ଗଣତନ୍ତ୍ର ବଞ୍ଚିରହୁ
ଆମ୍ ଆଦ୍ମୀ ପାର୍ଟି (ଆପ୍) ସରକାର ଗଢ଼ିବା ପରଠାରୁ ଦିଲ୍ଲୀ ଶାସନର ବୈଧାନିକ-ପ୍ରାଶାସନିକ ସ୍ଥିତିକୁ ନେଇ ଯେଉଁ ଅଚଳାବସ୍ଥା ଲାଗି ରହୁଥିଲା, ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଦ୍ବାରା ତା’ର ପରିସମାପ୍ତି ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ନ୍ୟାୟାଳୟଙ୍କ ସମ୍ବିଧାନ ପୀଠ ସ୍ପଷ୍ଟ କରିଦେଇଛନ୍ତି ଯେ ଗଣତନ୍ତ୍ରରେ ନିର୍ବାଚିତ ସରକାର ହିଁ ପ୍ରକୃତ କ୍ଷମତାପ୍ରାପ୍ତ ଓ ତା’ର ନିଷ୍ପତ୍ତିକୁ ପ୍ରାଧାନ୍ୟ ଦିଆଯିବା ସର୍ବାଦୌ ଆବଶ୍ୟକ। ଏହି କାରଣରୁ ଜମିଜମା, ପୁଲିସ ଓ ଆଇନ ବ୍ୟବସ୍ଥା ବ୍ୟତୀତ ସମସ୍ତ ମାମଲାରେ ମନ୍ତ୍ରିପରିଷଦର ନିଷ୍ପତ୍ତି ସର୍ବୋପରି ହେବ ବୋଲି ନ୍ୟାୟାଳୟ କହିଛନ୍ତି। ଅବଶ୍ୟ ନିଷ୍ପତ୍ତି ସମ୍ବନ୍ଧରେ ମନ୍ତ୍ରିପରିଷଦ ଉପରାଜ୍ୟପାଳଙ୍କୁ ଅବଗତ କରିବେ। ଆଉ ମଧ୍ୟ ଉପରାଜ୍ୟପାଳଙ୍କ ନିକଟରେ କୌଣସି ସ୍ବାଧୀନ ଅଧିକାର ନାହିଁ ଏବଂ ପ୍ରତ୍ୟେକ ନିଷ୍ପତ୍ତିରେ ଉପରାଜ୍ୟପାଳଙ୍କ ସମ୍ମତି ଜରୁରୀ ନୁହେଁ ବୋଲି ସମ୍ବିଧାନ ପୀଠ କହିଛନ୍ତି। ସେହିଭଳି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇ ପାରିବନାହିଁ….।
ନ୍ୟାୟାଳୟଙ୍କ ଏହି ରାୟ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବାଧୀନ ଆପ୍ ସରକାର ପାଇଁ ନୈତିକ ବିଜୟ କହିଲେ ଅତ୍ୟୁକ୍ତି ହେବନାହିଁ। କେନ୍ଦ୍ରସ୍ଥ ବିଜେପି ନେତୃତ୍ବାଧୀନ ସରକାର ଉପରାଜ୍ୟପାଳଙ୍କ ମାଧ୍ୟମରେ ଅନେକ ପ୍ରାଶାସନିକ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିଆସୁଥିବା ଆପ୍ ସରକାର ଅଭିଯୋଗ କରିଆସୁଥିଲେ। ଅତୀତର କେତେକ ଘଟନାକୁ ଦେଖିଲେ ଏହା ଅଯଥାର୍ଥ ମଧ୍ୟ ମନେହୁଏ ନାହିଁ। ଗୋଟାଏ ନିର୍ବାଚିତ ସରକାରକୁ ଜଣେ କେନ୍ଦ୍ର ନିଯୁକ୍ତ ପଦାଧିକାରୀ ଯେପରି ନିଜ ଇଚ୍ଛାନୁରୂପ ପରିଚାଳନା କରିବାକୁ ଚେଷ୍ଟା କରୁଥିଲେ, ସେଥିରେ ଗଣତନ୍ତ୍ର ହିଁ ଖର୍ବ ହେଉଥିବା ଅନୁଭବ କରାଯାଉଥିଲା। ବର୍ତ୍ତମାନର ରାୟକୁ ଅନୁଧ୍ୟାନ କଲେ ମୋଟାମୋଟି ଭାବେ ନ୍ୟାୟାଳୟ କହିବାକୁ ଚାହିଁଛନ୍ତି ଯେ ଉପରାଜ୍ୟପାଳ ଅତିସକ୍ରିୟତା ନ ଦେଖାଇ ରାଜ୍ୟପାଳଙ୍କ ଭଳି ଭୂମିକା ତୁଲାଇବା ଉଚିତ ଓ ରାଜ୍ୟ ସରକାରଙ୍କୁ ତାଙ୍କ କାର୍ଯ୍ୟ କରିବାରେ ସହାୟତା କରିବା ଆବଶ୍ୟକ। ଆମେ ଆଶା କରିବା ଯେ ଉଭୟ ପକ୍ଷ ଏହାକୁ ଗୁରୁତ୍ବ ଦେବେ ଓ ଗଣତନ୍ତ୍ରକୁ ବଞ୍ଚାଇ ରଖିବେ।