ଷକଙ୍କୁ ନେଇ ଚାଲିଛି। ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ଦେଶରେ ପ୍ରାୟ ୭ଲକ୍ଷ ୪୮ହଜାର ଶିକ୍ଷକ ପଦ ଫାଙ୍କା ଥିବା ସରକାରୀ ସୂତ୍ରରୁ ପ୍ରକାଶ। ପୂର୍ବ ବର୍ଷ ଏହି ସଂଖ୍ୟା ଥିଲା ୧୦ଲକ୍ଷ ୩୭ହଜାର। ସେଥିଯୋଗୁ ୬୫ପ୍ରତିଶତରୁ ଅଧିକ ଶିକ୍ଷକ ଚାପରେ ରହୁଥିବା ପ୍ରକାଶ। ଅପରପକ୍ଷରେ ନିମ୍ନ ମାନର ପାଠପଢ଼ା ଯୋଗୁ ସରକାରୀ ବିଦ୍ୟାଳୟରୁ ଅନେକ ମୁହଁ ଫେରାଉଛନ୍ତି ଏବଂ ଏହି କାରଣରୁ ସରକାରୀ ବିଦ୍ୟାଳୟ ସଂଖ୍ୟା ହ୍ରାସ ପାଇଚାଲିଛି। ଗତ ଦୁଇ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ପ୍ରତିଶତରୁ ଅଧିକ ହ୍ରାସ ପାଇଥିବାବେଳେ ବିଦ୍ୟାଳୟ ୧୦ହଜାରରୁ ଅଧିକ ବନ୍ଦ ହେଲାଣି।
କେନ୍ଦ୍ର ସରକାର ଶିକ୍ଷାର ମାନ ବୃଦ୍ଧି ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ବହୁବିଧ ଉଦ୍ୟମ ଜାରି ରଖିଛନ୍ତି। ବିଶେଷକରି ପାଠ୍ୟଖସଡ଼ାର ପୁନର୍ଗଠନ, ଛାତ୍ର-ଶିକ୍ଷକ ଅନୁପାତ ୩୦-୧ରୁ ୨୫-୧କୁ ବୃଦ୍ଧି ପ୍ରମୁଖ ଲକ୍ଷ୍ୟ ରହିଛି। ଡିଜିଟାଲ ମାଧ୍ୟମରେ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବାର ଉଦ୍ୟମ ଅବ୍ୟାହତ ରହିଛି। ‘ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ’କୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି; କିନ୍ତୁ ଏହା ଯଥେଷ୍ଟ ହେଉନଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି।
Comments are closed.