ବିଧାୟକଙ୍କୁ ବଧେଇ

0

ନେତାମାନେ ଜନତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ କେତେନାକେତେ ପେଖନା ଦେଖାନ୍ତି; ହୁଏତ ସେଥିପାଇଁ ସେମାନଙ୍କର ଆଦୌ ଇଚ୍ଛା କି ଆଗ୍ରହ ବି ନଥାଏ; କିନ୍ତୁ ‘ହାଇକମାଣ୍ଡ୍’ଙ୍କ ନିର୍ଦେଶରେ ସେଭଳି କରିବାକୁ ହିଁ ପଡ଼େ। ନିକଟରେ ବି ଆମେ ନେତାମାନଙ୍କର ଦଳିତଙ୍କ ଘରେ ଖାଇବା ଓ ଶୋଇବା ଭଳି ବଢ଼ିଆ ଅଭିନୟ ଦେଖିଥିଲୁ; କିନ୍ତୁ ଏସବୁ ଆମ ଗଣତନ୍ତ୍ରକୁ କ୍ରମଶଃ ହତଶିରୀ କରିଦେଉଛି, ତାହା ବୁଝାଇ କହିବା ଅନାବଶ୍ୟକ। ଏବେ ଜଣେ ନେତା ଅର୍ଥାତ ବିଧାୟକ ଏଭଳି ଗୋଟାଏ କାମ କରିଛନ୍ତି, ଯାହା କେବଳ ନେତୃତ୍ବ ଉପରେ ଲୋକଙ୍କ ଭରସାକୁ ବଢ଼ାଇବ ନାହିଁ, ବରଂ ଗଣତନ୍ତ୍ରକୁ ମଧ୍ୟ ଅଧିକ ମଜଭୁତ କରିବ। ଆନ୍ଧ୍ରପ୍ରଦେଶର ତେଲୁଗୁଦେଶମ୍ ପାର୍ଟି (ଟିଡିପି)ର ବିଧାୟକ ନିମ୍ମାଲା ରାମା ନାଇଡୁ ଶ୍ରମିକଙ୍କ ମନରୁ ଭୂତପ୍ରେତ ଭୟ ଛଡ଼ାଇବା ପାଇଁ ନିଜେ ସାରା ରାତି ମଶାଣିରେ ଖଟ ପକାଇ ଶୋଇବା ଏହାର ଏକ ଶ୍ରେଷ୍ଠ ଉଦାହରଣ। ବିଧାୟକଙ୍କୁ ଆମର ବହୁତ ବଧେଇ; କାରଣ ଆମ ନେତାମାନେ କେତେ ଅନ୍ଧବିଶ୍ବାସର ବଶବର୍ତ୍ତୀ, ତା’ର ବିଭିନ୍ନ ଦୃଷ୍ଟାନ୍ତ ଆମେ ଅଧିକାଂଶ ସମୟରେ ଦେଖିବାକୁ ଓ ଶୁଣିବାକୁ ପାଉଥିବାବେଳେ ଜନସାଧାରଣଙ୍କ ମନରୁ ଅନ୍ଧବିଶ୍ବାସ ଦୂର ପାଇଁ ଶ୍ରୀ ନାଇଡୁଙ୍କ ଏଭଳି ପଦକ୍ଷେପ ବିରଳ ନିଶ୍ଚୟ। ଏହାର ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ବିଧାୟକଙ୍କ ଏଭଳି ପଦକ୍ଷେପ ମଶାଣିର ଆଧୁନିକୀକରଣ କାର୍ୟ୍ୟରେ ନିୟୋଜିତ ଶ୍ରମିକଙ୍କ ମନରୁ ଭୂତପ୍ରେତ ଭୟ ଛଡ଼ାଇବାରେ ସହାୟକ ହୋଇଛି ଓ ସେମାନେ କାମକୁ ଫେରିଛନ୍ତି। ଶ୍ରୀ ନାଇଡୁ କେବଳ ମଶାଣିରେ ରାତିରେ ଶୋଇନଥିଲେ, ସେ ସେଠାରେ ଦିନବେଳା ଖାଇଥିଲେ, ଗାଧୋଇଥିଲେ ଏବଂ ରହିଥିଲେ। ତାଙ୍କର ଏହି ହେତୁବାଦୀ ଦୃଷ୍ଟିକୋଣ ଆଜିର ନେତାଙ୍କ ଭିତରେ ଖୋଜିପାଇବା ଦୁର୍ଲଭ କହିଲେ ଅତିଶୟୋକ୍ତି ହେବନାହିଁ।
