www.samajalive.in
Thursday, December 11, 2025
15.1 C
Bhubaneswar

ମଣ୍ଡି ଓ ମିଲର୍‌

ଆମ ରାଜ୍ୟ ସରକାର ଗତ କିଛି ବର୍ଷ ହେଲା ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରୁଛନ୍ତି। ଏହାର ସିଂହଭାଗ ଜଳସେଚନ ବିଭାଗ ପାଇଆସିଛି। ଅଥଚ ଯେଉଁ ହାରରେ ଚାଷ ଜମିକୁ ଜଳଯୋଗାଣ ବଢ଼ିବା କଥା ତାହା ଅନୁଭୂତ ହେଉନାହିଁ। ସର୍ବୋପରି ଓଡ଼ିଶା ଚାଷୀଙ୍କ ଧାନ ଚାଷ ଉପରେ ନିର୍ଭରଶୀଳତା ଅଧିକ ହୋଇଥିଲେ ହେଁ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବଚ୍ଛତାଠାରୁ ବହୁ ଦୂରରେ ଥିବା କଥା ଯେ କେହି ଦାବି କରିପାରିବ। ଏ କ୍ଷେତ୍ରରେ ଯଥାସମ୍ଭବ ସ୍ବଚ୍ଛତା ରକ୍ଷା ପାଇଁ ସରକାର ଏକାଧିକ ସଂସ୍କାରକୁ ପ୍ରାଧାନ୍ୟ ଦେଇଥିଲେ ହେଁ କେତେବେଳେ ସମବାୟ ସଂସ୍ଥା ଦ୍ବାରା ପରିଚାଳିତ ପାକ୍ସ ତ ଆଉ କେତେକ କ୍ଷେତ୍ରରେ ମିଲର୍‌ମାନେ ଲୁଟୁଛନ୍ତି। କିନ୍ତୁ ସଂସ୍କାରର ପ୍ରଭାବ ତୃଣମୂଳ ସ୍ତରରେ ଅନୁଭୂତ ହେଉନାହିଁ। ତେଣୁ କ୍ଷୁଦ୍ରଚାଷୀ ଓ ଭାଗଚାଷୀଙ୍କ ଦୁଃଖର ଅନ୍ତ ହେଉନି। ସବୁଠାରୁ ବଡ଼ କଥା ହେଲା, ବର୍ଷ ବର୍ଷ ଧରି ଯେଉଁ ମଣ୍ଡିରୁ ଧାନ ସଂଗ୍ରହ କରାଯାଉଛି ତାହାକୁ ସମୟୋପଯୋଗୀ ପ୍ରସ୍ତୁତ କରାଯାଇପାରୁନି। ଚାଷୀ ଖୋଲା ଆକାଶ ତଳେ ଶୀତ କାକରରେ ଦିନ ଦିନ ଧରି ଧାନ ମହଜୁଦ କରି ସମୟକୁ ଅପେକ୍ଷା କରିଥାନ୍ତି। ବହୁ ଧାନମଣ୍ଡି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାରୁ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମରାମତି ଓ ଆବଶ୍ୟକ ସ୍ଥଳେ ନିର୍ମାଣ କାର୍ଯ୍ୟ କରାଯାଇପାରନ୍ତା। କାଗଜପତ୍ରରେ ଏଥିଲାଗି କାର୍ଯ୍ୟାରମ୍ଭ ହେଉଥିଲେ ମଧ୍ୟ ବ୍ୟବସ୍ଥା ଏହାକୁ ଅଗ୍ରାଧିକାର ଦେଉନଥିବାରୁ ମଣ୍ଡିର ସେଭଳି ଆଖିଦୃଶିଆ ପରିବର୍ତ୍ତନ ଲକ୍ଷ୍ୟ କରାଯାଇପାରୁନି। ଏହି କାର୍ଯ୍ୟରେ ସମ୍ପୃକ୍ତ ଯୋଗାଣ ବିଭାଗର ନିଷ୍ଠା ଓ ଆନ୍ତରିକତା ସମ୍ପର୍କରେ କିଛି ମତାମତ ନ ଦେବା ଭଲ। ସେମାନଙ୍କ ସମ୍ପର୍କ ଚାଷୀଙ୍କ ଅପେକ୍ଷା ମିଲର୍‌ଙ୍କ ସହ ଅଧିକ ନିବିଡ଼। ମଣ୍ଡିରେ ହେଉଥିବା ହେରଫେର ସମ୍ପର୍କରେ ଯଦିବା କିଛି ଖୋଳତାଡ଼ ହୁଏ ତେବେ ଜଣେ ଦୁଇଜଣ ଯୋଗାଣ ଅଧିକାରୀଙ୍କୁ ସରକାର ନିଲମ୍ବିତ କରି ନିଜର ସାଧୁତା ପ୍ରଦର୍ଶନ କରିଥାନ୍ତି; କିନ୍ତୁ ଚାଷୀ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ହାଉଳି ଖାଉଛନ୍ତି, କିଛି ପ୍ରତିକାର ହୋଇପାରୁନି। କଟଣି ଓ ଛଟଣି ପ୍ରକ୍ରିୟା ଆଜିର ନୁହେଁ ତାହା ନିରବଚ୍ଛିନ୍ନ ଭାବେ ଚାଲିଛି। ମିଲର୍‌ଙ୍କ ପ୍ରାଧାନ୍ୟ ଜାରି ରହିଥିବା ପର୍ଯ୍ୟନ୍ତ ତାହା ଚାଲିଥିବ। ଅନ୍ୟ ଗୋଟିଏ ଦିଗ ହେଲା, ଅଖାବସ୍ତା। ସେ ବାଟରେ ମଧ୍ୟ ବେଶ କାରସାଦି ଚାଲେ।

