ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର, ବିଭିନ୍ନ ଜିଲାରୁ ଭାଗନେଲେ ୧୩୦ ଜଣ ପ୍ରଶିକ୍ଷାର୍ଥୀ

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଓଡ଼ିଆ ଭାଷାରେ ‘ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ନଭେମ୍ବର ୧୮ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୩୦ ଜଣ ପ୍ରଶିକ୍ଷାର୍ଥୀ ଭାଗନେଇଥିଲେ। ପ୍ରଶିକ୍ଷଣ ଶିବିରର ପ୍ରଶିକ୍ଷାର୍ଥୀମାନଙ୍କୁ ଶୁଦ୍ଧ ଓଡ଼ିଆ ଲିଖନ, ସମ୍ପାଦନା ଓ ପ୍ରୁଫ୍ ସଂଶୋଧନର ବିଭିନ୍ନ ନିୟମାବଳୀ ଓ ପ୍ରାସଙ୍ଗିକତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ଆଜିର ଉଦଯାପନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ଶ୍ରୀ ଦାଶ ପ୍ରଶିକ୍ଷାର୍ଥୀମାନଙ୍କୁ ଶୁଦ୍ଧ ଓଡ଼ିଆ ଲିଖନ ପାଇଁ ଉପଦେଶ ଦେବା ସହ ପ୍ରଶିକ୍ଷାର୍ଥୀ ମାନଙ୍କ ସହ ଓଡ଼ିଆ ଭାଷାରେ ସମ୍ପାଦନା ଓ ପ୍ରୁଫ୍ ସଂଶୋଧନ କରିବାର ବିଭିନ୍ନ ନିୟମାବଳୀ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ଦିଗରେ ସମସ୍ତେ ସଦାସର୍ବଦା କାର୍ଯ୍ୟରତ ରହିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ଆଜିର ଉଦଯାପନୀ ସମାରୋହରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରଶିକ୍ଷଣ ଶିବିରରେ ବହୁ ବିଶିଷ୍ଟ ସାହିତ୍ୟିକ, ଭାଷାବିତ୍ ଓ ଫ୍ରଫେସର ଯଥା ଡକ୍ଟର ଗୌରାଙ୍ଗ ଚରଣ ଦାଶ, ଫ୍ରଫେସର ସନ୍ତୋଷ କୁମାର ରଥ, ପ୍ରଫେସର ବାଉରୀ ବନ୍ଧୁ ସାହୁ, ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା, ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ପ୍ରଫେସର ଦେବାଶିଷ ମହାପାତ୍ର ବୈଷ୍ଣବ ଚରଣ ମହାନ୍ତି, ଅସିତ ମହାନ୍ତି, ପ୍ରଫେସର ଯତୀନ ନାୟକ, ଡକ୍ଟର ସଂଗ୍ରାମ ଜେନା ପ୍ରଭୃତି ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Comments are closed.