ସାମୟିକ ଆଶ୍ବସ୍ତି
ହ୍ବାଟ୍ସଆପ୍ର ବିବାଦୀୟ ସର୍ତ୍ତାବଳୀ ପ୍ରକରଣରୁ ସ୍ପଷ୍ଟ ଯେ ଭାରତ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ପ୍ରଣୟନ କରିବା କେତେ ଜରୁରୀ
ସନ୍ଦେଶ ସେବା ପ୍ରଦାନକାରୀ କମ୍ପାନୀ ହ୍ବାଟ୍ସଆପ୍ ନିଜର ନୂତନ ଗୋପନୀୟତା ଆଇନରେ ପରିବର୍ତ୍ତନ ଘୋଷଣା କରି ବ୍ୟବହାରକାରୀଙ୍କ ତଥ୍ୟକୁ ତା’ର ପ୍ରମୁଖ କମ୍ପାନୀ ଫେସ୍ବୁକ୍ ସହ ସହଭାଗ କରିବ ବୋଲି କହିବା ପରେ ସ୍ବାଭାବିକ ଭାବେ ଭାରତ ସମେତ ସମଗ୍ର ବିଶ୍ବରେ ଏହାକୁ ତୀବ୍ର ବିରୋଧ କରାଯାଉଛି। ଫେସ୍ବୁକ୍ ବ୍ୟକ୍ତିଗତ ଗୋପନୀୟ ତଥ୍ୟ(ଡାଟା)କୁ ନେଇ ସଉଦା କରୁଥିବା ଅତୀତରେ ଅନେକ ଘଟଣା ଲୋକଲୋଚନକୁ ଆସିବା ପରେ ଏହି କମ୍ପାନୀ ଉପରୁ ବିଶ୍ବସନୀୟତା ହ୍ରାସ ପାଉଛି। ତେବେ ଆଧୁନିକ ସୂଚନା ପ୍ରଯୁକ୍ତି ଯୁଗରେ ସାମାଜିକ ଗଣମାଧ୍ୟମ ନିତ୍ୟ ବ୍ୟବହାର୍ଯ୍ୟ ହୋଇପଡ଼ିଥିବାବେଳେ ଏସବୁ କମ୍ପାନୀର ବ୍ୟକ୍ତିଗତ ଗୋପନୀୟ ତଥ୍ୟକୁ ନେଇ ଦୋନମ୍ବରୀ କାରବାର ପ୍ରତି ଏହାର ବ୍ୟବହାରକାରୀମାନେ ଧ୍ୟାନ ଦେଉନାହାନ୍ତି, ଯାହା ଭବିଷ୍ୟତରେ ସେମାନଙ୍କ ପାଇଁ ବିପଜ୍ଜନକ ପାଲଟିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ତେଣୁ ସଚେତନ ଲୋକେ ଏବେ ଏହି ପ୍ରଯୁକ୍ତି କମ୍ପାନୀଗୁଡ଼ିକର କାରସାଦି ଉପରେ ପ୍ରଶ୍ନ ଉଠାଉଛନ୍ତି। କେବଳ ସେତିକି ନୁହେଁ; ହ୍ବାଟ୍ସଆପ୍କୁ ଛାଡ଼ି ଅନ୍ୟ ବିକଳ୍ପ ମେସେଜିଂ ଆପ୍କୁ ଆପଣାଉଛନ୍ତି। ଏସବୁକୁ ଦେଖି ହ୍ବାଟ୍ସଆପ୍ କମ୍ପାନୀ ତା’ର ନୂଆ ସର୍ତ୍ତାବଳୀ କାର୍ଯ୍ୟକାରୀ କରିବାର ତାରିଖକୁ ଫେବୃଆରୀ ୮ରୁ ମେ ୧୫ ତାରିଖକୁ ଘୁଞ୍ଚାଇ ଦେଇଛି। ଲୋକଙ୍କ ମୁଣ୍ଡରୁ ବିରୋଧ ଭାବ ନିକାଲିବାକୁ କମ୍ପାନୀ ଗଣମାଧ୍ୟମରେ ବଡ଼ବଡ଼ ବିଜ୍ଞାପନ ମଧ୍ୟ ଦେଉଛି। ଏଥିରେ କୁହାଯାଇଛି ଯେ ଲୋକଙ୍କ ଗୋପନୀୟତା ଉପରେ କୌଣସି ପ୍ରଭାବ ପକାଇବା କମ୍ପାନୀର ଲକ୍ଷ୍ୟ ନୁହେଁ ଏବଂ ନୂଆ ନିୟମ ଦ୍ବାରା କେବଳ ବ୍ୟାବସାୟିକ ଗତିବିଧି ସହ ସମ୍ବନ୍ଧିତ ତଥ୍ୟ ଫେସ୍ବୁକ୍ ସହ ସହଭାଗ କରାଯିବ। ତେବେ ଏହାକୁ ସମ୍ପୂର୍ଣ୍ଣ ବିଶ୍ବାସଯୋଗ୍ୟ ବୋଲି କହିହେବ ନାହିଁ। ଫେସ୍ବୁକ୍ର ଅତୀତ ଘଟଣାବଳୀ ଆମ ପାଇଁ ସତର୍କ ଘଣ୍ଟି ହେବା ଉଚିତ। ଆଉ ମଧ୍ୟ ଏହା କେବଳ ଏକ ସାମୟିକ ପଦକ୍ଷେପ। ତଥ୍ୟ ବିକି କୋଟିକୋଟି ଡଲାର୍ ଆୟ କରିବାକୁ ଚାହୁଁଥିବା କମ୍ପାନୀ ଏବେ ନ ହେଲେ ବି ଭବିଷ୍ୟତରେ ତା’ର ନୂଆ ସର୍ତ୍ତାବଳୀକୁ କାର୍ଯ୍ୟକାରୀ କରିବାକୁ ଚାହିଁବ। ତେଣୁ ସେଥିପ୍ରତି ଦୃଷ୍ଟି ରଖିଥିବା ଆବଶ୍ୟକ।
ଏ ସମ୍ପର୍କରେ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୋମବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଯଦି ହ୍ବାଟ୍ସଆପ୍ର ନୂଆ ସର୍ତ୍ତାବଳୀ ଗ୍ରହଣଯୋଗ୍ୟ ନୁହେଁ, ତେବେ ଏହି ଆପ୍କୁ ବ୍ୟବହାର କରନ୍ତୁ ନାହିଁ। ଏହା ବ୍ୟକ୍ତିଗତ ଗୋପନୀୟ ତଥ୍ୟକୁ ଅନ୍ୟ କେହି ଅପବ୍ୟବହାର କରିବାକୁ ଦୂରେଇବାର ସବୁଠୁ ଭଲ ଉପାୟ ନିଶ୍ଚୟ; କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଲା ଏହା ଯେହେତୁ ଜନସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ, ତାହା ସେମାନଙ୍କ ପାଇଁ ହିତକର କି ଅହିତକର, ତା’ ନିଶ୍ଚିତ କରିବାର ଦାୟିତ୍ବ ସରକାରଙ୍କ ଉପରେ ମଧ୍ୟ ନ୍ୟସ୍ତ। ଅବଶ୍ୟ ଭାରତ ସରକାର ହ୍ବାଟ୍ସଆପ୍ର ନୂଆ ନିୟମାବଳୀର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି; କିନ୍ତୁ ଏହା ଯଥେଷ୍ଟ ନୁହେଁ। ଭାରତରେ ଏ ପର୍ଯ୍ୟନ୍ତ ତଥ୍ୟ ସୁରକ୍ଷା ପାଇଁ କୌଣସି ଆଇନ ପ୍ରଣୟନ ହୋଇନାହିଁ। ସରକାର ସଂସଦରେ ‘ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ୨୦୧୯’ ଉପସ୍ଥାପନ କରିବାପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ହେଁ ଏହା ଆଇନରେ ପରିଣତ ହେବାପାଇଁ ଆହୁରି ଅନେକ ପର୍ଯ୍ୟାୟ ଅତିକ୍ରମ କରିବାର ଅଛି। ୨୯ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍ ଅଧିବେଶନରେ ଏହି ବିଲ୍କୁ ଉପସ୍ଥାପନ ସହ ଏ ବିଷୟରେ ବିସ୍ତୃତ ବିତର୍କ କରାଯାଇ ଏହାକୁ ଆଇନରେ ପରିଣତ କରାଯିବାର ଆବଶ୍ୟକତା ରହିଛି।
ଉଲ୍ଲେଖନୀୟ ଯେ ଆମ ଦେଶର ସରକାର ଏଥିପ୍ରତି ଉଦାସୀନ ରହିଆସିଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ୟୁରୋପୀୟ ଦେଶଗୁଡ଼ିକର ସରକାର ଏଥିପ୍ରତି କେବଳ ସଚେତନ ନୁହନ୍ତି; କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଥିବା ଦେଖାଯାଏ। ଗତବର୍ଷ ଜୁଲାଇରେ ଆମେରିକାର ଆଇନ ପ୍ରଣେତାମାନେ ବଡ଼ବଡ଼ ପ୍ରଯୁକ୍ତି କମ୍ପାନୀଗୁଡ଼ିକର ମୁଖ୍ୟମାନଙ୍କୁ ଡାକି ସେମାନଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ, ଯାହାର ରିପୋର୍ଟ ଅକ୍ଟୋବରରେ ପ୍ରକାଶ ପାଇଥିଲା। ଏହା ପରେ ଗୁଗୁଲ୍, ଫେସ୍ବୁକ୍, ଆପଲ୍ ଓ ଆମାଜନ ଆଦି ପ୍ରମୁଖ କମ୍ପାନୀଗୁଡ଼ିକୁ ସେମାନଙ୍କ ‘ପ୍ରତିଯୋଗିତାବିରୋଧୀ ମନୋଭାବ’ ଯୋଗୁଁ ଦୋଷୀ ସାବ୍ୟସ୍ତ କରାଯାଇ ଆର୍ଥିକ ଦଣ୍ଡବିଧାନ କରାଯାଇଥିଲା। ଅନ୍ୟପକ୍ଷରେ ଅନୈତିକ ଓ ବେଆଇନ ଭାବେ ଖବର ପ୍ରସାରଣ କରୁଥିବାରୁ ଗୁଗୁଲ୍ ଓ ଫେସ୍ବୁକ୍ ଯେପରି ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଖବର ପାଇଁ ପାରିଶ୍ରମିକ ଦେବାକୁ ବାଧ୍ୟହେବେ, ସେଥିପାଇଁ ଅଷ୍ଟ୍ରେଲୀୟ ସରକାର ଡିସେମ୍ବର ୨୦୨୦ରେ ଆଇନ ପ୍ରଣୟନ କରିଛନ୍ତି। ତେବେ ଏସବୁ ଅପେକ୍ଷା ବ୍ୟକ୍ତିଗତ ଗୋପନୀୟ ତଥ୍ୟକୁ ନେଇ କାରବାର କରିବା ସବୁଠୁ ବିପଜ୍ଜନକ କଥା। ଚଳିତ ମାସ ଆରମ୍ଭରେ ଖବର ଆସିଥିଲା ଯେ ଶ୍ରମ ମନ୍ତ୍ରଣାଳୟ ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ ହେବାପରେ କର୍ମଚାରୀମାନଙ୍କ ଦରମା ନେଇ ସବିଶେଷ ତଥ୍ୟ ଦେବାକୁ ହ୍ବାଟ୍ସଆପ୍ ବ୍ୟବହାର କରିବ। ଏହାଦ୍ବାରା ସେମାନଙ୍କ ବ୍ୟକ୍ତିଗତ ସୂଚନାର ଅପବ୍ୟବହାର ହେବାର ଆଶଙ୍କା ରହିଥିବାରୁ ସରକାର ସେଥିରୁ ନିବୃତ୍ତ ହେବା ଉଚିତ। ସ୍ମାର୍ଟଫୋନ୍ରେ କୌଣସି ଆପ୍ ବ୍ୟବହାର କରିବା ପୂର୍ବରୁ ତା’ର ସର୍ତ୍ତାବଳୀକୁ ଭଲଭାବେ ପଢ଼ି ତାକୁ ଗ୍ରହଣ କରିବା ବୁଦ୍ଧିମାନର କାମ। ସମସ୍ତେ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
Comments are closed.