www.samajalive.in
Wednesday, December 10, 2025
18.1 C
Bhubaneswar

ସିଦ୍ଧି ପଥ

ପିତାଥିଲେ ଜଣେ ମୂର୍ତ୍ତି କାରିଗର। ଭଳିକିଭଳି ବିଭିନ୍ନ ଜାତିର ପଶୁପକ୍ଷୀ ତଥା ଦେବଦେବୀଙ୍କ ମାଟି ମୂର୍ତ୍ତି ତିଆରି କରିବା ଥିଲା ପେସା। ଏକମାତ୍ର ପୁଅ ଟିକେ ହେତୁକାର ହେବାପରେ ପୁଅକୁ କୌଳିକ ବୃତ୍ତି ଅନୁଯାୟୀ ସେହି ମୂର୍ତ୍ତି ନିର୍ମାଣ ବିଦ୍ୟା ଶିଖାଇଥିଲେ। ପୁଅ ସମୟକ୍ରମେ ଭଲ ମୂର୍ତ୍ତି କାରିଗର ହୋଇଗଲା। ପିତାପୁତ୍ର ଦୁହେଁ ନିଜ ତିଆରି ମୂର୍ତ୍ତି ହାଟକୁ ନେଇ ବିକିବାକୁ ଯାଆନ୍ତି। ପିତାଙ୍କ ମୂର୍ତ୍ତି ସବୁ ଦେଢ଼ ଦୁଇଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାବେଳେ ପୁଅର ମୂର୍ତ୍ତିଗୁଡ଼ିକ କମ୍‌ ମୂଲ୍ୟରେ ଆଠ ଦଶ’ଣା(ସେ ସମୟରେ ଅଣାର ପ୍ରଚଳନ ଥିଲା,ଟଙ୍କାକ ଷୋଳଅଣା ଥିଲା)ରେ ବିକ୍ରି ହେଉଥିଲା। ପ୍ରତ୍ୟେକଥର ସାପ୍ତାହିକ ହାଟରୁ ଫେରିବା ପରେ ପିତା ପୁଅକୁ ପାଖରେ ବସାଇ ତା’ର ମୂର୍ତ୍ତି ନିର୍ମାଣରେ କେଉଁଠି କ’ଣ ତ୍ରୁଟି ରହିଛି ସେ ବିଷୟରେ କହି ଏହାକୁ ପରବର୍ତ୍ତୀ ସମୟରେ ସୁଧାରିନେବାକୁ ଉପଦେଶ ଦେଇଥାନ୍ତି। ଏହି କ୍ରମ ବର୍ଷାଧିକ କାଳ ଧରି ଚାଲିଥାଏ। ପ୍ରତ୍ୟେକଥର ଫେରିବା ପରେ ପିତା ଉପଦେଶ ଦେବାକୁ ଭୁଲି ନଥାନ୍ତି। ପୁଅ ପିତାଙ୍କ ଆଦେଶ ପାଳନକାରୀ ଥିଲା। ପିତାଙ୍କ ଉପଦେଶ ଶୁଣି ସେସବୁ କାମରେ ଲଗାଇବାରେ ଆଦୌ ଢ଼ିଲାପଣ ଦେଖାଇନଥାଏ। କିଛି ମାସ ପରେ ପୁଅର ଗଢ଼ା ମୂର୍ତ୍ତିସବୁ ମଧ୍ୟ ପିତାଙ୍କ ଭଳି ଦେଢ଼ ଦୁଇଟଙ୍କାରେ ବିକ୍ରି ହେଲା।
ଏହାପରେ ବି ପୁଅକୁ ବୁଝାଇବାରେ ପିତା ଆଦୌ ହେଳା କରୁନଥାନ୍ତି। ସର୍ବଦା ପୁଅ ତିଆରି ମୂର୍ତ୍ତିର ସାମାନ୍ୟତମ ଦୋଷ ବି ବାଛି ଏହା ଦେଖାଇବାସହ ମୂର୍ତ୍ତି କିପରି ସର୍ବାଙ୍ଗସୁନ୍ଦର ଓ ସର୍ବୋତ୍କୃଷ୍ଟ ହେବ ସେ ସମ୍ପର୍କରେ ପିତା ଉପଦେଶ ଦେଉଥାନ୍ତି। ପୁଅ ସେସବୁ ପ୍ରତି ଦୃଷ୍ଟିଦେଇ ତାହା ସୁଧାରିବାରେ ଲାଗିଥାଏ। ଏବେ ପୁଅ ଗଢ଼ା ମୂର୍ତ୍ତି ୫/୧୦ଟଙ୍କାରେ ବିକ୍ରିହେବାକୁ ଲାଗିଲା, ପିତାଙ୍କ ଗଢ଼ା ମୂର୍ତ୍ତିଠାରୁ ଢ଼େର ଅଧିକ। ତଥାପି ପିତା ତ୍ରୁଟିବାଛି ସେସବୁକୁ ପୂର୍ବପରି କହିବା ବନ୍ଦ କରି ନଥିଲେ।
ସେଦିନ ପୁଅ ବିରକ୍ତି ପ୍ରକାଶ କରି କହିଥିଲା- ଆପଣ ଦୋଷ ବାଛିବା କେବେ ବି ବନ୍ଦ କରିବେ ନାହିଁ । ମୋର ମୂର୍ତ୍ତି ତ ତୁମଗଢ଼ା ମୂର୍ତ୍ତିଠାରୁ ଢ଼େର ଅଧିକ ଦରରେ ବିକ୍ରି ହେଉଛି ସୁନ୍ଦର ବୋଲି। ତଥାପି ତୁମେ କହିବା ବନ୍ଦ କରୁନାହଁ ଯେ? ତୁମେ ତିଆରି କରୁଥିବା ମୂର୍ତ୍ତି ମାତ୍ର ଦେଢ଼ ଦୁଇଟଙ୍କାରେ ବିକ୍ରି ହେଉଥିଲାବେଳେ ମୋର ତ ତା’ଠାରୁ ଢ଼େର ଅଧିକ ଦରରେ ବିକ୍ରି ହେଉଛି।
ପିତା ବୁଝାଇ ଦେଇଥିଲେ- ପୁଅରେ! ମୁଁ ଯେତେବେଳେ ତୋରି ବୟସର ଥିଲି ସେତେବେଳେ ମୋ ତିଆରି ମୂର୍ତ୍ତି ଶ୍ରେଷ୍ଠ ବୋଲି ଭାବି ଅହଂକାରୀ ହୋଇଯାଇଥିଲି। ପୂର୍ଣ୍ଣତାପ୍ରାପ୍ତିର ଏହି ଅହଂକାରକୁ ପରବର୍ତ୍ତୀ ସମୟରେ ମୁଁ ତ୍ୟାଗ କରି ପାରିନଥିଲି, ଫଳରେ ନିଜକୁ ସୁଧାରିବା ଚିନ୍ତା ଆସିନଥିଲା। ଏହା ହିଁ ମୋର ପ୍ରଗତି (ଉତ୍କର୍ଷ)ର ପଥରୋଧ କରିଥିଲା, ଯାହାଫଳରେ ମୋର ମୂର୍ତ୍ତିଗୁଡ଼ିକ ବିଶେଷ ଆକର୍ଷଣୀୟ ନ ହୋଇ ସ୍ବଳ୍ପମୂଲ୍ୟରେ ବିକ୍ରି ହେଉଛି। ଯେଉଁ ଭୁଲ ମୁଁ କରିଛି, ମୁଁ ଚାହୁଁନି ପୁଅ ଭାବରେ ତୁ ସେଇ ଭୁଲ ବାଟ ଅନୁସରଣ କର ବୋଲି। ନିଜର ତ୍ରୁଟିବିଚ୍ୟୁତିକୁ ସୁୁଧାରିବାକୁ ଅହରହ ଚେଷ୍ଟା ଜାରିରଖ, ଏହାଦ୍ବାରା ଭବିଷ୍ୟତରେ ବହୁ ମୂଲ୍ୟବାନ, ନିଖୁଣ କାରିଗରୀ ଜ୍ଞାନକୌଶଳ ସମ୍ବଳିତ ମୂର୍ତ୍ତି ନିର୍ମାଣକରି ଜଣେ ଶ୍ରେଷ୍ଠ ଶିଳ୍ପୀ ହେବାର ଗୌରବ ହାସଲ କରିପାରିବୁ। ପିତା ହିସାବରେ ଏହା ମୋ ପାଇଁ ଶ୍ରେଷ୍ଠ ଗୌରବର ବିଷୟ ହେବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories