କୃଷିଋଣ ଛାଡ଼ର ବାଧ୍ୟବାଧକତା
କୃଷିଋଣ ଛାଡ଼ ଦାବି ଏବେ ଓଡ଼ିଶାରେ ଜୋର ଧରିଲାଣି। ବିରୋଧୀ ବିଜେପି ଓ କଂଗ୍ରେସ ଏ ନେଇ ସ୍ବର ଉଠାଇଥିବାବେଳେ ଶାସକ ବିଜେଡ଼ି ପରିସ୍ଥିତି ଓ ପରିବେଶର ଅପେକ୍ଷାରେ ରହିଛି। ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ଉଠାଇବା ପଛରେ ରହିଛି ଚାଷୀକୁଳଙ୍କ ସମର୍ଥନ ଲାଭର ଲକ୍ଷ୍ୟ। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ସେଠା ସରକାର କୃଷିଋଣ ଛାଡ଼ କରିବାପରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନରୁ ସମ୍ମୁଖୀନ ହେଉଥିବା ଓଡ଼ିଶା ସରକାର ଏ ନେଇ ଆଗ୍ରହୀ ହେବା ସ୍ବାଭାବିକ। ତେବେ ବିପୁଳ କୃଷିଋଣ ଛାଡ଼ ଜନିତ ରାଜସ୍ବ ବୋଝ ବହନ କରିବାର ସାମର୍ଥ୍ୟ ଜୁଟାଇବା ଓଡ଼ିଶା ସରକାରଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ହେବା ସ୍ବାଭାବିକ। ମୁଖ୍ୟମନ୍ତ୍ରୀ ଏହି ଋଣ ଛାଡ଼ନେଇ ଅନୁକୂଳ ମନୋଭାବ ପ୍ରଦର୍ଶନ କରୁଛନ୍ତି। ତେଣୁ ସମୟ ଓ ସୁଯୋଗ ଦେଖି ସେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ଏହା ଜଣାପଡ଼ୁଛି।
ଓଡ଼ିଶାରେ ମୋଟ କୃଷିଋଣ ପରିମାଣ ପ୍ରାୟ ୧୪ଲକ୍ଷକୋଟି ଟଙ୍କା। ସେଥି ମଧ୍ୟରୁ ବ୍ୟବସାୟିକ ବ୍ୟାଙ୍କ ସମୂହ ପ୍ରାୟ ୧୧ଲକ୍ଷ କୋଟିଟଙ୍କା ଋଣ ଦେଇଥିବାବେଳେ ବିଭିନ୍ନ ସମବାୟ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କ ଦେଇଥିବା ଋଣ ତିନିଲକ୍ଷ କୋଟି ପାଖାପାଖି। ଏହି ଋଣ ମଧ୍ୟରେ କୃଷି ଋଣର ଓ ମିଆଦି (ଟର୍ମ) ଋଣ ଅନ୍ତର୍ଭୁକ୍ତ। ଋଣୀ ଚାଷୀଙ୍କ ମଧ୍ୟରୁ ୩୪ଲକ୍ଷ ଋଣ ପରିଶୋଧରେ ବିଫଳ ହୋଇଛନ୍ତି ଏବଂ ସେମାନଙ୍କ ଉପରେ ୧୯ହଜାର କୋଟି ଟଙ୍କାରୁ ଅଧିକ ବାକି ପଡ଼ିଛି। ଏମାନଙ୍କ ଋଣ ଯଦି ସରକାର ମାଫ କରନ୍ତି ତେବେ ବ୍ୟାବସାୟିକ ବ୍ୟାଙ୍କ ପ୍ରାୟ ୧୩ହଜାର କୋଟି ଓ ଅନ୍ୟାନ୍ୟ ବ୍ୟାଙ୍କ ସାତହଜାର କୋଟିଟଙ୍କା ହରାଇବେ। ସରକାରଙ୍କୁ ସେ ବାବଦ ଅର୍ଥ ଶୁଝିବାକୁ ପଡ଼ିବ।
ଏବେ ବ୍ୟାଙ୍କ ସମୂହଙ୍କ ଆର୍ଥିକ ସ୍ଥିତି ଯାହା ସେଥିରେ ସେମାନେ ସରକାରଙ୍କ ଋଣଛାଡ଼ ନୀତିକୁ ବିରୋଧ କରିବା ସ୍ବାଭାବିକ; କାରଣ ଏହାଦ୍ବାରା ଋଣପ୍ରଦାନ ଓ ଆଦାୟ ବ୍ୟବସ୍ଥାଟି ଗୁୁରୁତର ଭାବେ ପ୍ରଭାବିତ ହେବ। ଦ୍ବିତୀୟ ପ୍ରସଙ୍ଗଟି ହେଲା କୃଷିଋଣ ଛାଡ଼ ଚାଷୀ ଓ ଚାଷବାସ ଜନିତ ସମସ୍ୟାର ସ୍ଥାୟୀ ସମାଧାନ କରିନଥାଏ। ସବୁ କୃଷି ଋଣ ଚାଷକାମରେ ଲାଗେନାହିଁ। ଏହାର ଦୁରୁପଯୋଗ କରିଥିବା ଚାଷୀ ଋଣ ଛାଡ଼ ବ୍ୟବସ୍ଥାରୁ ଫାଇଦା ଉଠାଇବେ ସିନା ପ୍ରକୃତ ଅଭାବୀ ଚାଷୀ ବିଶେଷ ଉପକୃତ ହେବେନାହିଁ। ସେମାନଙ୍କ ମଧ୍ୟରୁ ଅନେକ ପୁଣି ଭାଗଚାଷୀ ଓ ନାମକୁମାତ୍ର କୃଷକ। ସରକାର ଯଦି ଋଣଛାଡ଼ କରନ୍ତି ସେ ବାବଦ ଅର୍ଥ ଭରଣା କରିବାକୁ ଓଡ଼ିଶା ରାଜକୋଷ କେତେ ସମର୍ଥ ତାହା ମଧ୍ୟ ବିଚାର୍ଯ୍ୟ। ସେଥିପାଇଁ ସରକାରଙ୍କୁ ହୁଏତ କର୍ଣ୍ଣାଟକ ଢ଼ାଞ୍ଚାରେ ଇନ୍ଧନ ଉପରେ ଅତିରିକ୍ତ ଟିକସ ଲାଗୁ କରିବାକୁ ପଡ଼ିପାରେ ଯାହା ନିର୍ବାଚନ ପୂର୍ବରୁ ସରକାରଙ୍କୁ ଅଡ଼ୁଆରେ ପକାଇପାରେ। ଏଭଳି ଏକ ଦ୍ବନ୍ଦ୍ବ ମଧ୍ୟରେ ମୁଖ୍ୟମନ୍ତ୍ରୀ କୃଷିଋଣ ଛାଡ଼ ନେଇ ଜାତୀୟ ସ୍ତରରେ ଏକ ନୀତି ପ୍ରସ୍ତୁତ କରିବାକୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ବିଚାରଯୋଗ୍ୟ। ଜାତୀୟ ସ୍ତରରେ ଏ ନେଇ ଏକନୀତି ପ୍ରସ୍ତୁତ ହେଲେ କିଷାନ କଲ୍ୟାଣ କୋଷରୁ ଚାଷୀଙ୍କ ଋଣ ମାଫ୍ ଜନିତ ଅର୍ଥ ଭରଣା କରିହେବ। ନିର୍ବାଚନର ବାଧ୍ୟବାଧକତା ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ଚାଷୀଙ୍କୁ ଖୁସୀ କରିବାକୁ ଅବଶ୍ୟ କିଛି କରିବାକୁ ପଡ଼ିବ। ତେବେ ସେ ଯା’ହେଉ ସେଥିପାଇଁ ରାଜ୍ୟ ରାଜକୋଷ ଉପରେ ଏକ ପ୍ରକାଣ୍ଡବୋଝ ଯେ ପଡ଼ିବ ତାହା ଜଳଜଳ ଦିଶୁଛି।