ଭୁବନେଶ୍ୱର : ରାଉରକେଲା ପୁଲିସ ଶେୟାର ବଜାରରେ ପୁଞ୍ଜି ବିନିଯୋଗ ବାହାନାରେ ଠକାମୀ କରୁଥିବା ଏକ ଆନ୍ତର୍ଜାତିକ ରାକେଟର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହି ମାଷ୍ଟରମାଇଣ୍ଡକୁ ଉତ୍ତରପ୍ରଦେଶରୁ ଧରିଛି ପୁଲିସ। ରାଉରକେଲାର ଜଣେ କେନ୍ଦ୍ରୀୟ ସଂସ୍ଥାର କର୍ମଚାରୀ ଶେୟାର ଟ୍ରେନିଂ ନାମରେ ୬୭ ଲକ୍ଷ ୭୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିବା ପରେ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଖୋଲତାଡ଼ କରି ଏହି ଅପରାଧର ମୂଳ ଯାଏ ପହଞ୍ଚିଛି। ଏହି ରାକେଟରେ ସମ୍ପୃକ୍ତ ୧୪ ଜଣ ପୂର୍ବ ରୁ ଗିରଫ ହୋଇ ସାରିଥିବା ବେଳେ ଆଉ ୧୦ରୁ ୧୨ ଜଣ ଫେରାର ଥିବା ରାଉରକେଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସ୍ପି ନୀତେଶ ୱା ଧୱାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଡିଆଇଜି ଶ୍ରୀ ରାୟଙ୍କ ସୂଚନାନୁସାରେ, ଶେୟାର ଟ୍ରେନିଂ ନାଁରେ ରାଉରକେଲାର ସମ୍ପୃକ୍ତ ଅଭିଯୋଗକାରୀ ୬୭ ଲକ୍ଷ ୭୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ ବର୍ଷକ ପୂର୍ବରୁ ଏକ ମାମଲା ରୁଜୁ କରିଥିଲେ। ରାଉରକେଲାରେ ଠକେଇର ଶିକାର ଏହି କେନ୍ଦ୍ର ସରକାରୀ କର୍ମଚାରୀ ଜଣକ ଇନ୍ଦିରା ସିକ୍ୟୁରିଟିଜ୍ ଆପ୍ ଡାଉନଲୋଡ୍ କରି ସେଥ୍ରେ ଏକ ଆକାଉଣ୍ଟ ଖୋଲିଥିଲେ। ଯାହାକି ଅର୍ଥ ବିନିଯୋଗ ପରେ ବ୍ଲକ୍ ହୋଇଯାଇଥିଲା। ଅଭିଯୋଗ ପରେ ପୁଲିସ ତଦନ୍ତ ବେଳେ ଏହି ଘଟଣାରେ ଏକ ବଡ଼ ରାକେଟ କାମ କରୁଥିବା ଜାଣିବାକୁ ପାଇଥିଲା।
ଠକ ଦଳ କାମ୍ବୋଡ଼ିଆରେ ରହି ଏଭଳି ଠକେଇ କରିଛନ୍ତି ବୋଲି ଜଣାପଡ଼ିବାରୁ ପୁଲିସ ତଦନ୍ତ ପରିସର ବୃଦ୍ଧି କରିଥିଲା। ଫଳସ୍ବରୂପ ଏହି ଅପରାଧରେ ଗତ ଜାନୁଆରୀରୁ ଅଗଷ୍ଟ ମାସ ଭିତରେ ୧୪ ଜଣ ଠକ ସ୍ବଦେଶକୁ ଫେରିବା ବେଳେ ରାଉରକେଲା ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏହିକ୍ରମରେ ଗତକାଲି ରାଉରକେଲା ପୁଲିସ ଆଉ ଜଣେ ଠକକୁ ଗିରଫ କରିଛି । ଏହି ଅଭିଯୁକ୍ତ ଅପରାଧ କରବାରର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶର ବାସିନ୍ଦା। ବିଦେଶରୁ ଫେରିଲା ପରେ ଉତ୍ତର ପ୍ରଦେଶ ପୁଲିସର ସୂଚନା ଆଧାରରେ ରାଉରକେଲା ପୁଲିସ ତାକୁ ଗିରଫ କରିଥିଲା । ତା’ଠାରୁ ୧୦ଟି ମୋବାଇଲ, ୮ଟି ପେନ ଡ୍ରାଇର୍ ୧୪ଟି ଡେବିଟ ଓ କ୍ରେଡିଟ କାର୍ଡ଼, ନେପାଳ, ଆମେରିକା ଓ କାମ୍ବୋଡ଼ିଆ ମୁଦ୍ରା, ୨୨ ହଜାର ଭାରତୀୟ ଟଙ୍କା, ୧୪ଟି ପାସ ବୁକ୍ ଓ ଚେକ ବୁକ୍ସ, ପାସପୋର୍ଟ, ଆଧାର କାର୍ଡ଼, ପାନ କାର୍ଡ଼, ପ୍ରିଣ୍ଟିଂ ମେସିନ, ଗୋଟିଏ ୱାଇଫାଇ ରାଉଟର, ୮ଟି ଜାତୀୟ ଓ ଆନ୍ତର୍ଜାତୀୟ ସିମ କାର୍ଡ଼ ଜବତ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।
ଆନ୍ତର୍ଜାତିକ ରାକେଟ, ଉନ୍ନତ କୌଶଳ: ଏହି ଅପରାଧରେ ସମ୍ପୃକ୍ତ ଦୁର୍ବୃତ୍ତମାନେ କାମ୍ବୋଡ଼ିଆରେ ରହି ଭାରତ ସମେତ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶର ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଶହ ଶହ କୋଟି ଟଙ୍କା ଠକି ନେଇଛନ୍ତି। ବିଭିନ୍ନ ନକଲି ଆପ୍ ବ୍ୟବହାର କରି ଲୋକଙ୍କୁ ପୁଞ୍ଜି ନିବେଶ ପାଇଁ ପ୍ରୋତ୍ସାହିତ କରନ୍ତି। ଅଳ୍ପ କିଛି ଦିନ ଲାଭାଂଶ ପ୍ରଦାନ କରି ଲୋକଙ୍କୁ ଲୋଭରେ ଆଶକ୍ତ କରିବା ପରେ ଲୋକେ ସ୍ବତଃ ଅଧିକରୁ ଅଧିକ ଟଙ୍କା ବିନିଯୋଗ କରନ୍ତି। ତା’ପରେ ଠକମାନେ ସେ ଆପ୍ ଓ ମେଲ୍ ଆଇଡି ବ୍ଳକ କରି ଦିଅନ୍ତି । ଏମାନେ ଭାରତୀୟ ପ୍ରତିଭୂତି ବିନିୟମ ସଂସ୍ଥା(ସେବି) ଦ୍ବାରା ଆମ ସଂସ୍ଥା ସହବନ୍ଧିତ ଅଛି ବୋଲି ମିଥ୍ୟା କାଗଜପତ୍ର ଦେଖାଇ ବିଶ୍ବାସ ଜନ୍ମାଇବା ପରେ ଏଭଳି ଜାଲ ବିଛାନ୍ତି । ଠକଦଳ କାମ୍ବୋଡିଆରେ ରହି ଅପରାଧ ଭିଆଁଉଥିବା ହେତୁ ଆନ୍ତର୍ଜାତିକ ନିୟମ ଫଳରେ ଭାରତୀୟ ପୁଲିସ ତାଙ୍କ ପାଖକୁ ଯାଇ ଧରିବାରେ ସମର୍ଥ ହୋଇପାରେ ନାହିଁ। ଯାହାଫଳରେ ସେମାନେ ଅପରାଧର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି ।
ସାଇବର୍ ଦାସ କାରବାର: ପୂର୍ବରୁ କ୍ରୀତଦାସ ପ୍ରଚଳିତ ଥିଲା । ହେଲେ ଏହି ଠକଦଳ ସାଇବର ଦାସ କରି ହଜାର ହଜାର ଭାରତୀୟଙ୍କୁ ଅପରାଧ ଜାଲରେ ଫଶାଇ ଅପରାଧୀ କରି ସାରିଛନ୍ତି। ଏହି ଆର୍ଥିକ ଅପରାଧୀ ଗୋଷ୍ଠୀ କେବଳ ଅନ୍ଲାଇନ ନୁହେଁ: ଭାରତୀୟ ଯୁବକ ଯୁବତୀଙ୍କୁ ଆଇଟି ଫାର୍ମରେ ଚାକିରୀ କରାଇ ଦେବା ନାଁରେ କାମ୍ବୋଡ଼ିଆ ନେଇ ସ୍ବଳ୍ପ ଦରମାରେ ଠକେଇ ରାକେଟରେ ନିୟୋଜିତ କରନ୍ତି। ଏବେ ବି ଭାରତର ବିଭିନ୍ନ ରାଜ୍ୟରୁ ୧ ହଜାରୁ ଅଧିକ ଯୁବକ ଯୁବତୀଙ୍କୁ ସେମାନେ ସାଇବର ଦାସ ଭାବେ ବ୍ୟବହାର କରୁଛନ୍ତି । ଡେଟିଂ ଆପ୍, କ୍ରିପ୍ଟୋ କରେନ୍ସି, ମାନବ ଚାଲାଣ କାମରେ ସେମାନେ ବ୍ୟବହାର ହେଉଛନ୍ତି ବୋଲି ପୁଲିସ କହିଛି । ସେମାନେ ଭାରତକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଫେରି ପାରୁନାହାଁନ୍ତି ।
ତେବେ ପୁଲିସ କାମ୍ବୋଡ଼ିଆରୁ ଠିକ ଦଳକୁ ଧରିବା ସମ୍ଭବ ନ ଥିବାରୁ କେନ୍ଦ୍ର ଦେଶାଟନ ବିଭାଗ, ରାଜ୍ୟ ଅପରାଧ ଶାଖା ସମେତ ବିଭିନ୍ନ ରାଜ୍ୟ ପୁଲିସକୁ ଅନୁରୋଧ କରାଯାଇ ଠକଙ୍କୁ କାବୁ କରିବାକୁ ଅନୁରୋଧ କରାଯାଇଥିଲା। ସେମାନଙ୍କ ନାଁରେ ଲୁକ୍ ଆଉଟ ସର୍କୁଲାର ଜାରି କରାଯାଇଥିଲା। ଯାହାର ଫଳସ୍ବରୂପ ଏବେ ସୁଦ୍ଧା ୧୪ଜଣ ଧରା ପଡ଼ି ପାରିଛନ୍ତି।



