ଓଡିଶାରେ କୃଷି ପର୍ଯ୍ୟଟନ

ଭୁବନେଶ୍ଵର: କୃଷି ଜଳବାୟୁ ବିବିଧତା ଥିବା ପ୍ରଦେଶ ମଧ୍ୟରେ ଓଡ଼ିଶା ଅନନ୍ୟ। ଦଶଟି ଭିନ୍ନ ପ୍ରକାରର ଜଳବାୟୁ ମଣ୍ଡଳ ହୋଇଥିବାରୁ ଏଠାରେ ବିିଭିନ୍ନ ଋତୁରେ ଭିନ୍ନ ପ୍ରକାରର ଚାଷ କରାଯାଏ। ଉତ୍ପାଦର ଭିନ୍ନତା ଅନୁସାରେ ପର୍ବପର୍ବାଣି ଓ ଖାଦ୍ୟ ବ୍ୟଞ୍ଜନର ବିବିଧତା ମଧ୍ୟ ଏଠାରେ ଦେଖାଯାଏ। କୃଷିର ଅପାର ସୁଯୋଗ ଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶା କୃଷକର ଅର୍ଥନୈତିକ ସ୍ଥିତି ଦୁର୍ବଳ। ସାମ୍ପ୍ରତିକ ସାମାଜିକ ପରିସ୍ଥିତିରେ ଅନୁନ୍ନତ ଜନଜାତି ବହୁଳ କନ୍ଧମାଳ ଜିଲା ହେଉ ବା ପ୍ରଗତିଶୀଳ ବାଲେଶ୍ବର, ଗଞ୍ଜାମ ଜିଲା ହେଉ, ସବୁ ସ୍ଥାନର ଯୁବକ ଅଧିକ ଆୟ ଓ ସାମାଜିକ ପ୍ରତିଷ୍ଠା ପାଇଁ ପ୍ରବାସୀ ଶ୍ରମିକ ହେବାକୁ ପସନ୍ଦ କରୁଛନ୍ତି। ସୁରତର ସୂତାକଳ, କେରଳର କାଠ କଳ, ଆନ୍ଧ୍ରପ୍ରଦେଶର ଇଟାଭାଟି ସବୁଠି ଓଡ଼ିଆ ଶ୍ରମିକ। ଆମ ରାଜ୍ୟ ସେମାନଙ୍କୁ ଉପଯୁକ୍ତ କର୍ମ ସଂସ୍ଥାନ ଯୋଗାଇବାରେ ବିଫଳ, ଏହାକୁ ଆମେ ସ୍ବୀକାର କରିବାକୁ ପଡ଼ିବ। ତେବେ ଓଡ଼ିଶା ପରି କୃଷି ପ୍ରଧାନ ରାଜ୍ୟ, ଯାହାର ଶତକଡ଼ା ୭୩ ଭାଗ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ, ଯାହା ଧାନ ଫସଲର ଜନ୍ମସ୍ଥାନ, ଯାହା ଆଗରୁ କୃଷିରେ ଉତ୍କର୍ଷ ପାଇଁ ବାରମ୍ବାର କୃଷି କର୍ମଣ ପୁରସ୍କାର ପ୍ରାପ୍ତ, ଯାହାର କଳାହାଣ୍ଡି, ବଲାଙ୍ଗିର ଜିଲା ମାଛ, କପାଚାଷରେ ସର୍ବଭାରତୀୟ ସ୍ତରରେ ସମ୍ବର୍ଦ୍ଧିତ, ଯେଉଁଠି କୃଷି ଓ କୃଷକର ଉନ୍ନତି ପାଇଁ ସରକାରଙ୍କର ମାଳମାଳ ଯୋଜନା; ସେଠାରେ କୃଷି ପରିବାରର ଦାୟାଦ କୃଷିକ୍ଷେତ୍ର ପାଇଁ ବୀତସ୍ପୃହ ଓ ସ୍ବଳ୍ପ ଆୟ ପାଇଁ ପାଲଟିଛି ପ୍ରବାସୀ ଶ୍ରମିକ; ଏହା ଅତ୍ୟନ୍ତ ବିଡ଼ମ୍ବନାର ପ୍ରସଙ୍ଗ। ଅତଏବ କୃଷିକ୍ଷେତ୍ରର ଯୋଜନାଗୁଡ଼ିକୁ ଆଉଥରେ ବିଶ୍ଳେଷଣ କରି ତା’ର ଦିଗ ପରିବର୍ତ୍ତନ କରିବାର ସମୟ ଉପନୀତ ବୋଲି ଧରିନେବାକୁ ହେବ। କେବଳ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଓ ପାରମ୍ପରିକ ଯୋଜନାର ସଫଳ ରୂପାୟଣ ଆମ ଯୁବ କୃଷକମାନଙ୍କୁ ବାନ୍ଧି ରଖିବା ପାଇଁ ଯଥେଷ୍ଟ ନୁହେଁ, ଏହା ପ୍ରମାଣିତ। ଆମ ରାଜ୍ୟର କୃଷକର ହାରାହାରି ମାସିକ ଆୟ ବୃଦ୍ଧି ଓ ସାମାଜିକ ସ୍ଥିତିର ବିକାଶ ପାଇଁ ଦୀର୍ଘସୂତ୍ରୀ ଦୂରଦୃଷ୍ଟି ସମ୍ପନ୍ନ ବହୁମୁଖୀ ଯୋଜନାର ଆବଶ୍ୟକତା ରହିଛି। କୃଷିକ୍ଷେତ୍ରକୁ ଫସଲ ଉତ୍ପାଦନ ସହ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ର ସହ ଯୋଡ଼ିବାର ସମୟ ଉପନୀତ। ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଆମ କୃଷି ସହ ଜଡ଼ିତ ବିଭିନ୍ନ ପର୍ବପର୍ବାଣି, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ବିଶ୍ବବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବା ଉଚିତ୍। ଆମର ୪୮୦ କି.ମି ଦୀର୍ଘ ସମୁଦ୍ରତଟ ବ୍ୟତୀତ ଆମ କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଜିଲାର ପାହାଡ଼ିଆ କ୍ଷେତ, ଡଙ୍ଗର ଓ ସେଥିରେ ଥିବା ସୋରିଷ, ଅଳସୀ ଫୁଲର ସମ୍ଭାର ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ। ଜନଜାତି ସଂସ୍କୃତି, ପର୍ବପର୍ବାଣି, ଖାଦ୍ୟବ୍ୟଞ୍ଜନରେ ନୂତନତ୍ବ ଭରିଲେ ତାହା ଆଧୁନିକ ମଣିଷକୁ ନିଶ୍ଚିତ ଆକୃଷ୍ଟ କରିବ। ଦେବଗଡ଼, ଗଜପତି ପରି ପଛୁଆ ଜିଲାମାନଙ୍କର ଥଣ୍ଡା ପରିବେଶ ସହ ଦିଗନ୍ତବିସ୍ତାରୀ ହଳଦିଆ ରଙ୍ଗର କମଳା ଭାଙ୍ଗି ପଡ଼ୁଥିବା ବଗିଚାର ଦୃଶ୍ୟ ହିମାଚଳ ପ୍ରଦେଶ, କାଶ୍ମୀରର ସେଓ ବଗିଚାଠାରୁ କମ୍ ଆକର୍ଷଣୀୟ ନୁହେଁ। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଆଦି ଆଭ୍ୟନ୍ତରୀଣ ଜିଲାର ଶହ ଶହ ହେକ୍ଟର ଆମ୍ବ, ପଣସ ବଗିଚାର ଦୃଶ୍ୟ ଅନ୍ୟ ରାଜ୍ୟଙ୍କଠାରୁ କମ୍ ନୁହେଁ। ଏହା ବ୍ୟତୀତ ବାଲେଶ୍ବରଠାରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ଅସଂଖ୍ୟ ପୋଖରୀ, ତା’ ହିଡ଼ର ଡେଙ୍ଗାଡେଙ୍ଗା ନଡ଼ିଆ, ଗୁଆ ଗଛର ଶୋଭା ସାଧାରଣ ମଣିଷର ମନକୁ ଆକୃଷ୍ଟ କରିବାକୁ ଯଥେଷ୍ଟ। କୋରାପୁଟ ଜିଲାର କୃଷି-ଜଙ୍ଗଲ ସମନ୍ବୟ କୃଷିର ଦୃଶ୍ୟ ଅତ୍ୟନ୍ତ ମନୋରମ। ଏପରି କୃଷି କ୍ଷେତମାନଙ୍କୁ ପର୍ଯ୍ୟଟନ ଦୃଷ୍ଟିରୁ ବ୍ୟାବସାୟିକ ଭିତ୍ତିକ କରିବାକୁ ପଡ଼ିବ। କେନ୍ଦୁଝର ଜିଲାର କୃଷକରତ୍ନ ସ୍ବର୍ଗତ କ୍ଷେତ୍ରବାସୀ ବେହେରାଙ୍କ ତୃପ୍ତି ସଫାରୀ ଓ ବିଶିଷ୍ଟ କୃଷି ବୈଜ୍ଞାନିକ ଡ଼ ଚକ୍ରଧର ଶତପଥୀଙ୍କ ଭୁବନେଶ୍ବର ଉପକଣ୍ଠ ଡେରାସ୍ ଜଙ୍ଗଲ ଭିତରେ ଥିବା ସମନ୍ବିତ କୃଷି ପର୍ଯ୍ୟଟନସ୍ଥଳୀ, କୃଷିରେ ପର୍ଯ୍ୟଟନ ଶିଳ୍ପର ପ୍ରକୃଷ୍ଟ ଉଦାହରଣ।
