ଉତ୍ତରପ୍ରଦେଶ ହାଥରସରେ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା, ମୃତ୍ୟୁ ସଂଖ୍ୟା ୮୭କୁ ବୃଦ୍ଧି

ଡେସ୍କ: ଉତ୍ତରପ୍ରଦେଶର ହାଥରସରେ ଆଜି (ମଙ୍ଗଳବାର) ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା ଘଟି ମହିଳା ଓ ୩ ଶିଶୁଙ୍କ ସମେତ ୮୭ ଜଣଙ୍କ ମୃତ୍ୟୁ ଘଟିଛି। ସତସଙ୍ଗ (ପ୍ରାର୍ଥନା ସଭା) ସମୟରେ ଏହି ଅଘଟଣ ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଗୁରୁତ୍ବ ଦେବା ସହ ତାଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ହାଥରସ୍ ଜିଲ୍ଲାପାଳ ଆଶିଷ କୁମାର କହିଛନ୍ତି ଯେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ୫୦ରୁ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ଏଟା ଜିଲ୍ଲାର ଅଧିକାରୀମାନେ ଅତିରିକ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି।

ହାଥରସର ସିକନ୍ଦର ରାଓ ଥାନା ଅଧୀନରେ ଥିବା ଏକ ଗାଁରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ କହିଛନ୍ତି ଯେ ୫୦ରୁ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହୋଇଥିବାରୁ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଅନୁମତି ଦେଇଥିଲେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟାନ୍ୟ ବ୍ୟବସ୍ଥା ଆୟୋଜକଙ୍କ ଦ୍ୱାରା କରାଯିବା କଥା ବୋଲି ଜିଲ୍ଲାପାଳ ଆଶିଷ କୁମାର କହିଛନ୍ତି।

ଏଟାର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମେଶ କୁମାର ତ୍ରିପାଠୀ କହିଛନ୍ତି, ୨୭ଟି ମୃତଦେହ ମିଳିଥିବା ବେଳେ ସେଥିମଧ୍ୟରୁ ୨୫ଟି ମହିଳା ଓ ୨ଜଣ ପୁରୁଷ ଅଛନ୍ତି। କିଛି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଟାର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜେଶ କୁମାର କହିଛନ୍ତି ଯେ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତଦେହ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି ବୋଲି ଶ୍ରୀ କୁମାର କହିଛନ୍ତି। ସତସଙ୍ଗରେ ଯୋଗ ଦେଇଥିବା ଜଣେ ମହିଳା କହିଛନ୍ତି ଯେ ଏହା ଜଣେ ସ୍ଥାନୀୟ ଗୁରୁଙ୍କ ସମ୍ମାନରେ ଆୟୋଜନ କରାଯାଇଥିଲା ଏବଂ ଭିଡ଼ ବାହାରିବା ଆରମ୍ଭ କରିବାରୁ ଏହି ଦଙ୍ଗା ସୃଷ୍ଟି ହୋଇଥିଲା।

ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ସେ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଆଗ୍ରାର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏବଂ ଆଲିଗଡ଼ କମିସନରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି।

ସାମାଜିକ ଗଣମାଧ୍ୟମ ଏକ୍ସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଏହି ଘଟଣା ହୃଦୟ ବିଦାରକ। ସେ କହିଛନ୍ତି, ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଖବର ହୃଦୟ ବିଦାରକ। ଯେଉଁମାନେ ନିଜ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।


ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ପୋଷ୍ଟରେ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରିବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ଦୁଇ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଓ ସନ୍ଦୀପ ସିଂହ ସେହି ଗାଁକୁ ଯାଇଥିବା ବେଳେ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ସେଠାକୁ ପଠାଯାଇଛି।

Comments are closed.