ଉଚ୍ଚଶିକ୍ଷାରେ ପରିବର୍ତ୍ତନ

‘ପ୍ରଫେସର୍‌ ଅଫ୍‌ ପ୍ରାକ୍ଟିସ’ ନିଯୁକ୍ତି ସ୍ବାଗତଯୋଗ୍ୟ; କିନ୍ତୁ ଯୋଗ୍ୟ ପ୍ରତିଭାଙ୍କୁ ସୁଯୋଗ ମିଳିଲେ ହିଁ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ପୂରଣ ହୋଇପାରିବ

ଏକବିଂଶ ଶତାବ୍ଦୀର ଭାରତରେ ଶିକ୍ଷା ଓ ପ୍ରାଶାସନିକ ବ୍ୟବସ୍ଥା ଯେପରି ବିଶ୍ବସ୍ତରୀୟ ମାନର ହୋଇପାରିବ, ସେଥିପାଇଁ ବିଶେଷଜ୍ଞଙ୍କର ଆବଶ୍ୟକତାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଏଥିପାଇଁ ପୁରୁଣା ଔପଚାରିକ ମନୋନୟନ ପଦ୍ଧତିକୁ ଯଦି ବାଦ୍‌ ଦେବାକୁ ହୁଏ, ତେବେ ତାକୁ ମଧ୍ୟ ଗ୍ରହଣ କରିବାରେ କୁଣ୍ଠା ରହିବା ଉଚିତ ନୁହେଁ। ସମ୍ଭବତଃ ଏହି ବିଚାରକୁ ପାଥେୟ କରି ଦେଶର ଉଚ୍ଚଶିକ୍ଷାରେ ପରିବର୍ତ୍ତନ ଆଣିବା ପାଇଁ ଏବେ ଉଦ୍ୟମ କରାଯାଉଛି। ନିକଟରେ ସରକାର ନେଇଥିବା ଏପରି ଦୁଇଟି ପଦକ୍ଷେପ ଉଲ୍ଲେଖଯୋଗ୍ୟ।

ପ୍ରଥମତଃ, ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିଷ୍ପତ୍ତି ନେଇଛି ଯେ ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶେଷଜ୍ଞଙ୍କ ଏକ ନୂତନ ଗୋଷ୍ଠୀକୁ ଫ୍ୟାକଲ୍‌ଟି ସଦସ୍ୟ ରୂପେ ନିଯୁକ୍ତ କରିପାରିବେ, ଯେଉଁମାନଙ୍କ ପାଇଁ ଔପଚାରିକ ଏକାଡେମିକ୍‌ ବା ଶିକ୍ଷାଗତ ଯୋଗ୍ୟତା ଏବଂ ପ୍ରକାଶନ ସହ ସଂପୃକ୍ତ ସର୍ତ୍ତାବଳୀ ଅନିବାର୍ଯ୍ୟ ହେବନାହିଁ। ଏହି ନୂତନ ପଦକୁ କୁହାଯିବ ‘ପ୍ରଫେସର ଅଫ୍ ପ୍ରାକ୍ଟିସ୍’। ନିକଟରେ ୟୁଜିସି ଏଥିପାଇଁ ପ୍ରସ୍ତୁତ ଖସଡ଼ା ମାର୍ଗଦର୍ଶିକାକୁ ମଞ୍ଜୁରୀ ଦେଇଛି। ଏହା ଅନୁସାରେ ଇଞ୍ଜିନିୟରିଂ, ବିଜ୍ଞାନ, ପ୍ରଯୁକ୍ତି, ବାଣିଜ୍ୟ, ସମାଜ ବିଜ୍ଞାନ, ଗଣମାଧ୍ୟମ, ସାହିତ୍ୟ, ଚିତ୍ରକଳା, ଲୋକସେବା, ଆଇନ ଇତ୍ୟାଦି କ୍ଷେତ୍ରରେ ଅନ୍ତତଃ ୧୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଥିବା ବିଶିଷ୍ଟ ଇଞ୍ଜିନିୟର, ଗଣମାଧ୍ୟମ କର୍ମୀ, ସେନା ଅଧିକାରୀ, ଆଇନଜୀବୀ, ପ୍ରାଶାସନିକ ଅଧିକାରୀ, କଳାକାର ଆଦିଙ୍କୁ ଅଧ୍ୟାପନା ସୁଯୋଗ ଦିଆଯିବ। ଏହି ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ମାନେ ପାଠ୍ୟପୁସ୍ତକରୁ ପାଠ ନପଢ଼ାଇ ପାଠ୍ୟଖସଡ଼ା ନିଜେ ପ୍ରସ୍ତୁତ କରିବେ ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ସେମାନେ ଅନ୍ୟମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ। ବିଶ୍ବବିଦ୍ୟାଳୟ ବା ମହାବିଦ୍ୟାଳୟ ପାଇଁ ମଞ୍ଜୁର ଅଧ୍ୟାପକ ପଦ ଅତିରିକ୍ତ ‘ପ୍ରଫେସର ଅଫ୍ ପ୍ରାକ୍ଟିସ୍‌’ମାନଙ୍କୁ ନିଯୁକ୍ତି ଦିଆଯିବ, ଯାହାଙ୍କ ସଂଖ୍ୟା ୧୦ ଶତାଂଶରୁ ଅଧିକ ହେବନାହିଁ। ଏମାନଙ୍କ କାର୍ଯ୍ୟକାଳ ପ୍ରାରମ୍ଭିକ ଭାବେ ବର୍ଷେ ରଖାଯାଇଥିବାବେଳେ ତାଙ୍କ କାର୍ଯ୍ୟର ସମୀକ୍ଷା ପରେ ଚାରି ବର୍ଷ ପର୍ଯ୍ୟନ୍ତ ବଢ଼ାଇବାର ବ୍ୟବସ୍ଥା କରାଯାଇଛି।

କହିବା ବାହୁଲ୍ୟ ଯେ ଏହା ନୂତନ ଶିକ୍ଷା ନୀତି ଅନୁରୂପ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ; କାରଣ କଳାପଟା ଓ ବହି ଭିତରେ ଶିକ୍ଷାର୍ଥୀଙ୍କ ଶିକ୍ଷା ଜୀବନ ସୀମିତ ହୋଇ ରହିଯାଉଥିବାବେଳେ ସେମାନେ ‘ପ୍ରଫେସର ଅଫ୍ ପ୍ରାକ୍ଟିସ୍‌’ଙ୍କ ଜରିଆରେ ବାସ୍ତବ ସଂସାରର ବିଭିନ୍ନ ବିଷୟରେ ପ୍ରତ୍ୟକ୍ଷ ଶିକ୍ଷାଲାଭର ସୁଯୋଗ ପାଇପାରିବେ। ଆମର ଜ୍ଞାନାଶ୍ରୟୀ ଶିକ୍ଷା ବ୍ୟବସ୍ଥା ବାସ୍ତବ ଜୀବନର ଆବଶ୍ୟକତା ସହିତ ଯେତିକି ଯୋଡ଼ି ହୋଇପାରିବ, ତାହା ସେତିକି ଉପାଦେୟ ସାବ୍ୟସ୍ତ ହେବ। ଅନ୍ୟପକ୍ଷରେ ବିଭିନ୍ନ ପ୍ରକାରର ବିଷମତା ଓ ପେସାଗତ ବାଧ୍ୟବାଧକତା ଦ୍ବାରା ଔପଚାରିକ ଯୋଗ୍ୟତା ହାସଲ କରିପାରିନଥିଲେ ହେଁ ସମାଜରେ ଏପରି ଅନେକ ମୌଳିକ ପ୍ରତିଭା ରହିଛନ୍ତି, ଯାହାଙ୍କ କାର୍ଯ୍ୟ ଅନନ୍ୟ ଓ ଅସାଧାରଣ। ସେମାନଙ୍କୁ ଆମର ଶିକ୍ଷା ସଂଗଠନ ସହିତ ଯୋଡ଼ିବା ଦ୍ବାରା ସେମାନେ ଓ ଛାତ୍ରଛାତ୍ରୀ ଉଭୟ ଉପକୃତ ହେବେ। ତେବେ ଯକ୍ଷପ୍ରଶ୍ନ ତ ଏଇଆ ଯେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ସରକାର ଅନେକ ସମୟରେ ଯେପରି ସିଧାସଳଖ ହସ୍ତକ୍ଷେପ କରୁଛନ୍ତି, ସେଥିରେ ଏହି ନୂତନ ପଦରେ ଯୋଗ୍ୟ ପ୍ରତିଭାଙ୍କୁ ସୁଯୋଗ ଦିଆଯିବ ନା କେବଳ ନିଜର ଚିହ୍ନାପରିଚିତ ଓ ଆପଣା ବିଚାରଧାରାସଂପନ୍ନ ଲୋକଙ୍କୁ ଥଇଥାନ କରାଯିବ? ଏ ପ୍ରଶ୍ନ ଏଇଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ କେନ୍ଦ୍ର ସରକାର ପ୍ରାଶାସନିକ ମାନ ବୃଦ୍ଧି ପାଇଁ ଯେଉଁ ‘ଲେଟରାଲ୍‌ ଏଣ୍ଟ୍ରି’ ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ତାହା ମଧ୍ୟ ବିବାଦମୁକ୍ତ ନୁହେଁ। ଏହାରି ମାଧ୍ୟମରେ ସରକାର ଯୁଗ୍ମ ସଚିବ ସ୍ତରରେ ସିଧାସଳଖ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛନ୍ତି। ଅତୀତରେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ସରକାର ଏହାରି ମାଧ୍ୟମରେ ସଂସ୍ଥାଗୁଡ଼ିକର ଗୈରିକୀକରଣ କରୁଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏପରି ନହେଉ ବୋଲି ଆମେ ଆଶା କରିବା।

ଦ୍ବିତୀୟତଃ, ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୨୫ ଶତାଂଶ ଅତିରିକ୍ତ ସିଟ୍‌ ସୃଷ୍ଟି କରିବାକୁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଦେଶୀ ବିଦ୍ୟାର୍ଥୀଙ୍କୁ ପ୍ରବେଶିକା ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ ନାହିଁ। ଏହାଦ୍ବାରା ବୈଶ୍ବିକ ସ୍ତରରେ ଦେଶର ଶୈକ୍ଷିକ ସମ୍ମାନ ବୃଦ୍ଧି ହେବ ବୋଲି କୁହାଯାଉଛି ଏବଂ ବୈଦେଶିକ ମୁଦ୍ରା ଅର୍ଜନ ମଧ୍ୟ ସମ୍ଭବ ହେବ; କିନ୍ତୁ ବିନା ପ୍ରବେଶିକା ପରୀକ୍ଷା କରି ନାମଲେଖା ସୁଯୋଗ ଦେବାଦ୍ବାରା ଧନାଢ୍ୟ ବିଦେଶୀ ପରିବାରର ପିଲାଙ୍କୁ ଡିଗ୍ରୀ ହାତେଇବାର ସୁଯୋଗ ମିଳିବ ସିନା, ଏହାଦ୍ବାରା ଡିଗ୍ରୀର ଗୁଣବତ୍ତା ଓ ଶୈକ୍ଷିକ ପରିଦୃଶ୍ୟ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ବଢ଼ିଯିବ। ଏ ସମ୍ବନ୍ଧରେ ସରକାର ଚିନ୍ତା କରିବା ବାଞ୍ଛନୀୟ।

Comments are closed.