ଅନେକ କୃଷକ ନିଜ ପୁଞ୍ଜିରୁ ବଡ଼ ବଡ଼ ଫାର୍ମ ପ୍ରତିଷ୍ଠା କରି ପୋଖରୀ ସହିତ ଫଳ, ଫୁଲ, ବତକ, ମହୁମାଛି ଓ ଭଳିକି ଭଳି ସ୍ବତନ୍ତ୍ର କୃଷି ପ୍ରଣାଳୀ ଅବଲମ୍ବନ କରିଛନ୍ତି। ସେମାନଙ୍କୁ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଣତ କରି ମାନ୍ୟତା ଦେବାର ସମୟ ଉପନୀତ। ଏହା ଗ୍ରାମ୍ୟ ଅର୍ଥନୀତିକୁ ନୂତନ ଦିଗ୍ଦର୍ଶନ ଦେବ। ସେ ଅଞ୍ଚଳର ଆଞ୍ଚଳିକ ପର୍ବପର୍ବାଣି, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ପାନୀୟ ମଧ୍ୟ ଅର୍ଥନୀତିର ଅଙ୍ଗ ଭାବେ ପରିଗଣିତ ହେବ। ସରକାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏଥି ପାଇଁ ଘୋଷଣା କରିସାରିଛନ୍ତି; କିନ୍ତୁ ସେମାନଙ୍କୁ ଉଚିତ୍ ଦିଗ୍ଦର୍ଶନର ଅଭାବ ରହିଛି। ଏପରି କୃଷିକ୍ଷେତ୍ରର ପର୍ଯ୍ୟଟନ ବିକାଶ ପାଇଁ ଋଣ ସୁବିଧା ସହ ବୈଷୟିକ ଶିକ୍ଷା, ଆବଶ୍ୟକ ପ୍ରଶିକ୍ଷଣ, ଅତିଥି ପରିଚାଳନା ଆଦି ଉପରେ ଶିକ୍ଷା ଦିଆଯାଇପାରନ୍ତା। ହୋଟେଲ୍ ଶିଳ୍ପକୁ ପ୍ରୋତ୍ସାହିତ କରି ବେସରକାରୀ ଓ ସରକାରୀ ପୁଞ୍ଜି ବିନିଯୋଗରେ ସେ ଅଞ୍ଚଳରେ ପାନୀୟ ଜଳ, ବିଦ୍ୟୁତ୍ ସରବରାହ, ଗମନାଗମନ ପରି ମୌଳିକ ସୁବିଧା ଯୋଗାଇ ଦିଆଯାଆନ୍ତା। ସ୍ଥାନୀୟ ଖାଦ୍ୟ ଓ ସାଂସ୍କୃତିକ ଅନୁଷ୍ଠାନକୁ ପ୍ରୋତ୍ସାହନ ମିଳିବା ଦ୍ବାରା ପଢ଼ୁଆ ଯୁବକଯୁବତୀ ସେଠାରେ କର୍ମ ସଂସ୍ଥାନ ପାଆନ୍ତେ। ବସ୍ତୁତଃ ସେ ଅଞ୍ଚଳର ସାମଗ୍ରିକ ବିକାଶରେ କୃଷି ପର୍ଯ୍ୟଟନ ମୁଖ୍ୟ ଭୂମିକା ଗ୍ରହଣ କରନ୍ତା। କୃଷକ ଓ ବ୍ୟବସାୟୀଙ୍କ ମଧ୍ୟରେ ଅଧିକ ଯୋଗସୂତ୍ର ସ୍ଥାପନ ହୋଇ ଅଞ୍ଚଳର କୃଷି ଅର୍ଥନୀତି ବଳିଷ୍ଠ ହୁଅନ୍ତା। ଅଭାବୀ ବିକ୍ରି ମଧ୍ୟ ନିୟନ୍ତ୍ରଣ ହୋଇପାରନ୍ତା। ଏ ନୂତନ ଦିଗ ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧିର ରାସ୍ତା ଦେଖାନ୍ତା। ବସ୍ତୁତଃ କୃଷି ପର୍ଯ୍ୟଟନକୁ ଗ୍ରହଣ କରିବାକୁ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଉଦ୍ୟମ ହେଲେ କୃଷି ମଧ୍ୟ ପର୍ଯ୍ୟଟନ ଶିଳ୍ପ ସହ ଯୋଡ଼ିହୋଇ ପାରିବ। ସକାରାତ୍ମକ ମନୋବୃତ୍ତି, ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଓ ସରକାରୀ ପୁଞ୍ଜି ବିନିଯୋଗରେ ହିଁ ଏହା ସମ୍ଭବ।
Comments are closed.