ଏସବୁ ଉଲ୍ଲେଖ କରିବା ସତ୍ତ୍ବେ ବ୍ୟବସ୍ଥାରେ ଯେ କିଛି ପରିବର୍ତ୍ତନ ଘଟିବ ନାହିଁ ତାହା ଆମେ ଜାଣୁ; କାରଣ ସରକାରଙ୍କ ନିକଟରେ ଏତେ ବିପୁଳ ପରିମାଣର ଧାନ ମହଜୁଦ କରିବାର ବ୍ୟବସ୍ଥା ନାହିଁ। ତେଣୁ ସରକାର ଆରମ୍ଭରୁ ମିଲର୍‌ଙ୍କୁ ଧାନ ଦେଇ ଆବଶ୍ୟକ ମୁତାବକ ଚାଉଳ ଆଣିଥାନ୍ତି ଯୋଗାଣ ବିଭାଗର ଆବଶ୍ୟକତା ପୂରଣ କରିବା ପାଇଁ। ତେଣୁ ନିର୍ଭରଶୀଳତାର ସୁଯୋଗ ନେଇ ଆସିଛନ୍ତି ମିଲର୍‌ମାନେ। ବହୁ କ୍ଷେତ୍ରରେ ସରକାରଙ୍କ ନାଲି ଆଖି କାମରେ ଲାଗୁନି; ବରଂ ଏହି ନିର୍ଭରଶୀଳତାର ସୁଯୋଗ ନେଇ ସେମାନେ ଯେଉଁ ବୁଝାମଣା କରନ୍ତି ସେଥିରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଥିବାର ଯେଉଁ ଅଭିଯୋଗ ହେଉଛି ତାହା ସମ୍ପୂର୍ଣ୍ଣ ଅସତ୍ୟ ନୁହେଁ। ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)କୁ ସୁବ୍ୟବସ୍ଥିତ ଭାବେ ଅଚଳ କରିଦେବାର ପ୍ରୟାସ ଆରମ୍ଭ ହୋଇଛି। ଫସଲର ମହଜୁଦୀକରଣ ଓ ଯୋଗାଣରୁ ସରକାର ନିଜକୁ ମୁକ୍ତ କରିବାକୁ ଚାହାନ୍ତି। ପରିସ୍ଥିତି ଚାପରେ କେନ୍ଦ୍ର ସରକାର ସଂଶୋଧିତ କୃଷି ଆଇନକୁ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ଏହା ଶେଷ କଥା ନୁହେଁ। ବ୍ୟବସ୍ଥାର ସମ୍ପୂର୍ଣ୍ଣ ଘରୋଇକରଣ କରି ଦାୟିତ୍ବମୁକ୍ତ ହେବାର ପ୍ରୟାସଠାରୁ ସରକାର ଏବେ ମଧ୍ୟ ନିଜକୁ ଦୂରେଇ ରଖିପାରିନାହାନ୍ତି। ଆମେ ଏଠାରେ ଉଲ୍ଲେଖ କରିବାକୁ ଚାହୁଁ ଯେ ଅଟା, ଡାଲି ଓ ତେଲ ବେପାର କରୁଥିବା ବଡ଼ ବଡ଼ ଶିଳ୍ପପତି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି। ସେମାନଙ୍କ ଚାପରୁ ମୁକ୍ତ ହେବା ଏତେ ସହଜ ନୁହେଁ। ସରକାର ବିଭିନ୍ନ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ସମୟକ୍ରମେ ବଢ଼ାଉଥିଲେ ମଧ୍ୟ ଚାଷୀଙ୍କୁ ସେହି ମୂଲ୍ୟ ଦେଇ ସାମଗ୍ରୀ କିଏ ସଂଗ୍ରହ କରିବ ତାହା ସ୍ଥିର କରିନାହାନ୍ତି। ତେଣୁ ସରକାରୀ ଘୋଷିତ ଦରକୁ ଏଡ଼ାଇଯାଇ ସେମାନଙ୍କଠାରୁ ଯଥେଷ୍ଟ କମ୍‌ ମୂଲ୍ୟରେ କୃଷି ଉତ୍ପାଦ ସଂଗ୍ରହ କରାଯାଉଥିଲେ ମଧ୍ୟ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ। ଏହା ଅଭାବୀ ବିକ୍ରି ଭଳି ଏକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଛି। ଯଦି ଚାଷୀ ତାହାର ଉତ୍ପାଦ ପାଇଁ ବଜାରରେ ଉଚିତ ମୂଲ୍ୟ ପାଇପାରିଲା ନାହିଁ ତେବେ ସରକାରଙ୍କ ଏହି ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ଧର୍ମକୁ ଆଖିଠାର କୁହାଯାଇପାରେ।