ଭାରତର ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ଆମ ନେତୃବର୍ଗଙ୍କର ଯେଉଁ ହେତୁବାଦୀ ଓ ବୈଜ୍ଞାନିକ ବିଚାରଧାରା ରହିଥିଲା, ତାହା ଆଜିର ନେତାଙ୍କ ଭିତରେ ମିଳିବା କଷ୍ଟ। ବର୍ତ୍ତମାନର ଆମ ନେତୃବୃନ୍ଦ ଯେଉଁଥିପାଇଁ ବେଶି ଚର୍ଚାରେ ରହନ୍ତି, ତାହା ହେଲା ଦୁର୍ନୀତି, ରାଜନୈତିକ ଅପରାଧ, ବଳାତ୍କାର, ହତ୍ୟା ଇତ୍ୟାଦି। ଏହି ନେତାମାନେ ଏସବୁ କାର୍ୟ୍ୟ କରିବା ପାଇଁ କେତେ ଯେ ଯନ୍ତ୍ର-ମନ୍ତ୍ର-ତନ୍ତ୍ରର ସାହାରା ନେଇଥାନ୍ତି, ତାହା ଅଳ୍ପବହୁତେ ସମସ୍ତଙ୍କୁ ଜଣା। ବାବାମାତାଙ୍କ ପାଖକୁ ଯିବାଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଅବୈଜ୍ଞାନିକ ଓ ଅହେତୁକ ବିଶ୍ବାସ ଏମାନଙ୍କଠାରେ ଦେଖାଯାଏ। ଏହା ହିଁ ସାଧାରଣ ଲୋକଙ୍କ ମନରେ ବିଭିନ୍ନ ଅନ୍ଧବିଶ୍ବାସକୁ ଅଧିକ ଦୃଢ଼ କରିବାରେ ସାହାଯ୍ୟ କରିଥାଏ। ବିଧାୟକ ଶ୍ରୀ ନାଇଡୁ ଏହି ଦୃଷ୍ଟିରୁ ଦେଖିଲେ ଖୁବ୍ ବଡ଼ ଲୋକସେବାଟିଏ ମଧ୍ୟ କରିଛନ୍ତି; କାରଣ ତାଙ୍କର ଏହି କାର୍ୟ୍ୟ ସାଧାରଣ ଲୋକଙ୍କ ମନରୁ ଭୂତଭୟ ଛଡ଼ାଇବାର କାରଣ ସାଜିଛି ଓ ଆଗକୁ ମଧ୍ୟ ଏହା ପ୍ରେରଣା ଯୋଗାଇବ। ମଣିଷ ଯେ ପର୍ୟ୍ୟନ୍ତ କୌଣସି କାର୍ୟ୍ୟର ହେତୁ ବା କାରଣ ଖୋଜିବାକୁ ଚେଷ୍ଟା କରିବ ନାହିଁ, ସେ ପର୍ୟ୍ୟନ୍ତ ସେ ଭୟାଳୁ ହୋଇ ରହିଥିବ ଏବଂ ଚତୁର ନେତାମାନେ ତାକୁ ବିଭିନ୍ନ ପ୍ରକାରର ଭୟ ଦେଖାଇ ଭୋଟ ହା​‌ତଉଥିବେ। ଆମ ନେତୃବୃନ୍ଦ ଯେତେ ଦାମୀ କାର୍ ଚଢ଼ିଲେ କି ଉଡ଼ାଜାହାଜରେ ଉଡ଼ିଲେ ସେମାନେ ସେପର୍ୟ୍ୟନ୍ତ ଆଧୁନିକ ହୋଇପାରିବେ ନାହିଁ, ଯେ ପର୍ୟ୍ୟନ୍ତ ନିଜେ ଅନ୍ଧବିଶ୍ବାସୀ ହୋଇ ରହିଥିବେ ଓ ଅନ୍ୟକୁ ଅନ୍ଧବିଶ୍ବାସୀ କରି ରଖିଥିବେ। ଆମର ଆଶା ଯେ ଶ୍ରୀ ନାଇଡୁଙ୍କ ଶ୍ମଶାନ-ଶୟନ କେବଳ ସାଧାରଣ ଜନତାଙ୍କୁ ନୁହେଁ, ଅନ୍ୟ ରାଜନେତାଙ୍କୁ ମଧ୍ୟ ସେହିଭଳି କାର୍ୟ୍ୟ କରିବାକୁ ପ୍ରୋତ୍ସାହନ ଯୋଗାଇବ, ଯାହା ଆମ ସମାଜରେ ସଂସ୍କାର ଆଣିପାରିବ।

Leave A Reply