ଭୁବନେଶ୍ୱର : ଫସଲହାନି କାରଣରୁ ଚାଷୀ ମୃତ୍ୟୁ ଅଭିଯୋଗ ବଢ଼ି ବଢ଼ି ଚାଲିଛି। ଶନିବାର କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ଦୁଇ ଚାଷୀଙ୍କ ମୃତ୍ୟୁ ସହ ଗତ ଚାରିଦିନରେ ୫ ଚାଷୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳର ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବାବେଳେ ଯାଜପୁର ଜିଲା ଚିକଣା ପଞ୍ଚାଯତ ମଣିତାପୁର ଗ୍ରାମର ଜଣେ ଚାଷୀ ଉଜୁଡ଼ା ଧାନ ଫସଲ ଦେଖ୍ ବିଲରେ ଟଳି ପଡ଼ିଥିବା ଅଭିଯୋଗ ହୋଇଛି। ତେବେ ମୃତ୍ୟୁ ଅଭିଯୋଗ ପରେ ତଦନ୍ତ କରାଯାଉଥିବା ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି । ଉଜୁଡ଼ା ଚାଷକୁ ଦେଖି ତାଙ୍କ ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫସଲହାନି କ୍ଷେତ୍ରରେ ଚାଷୀ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ସୂଚିତ କରିବା ତଥା କୃଷି ବିଭାଗର ଫସଲ ବୀମା ପୋର୍ଟାଲରେ ଆବେଦନ ପାଇଁ ସରକାର ଗୁରୁତ୍ୱାରୋପ କରିଛନ୍ତି।
ଏହା ଦ୍ଵାରା କ୍ଷତିର ଆକଳନ ସହ କ୍ଷତିପୂରଣ ପ୍ରଦାନ କରାଯାଇ ପାରିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଥିଲେ। ଏହା ଦ୍ବାରା ଚାଷୀ ଆତ୍ମହତ୍ୟା ପରି ଘଟଣାକୁ ରୋକାଯାଇ ପାରିବ ବୋଲି ଆଶା ପ୍ରକାଶ ପାଇଛି। ଅଦିନିଆ ବର୍ଷାରେ କ୍ଷୟକ୍ଷତି ସଂପର୍କରେ ଆକଳନ କରି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ଜିଲାପାଳମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ଚଳିତମାସ ୩୦ ତାରିଖ ସୁଦ୍ଧା କ୍ଷଯକ୍ଷତି ଆକଳନ ଶେଷ ପାଇଁ କୁହାଯାଇଛି। ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ଖମୋଳ ପଞ୍ଚାୟତ କୋଶିଦା ଗ୍ରାମର ଦୈତାରି ଯେନା (୭୮) ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ କିଛି ଜମି ଭାଗଚାଷ କରି ଧାନ ଫସଲ କରିଥିଲେ ।
ଗତ ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇଯିବା ଦେଖା ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଗତ ୨୫ ତାରିଖରେ ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାଯତ ସନ୍ଥପୁରା ଗ୍ରାମର ଚାଷୀ ଭାବଗ୍ରାହୀ ମଳିକ( ୫୨)ଙ୍କର ଉଜୁଡ଼ା ଫସଲ ଦେଖ୍ ହୃଦ୍ଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ସେହିପରି ମଣିତାପୁର ଗ୍ରାମର ମଣିରାମ ମହାନ୍ତି (୬୮) ସମବାୟ ସମିତି
ସମେତ ହାତଉଧାରୀ କରି ଚଳିତ ବର୍ଷ ନିଜର କିଛି ଜମି ସହ ପ୍ରାୟ ୪ ଏକର ଜମିରେ ଭାଗଚାଷରେ ଧାନ ଫସଲ କରିଥିଲେ। ଶୁକ୍ରବାର ମଣିରାମ ଧାନ ଅମଳ କରିବାକୁ ବିଲକୁ ଯାଇ ଜମିରେ ଧାନଗଛ ସବୁ ପାଣିରେ ଲୋଟିବା ସହିତ ଗଜା ହୋଇଯାଇଥିବା ଦେଖ୍ ହତାଶ ହୋଇପଡ଼ିଥିଲେ । ମଣିରାମ ସେହି ଧାନ ବିଲରେ ହିଁ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ଓ ପରିବାର ତାଙ୍କୁ ଉଦ୍ଧାର କରି ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।