- Advertisement -

ଆମ ରାଜ୍ୟରେ ଧାନ ବିକ୍ରି ଘେନି ଯେଉଁ ବିଭ୍ରାଟ ଲାଗି ରହିଛି, ତାହା ଯେ ଆଗକୁ ସୁଧୁରିବ ଏ ବିଶ୍ବାସ ଆଉ ନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୦୪୦ ଟଙ୍କା ହୋଇଥିବାବେଳେ ମଣ୍ଡି ବାହାରେ ଅପେକ୍ଷାରତ ବ୍ୟବସାୟୀ ତାହାଠାରୁ କମ୍‌ ମୂଲ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରୁଛନ୍ତି। ତେଣୁ ଚାଷୀ ମଣ୍ଡିରେ ଧାନ ବିକିବାକୁ ଡହଳବିକଳ। ସେଥିରେ ପୁଣି ସରକାରୀ ପ୍ରାପ୍ୟ ପାଇବା ସକାଶେ ଦିନ ଗଡ଼ୁଥିଲେ ମଧ୍ୟ ଠିକ୍‌ ସମୟରେ ପଇଠ ହେଉନାହିଁ। ଏହା ସତ୍ତ୍ବେ ମଣ୍ଡିର ଚାହିଦା ଅଛି। ଆମେ ଏଠାରେ କହିବୁ ଯେ ସରକାର ଏହି ବିବଶତାର ସୁଯୋଗ ନେଉଛନ୍ତି। ଛତିଶଗଡ଼ ଓ ବାଂଲାଦେଶରେ ଚାଉଳର ଚାହିଦା ବୃଦ୍ଧି ପାଉଥିବାରୁ ବେପାରୀ ନଗଦ ନାରାୟଣ ଗଣି ଦେଇ କମ୍‌ ଦରରେ ଚାଷୀଙ୍କଠାରୁ ଧାନ କିଣି ନେଉଛନ୍ତି। ଚାଷ ସମୟରେ କରିଥିବା ମହାଜନୀ ଋଣ ପରିଶୋଧ ପାଇଁ ଚାପରେ ଥିବାରୁ ଚାଷୀ ବାଧ୍ୟ ହେଉଛି ଅଭାବୀ ବିକ୍ରି କରିବାକୁ। ରାଜ୍ୟର ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳରେ ଏହି କାରବାର ବିନା କଟକଣାରେ ଚାଲିଛି। ଯେଉଁଠି ଚାଷୀ ଓ ସରକାରଙ୍କ ମଧ୍ୟରେ ଦଲାଲ ସାଜି ମିଲରମାନେ ଫାଇଦା ଉଠାଉଛନ୍ତି, ସେଠାରେ ଚାଷୀଙ୍କ ସ୍ବାର୍ଥ ପ୍ରତି ନିଘା ଦେବ କିଏ? ଏବେ ଯେଉଁ ଚତୁରେ ଚତୁରେ କୋଳାକୋଳି ଚାଲିଛି ସେଥିରେ ଚାଷୀ ନିଜ ହକ୍‌ରୁ ବଞ୍ଚିତ ହେବା ହିଁ ସାର।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories