ଟିକାଦାନ ଆହ୍ବାନ; ସଫଳ ଟିକାଦାନ କାର୍ଯ୍ୟକ୍ରମ ଆୟୋଜନ ଏକ ବଡ଼ ଆହ୍ବାନ

ଭାରତ ସରକାର ଆସନ୍ତା ଶନିବାରରୁ ସମଗ୍ର ଦେଶରେ କୋଭିଡ଼ ଟିକାକରଣ ଅଭିଯାନ ଆରମ୍ଭ ନିମନ୍ତେ ଘୋଷଣା କରିବା ପରଠାରୁ ଏ ଦିଗରେ ତତ୍ପରତା ପ୍ରକାଶ ପାଇଛି। ମଙ୍ଗଳବାର ଓଡ଼ିଶାରେ ୪ ଲକ୍ଷ ୮ ହଜାର ଡୋଜ୍‌ କୋଭିସିଲ୍‌ଡ ଟିକା ପହଞ୍ଚିଛି ଏବଂ ଖୁବ୍‌ଶୀଘ୍ର ୨୦ ହଜାର ଦେଶୀ କରୋନା ଟିକା କୋଭାକ୍ସିନ ପହଞ୍ଚିବ ବୋଲି ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୨ ଲକ୍ଷ କୋଭିଡ଼ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯିବାର ଯୋଜନା ରହିଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏଥିପାଇଁ ୨୦ଟି ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବାକୁ ପଡ଼ିବ ବୋଲି କୁହାଯାଇଛି। ଏଥିରୁ ଏହି ଟିକାକରଣ ଅଭିଯାନର ପରିସର ତଥା ଆହ୍ବାନ କେତେ ବୃହତ୍‌, ତାହା ଜଣାପଡ଼ୁଛି। ଟିକା ଆଣିବାଠାରୁ ଆରମ୍ଭ କରି ଟିକାଦାନ କେନ୍ଦ୍ର ପ୍ରସ୍ତୁତି ପର୍ଯ୍ୟନ୍ତ ଏବଂ ଉପଯୁକ୍ତ ମାନବ ସମ୍ବଳ ନିୟୋଜନଠାରୁ ବ୍ୟବସ୍ଥାଗତ ପ୍ରବନ୍ଧନ ଯାଏ, ସବୁକିଛିର ସୁପରିଚାଳନା ଜରୁରୀ। ଇତିମଧ୍ୟରେ ଦେଶର ୭୦୦ ଜିଲାରେ ଡ୍ରାଏ ରନ୍‌ ଅନୁଷ୍ଠିତ ହୋଇସାରିଛି, ଯେଉଁଥିରେ ଅନେକ ତ୍ରୁଟିବିଚ୍ୟୁତି ମଧ୍ୟ ସାମ୍ନାକୁ ଆସିଛି। ପ୍ରଥମ ଡୋଜ୍‌ ଟିକା ପ୍ରଦାନ ପୂର୍ବରୁ ସେସବୁକୁ ସୁଧାରିବା ଆବଶ୍ୟକ।

ଏଥରର ଟିକାକରଣ କାର୍ଯ୍ୟକ୍ରମରେ ଡିଜିଟାଲ୍‌ ବ୍ୟବସ୍ଥା ଏକ ପ୍ରମୁଖ ଭୂମିକା ତୁଲାଇବ। କୋଭିଡ ଭ୍ୟାକ୍ସିନ ଇଣ୍ଟେଲିଜେନ୍‌ସ ନେଟୱର୍କ ବା କୋ-ୱିନ୍‌ ବ୍ୟବସ୍ଥାରେ ଇତିମଧ୍ୟରେ ୮୦ ଲକ୍ଷରୁ ଅଧିକ ହିତାଧିକାରୀ ନିଜ ନାମ ପଞ୍ଜୀକରଣ କରିସାରିଛନ୍ତି, ଯେଉଁମାନଙ୍କୁ ପ୍ରଥମେ ଟିକା ଦିଆଯିବ। କୋ-ୱିନ୍ ହେଉଛି ଏଭଳି ଏକ ଡିଜିଟାଲ୍‌ ପ୍ଲାଟଫର୍ମ, ଯେଉଁଥିରେ ଟିକାଦାନ ପ୍ରକ୍ରିୟାର ରିଅଲ୍‌-ଟାଇମ୍‌ ତଥ୍ୟ ପ୍ରଦର୍ଶିତ ହେବ। ତେବେ ଆମ ଦେଶରେ ସୂଚନା ପ୍ରଯୁକ୍ତି ସେବା ସହ ପ୍ରତିଷ୍ଠିତ ସର୍ଭର୍‌ଗୁଡ଼ିକ ମଝିମଝିରେ ଅକାମୀ ହୋଇପଡ଼ିବା ଏକ ଦୀର୍ଘକାଳୀନ ସମସ୍ୟା। ଡ୍ରାଏ ରନ୍‌ବେଳେ ମଧ୍ୟ ସେହି ଧରଣର ସମସ୍ୟା ଦେଖାଯାଇଥିଲା। ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଓ ଆସାମର ଟିକାଦାନ କେନ୍ଦ୍ର ଓ ଅନ୍ୟାନ୍ୟ ତଥ୍ୟ କୋ-ୱିନ୍‌ ପ୍ଲାଟଫର୍ମ ସହ ଯୋଡ଼ି ହୋଇପାରିନଥିଲା। ବିଶେଷଜ୍ଞମାନେ ଏଥିରେ ଚିନ୍ତାପ୍ରକଟ କରି ଚେତାବନୀ ଦେବା ଯଥାର୍ଥ; କାରଣ ଟିକାଦାନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏପରି ସମସ୍ୟା ଦେଖାଦେଲେ ତାହା ନିର୍ଦିଷ୍ଟ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ତାରିଖରେ ଟିକା ଦେବା ସମ୍ଭବ ହେବନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯଦି ସେପରି ଘଟେ ତେବେ ସମଗ୍ର ଟିକାଦାନ ପ୍ରକ୍ରିୟା ଉପରୁ ଲୋକଙ୍କର ବିଶ୍ବାସ କମିଯିବ। ଆହୁରି ମଧ୍ୟ କୋ-ୱିନ୍‌ ପ୍ଲାଟଫର୍ମକୁ ପ୍ରାମାଣିକ ଏବଂ ଟିକାଦାନରେ ସଂପୃକ୍ତ ଆଶା ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସହଜ ବ୍ୟବହାରଯୋଗ୍ୟ କରିବା ମଧ୍ୟ ଏକ ବଡ଼ ଆହ୍ବାନ। ଏହା ବିନା ଟିକାଦାନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇପାରେ। କେନ୍ଦ୍ର ସ୍ବାସ୍ଥ୍ୟ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସରକାରୀ ପ୍ରଯୁକ୍ତି ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ଘରୋଇ କମ୍ପାନୀଗୁଡ଼ିକର ସହାୟତା ନେବ ବୋଲି କୁହାଯାଇଛି। ତେବେ ଏଥିପ୍ରତି ସତର୍କ ଦୃଷ୍ଟି ରଖିବା ବିଧେୟ; କାରଣ ଘରୋଇ କମ୍ପାନୀଗୁଡ଼ିକ ସରକାରୀ ତଥ୍ୟର ଅପବ୍ୟବହାର କରିପାରନ୍ତି।

ସରକାରଙ୍କ ସୂଚନା ଅନୁଯାୟୀ, ପ୍ରଥମ ଦୁଇଟି ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ ଟିକାକରଣ ଅଭିଯାନରେ ଅନ୍ତର୍ଭୁକ୍ତ କରାଯିବ। ଜଣକୁ ଦୁଇଟି ଲେଖାଏଁ ଡୋଜ୍‌ ପ୍ରଦାନ କରାଗଲେ ୬୦ କୋଟି ଡୋଜ୍‌ ଟିକା ଦରକାର ପଡ଼ିବ। ଆସନ୍ତା ୬ରୁ ୮ ମାସ ଭିତରେ ଏହି ଟିକା ଦିଆଯିବ ବୋଲି ସ୍ଥର ହୋଇଛି। ଏହି ପ୍ରକ୍ରିୟାରେ ପ୍ରାୟ ୧ ଲକ୍ଷ ଟିକାଦାନକାରୀ କାର୍ଯ୍ୟ କରିବେ। ଏତେ ସଂଖ୍ୟକ କର୍ମୀ ଯେତେ‌େ‌ବଳେ ଗୋଟିଏ କାର୍ଯ୍ୟକ୍ରମ ସହ ଯୋଡ଼ିହୋଇ କାର୍ଯ୍ୟ କରିବେ, ସେତେବେଳେ ଅନେକ ସମସ୍ୟା ଦେଖାଦେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ଡ୍ରାଏ ରନ୍‌ବେଳେ ଯେଉଁ ସମସ୍ୟା ଆସିଥିଲା, ତା’ର ସମାଧାନ ସହ ସେଥିରୁ ଶିକ୍ଷା ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ। ସ୍ବାସ୍ଥ୍ୟସେବା ସହ ସଂପୃକ୍ତ ଅଧିକାରୀଙ୍କର ଆଉ ଏକ ଚିନ୍ତା ହେଉଛି ଯେ ଏପରି ବଡ଼ ଧରଣର ଯୋଜନାକୁ କାର୍ଯ୍ୟକାରୀ କରିବା ସମୟରେ ଅନ୍ୟ ସ୍ବାସ୍ଥ୍ୟସେବା ଅବହେଳିତ ହେବ। ଏପରି ଆଶଙ୍କା ଅମୂଳକ ନୁହେଁ। ଦେଶର ସମସ୍ତ ନାଗରିକଙ୍କୁ ଟିକା ଦେବାକୁ ହେଲେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ମଧ୍ୟ ଟିକାଦାନ କେନ୍ଦ୍ରରେ ପରିଣତ କରିବାକୁ ପଡ଼ିବ। ତେଣୁ ଅନ୍ୟ ରୋଗରେ ପୀଡ଼ିତ ରୋଗୀ, ଅନ୍ୟାନ୍ୟ ଟିକାଦାନ କାର୍ଯ୍ୟକ୍ରମ ଆଦି ବାଧାପ୍ରାପ୍ତ ହେବା ନିଶ୍ଚିତ। କୋଭିଡ଼ ଟିକାକରଣ ଅଭିଯାନ ପାଇଁ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ପୋଲିଓ ଟିକା ପ୍ରଦାନ ଇତିମଧ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇସାରିଛି। ତେଣୁ ଆଗାମୀ କେଇ ମାସ ଦେଶର ସ୍ବାସ୍ଥ୍ୟସେବା ନିମନ୍ତେ ଏକ ବଡ଼ ଆହ୍ବାନର ସମୟ। କେନ୍ଦ୍ର ଓ ରାଜ୍ୟ ସରକାର କିପରି ଏହାର ମୁକାବିଲା କରୁଛନ୍ତି, ତାହା ଭବିଷ୍ୟତ କହିବ।

Comments are closed.